ଅସ୍ଥାୟୀ ଶିବିର ପାଇଁ ଖଟିଆ କିଣାରେ ଦୁର୍ନୀତି ଗନ୍ଧ: ୧୭ ହଜାର କିଣିବା ପରେ ରୋକ୍‌ ଲଗାଇଲା ପ୍ରଶାସନ

The smell of corruption in the purchase of beds for temporary camps

କଟକ: ୨୨ହଜାର କିଣିବାକୁ ଯୋଜନା ଥିଲା, ୧୭ ହଜାର କିଣି ସାରିଥିଲେ। ହେଲେ, ହଠାତ୍‌ ନିଷ୍ପତ୍ତି ବଦଳିଲା; କଟକରେ ଆଉ କିଣାଯିବନି ଖଟିଆ। ଜିଲ୍ଲା ପ୍ରଶାସନସବୁ ବିଡିଓଙ୍କୁ ଚିଠି କରି ଆଉ ଖଟିଆ ନ କିଣିବାକୁ ଜଣାଇ ଦେଇଛନ୍ତି। କାରଣ ବି ଦର୍ଶାଯାଇଛି, ଏକସଙ୍ଗେ ସବୁ ଶ୍ରମିକ ଫେରୁନାହାନ୍ତି, ତେଣୁ ସେମାନଙ୍କ ଆସିବାକୁ ଦେଖି ବ୍ୟବସ୍ଥା କରାଯିବ। ହେଲେ, ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ଯେ, କଟକ ଜିଲ୍ଲାରେ କିଣାଯାଇଥିବା ଖଟିଆର ମୂଲ୍ୟରେ ବିରାଟ ଅସମାନତା ଦେଖା ଦେଇଛି।

ସୂଚନା ଅନୁସାରେ, ୧୮ଶହ ଟଙ୍କା ଭିତରେ ଖଟିଆ କିଣିବା ପାଇଁ ପ୍ରଶାସନ ମୌଖିକ ଭାବେ କହିଥିଲେ ବି ପଞ୍ଚାୟତଗୁଡ଼ିକରେ କିଏ ୨୩ ଶହ ତ ଆଉ କିଏ ୩ହଜାର ଟଙ୍କା ଦେଇ ଖଟିଆ କିଣିଛନ୍ତି। ଅପରପକ୍ଷରେ, ନିର୍ଦ୍ଦିଷ୍ଟ କେତେକ ସ୍ଥାନରେ ସରପଞ୍ଚମାନେ କିଣିବା ବଦଳରେ ସ୍ଥାନୀୟ ପ୍ରଶାସନ କିଣି ଯୋଗାଇଥିବା ଦେଖିବାକୁ ମିଳିଛି। ଫଳରେ, ଖଟିଆ ଓ ଅନ୍ୟାନ୍ୟ ସାମଗ୍ରୀ କିଣାରେ ମଧ୍ୟସ୍ଥି କାରବାର ହୋଇଥିବା ଅନୁମାନ କରାଯାଉଛି। ସରକାରୀ ରିପୋର୍ଟ ମୁତାବକ, କଟକ ଜିଲ୍ଲାକୁ ପାଖାପାଖି ୫୦ହଜାର ଶ୍ରମିକ ଫେରିବାକୁ ଅଛନ୍ତି। ସେଥିପାଇଁ ଜିଲ୍ଲାର ୩୭୩ଟି ପଞ୍ଚାୟତରେ ଖୋଲାଯାଇଛି ୬୧୨ ଅସ୍ଥାୟୀ ଚିକିତ୍ସା ଶିବିର(ଟିଏମ୍‌ସି)। ସବୁ ଟିଏମ୍‌ସିରେ ପ୍ରସ୍ତୁତ ଓ ସବୁଠି ସବୁ ବ୍ୟବସ୍ଥା କରାଯାଇଥିବା ପ୍ରଶାସନ କହିଛି। ହେଲେ ଆଜି ବି ଏମିତି ଅନେକ ଟିଏମ୍‌ସି ରହିଛି ଯେଉଁଠି କେବଳ ରଙ୍ଗ ସରିଛି ଓ ବ୍ୟବସ୍ଥା ନାମରେ କେବଳ ଖଟିଆ ଖଣ୍ଡେ ଲେଖାଏ ପକାଇ ଦିଆଯାଇଛି। ଜିଲ୍ଲାକୁ ଆଜିସୁଦ୍ଧା ମାତ୍ର ୩,୧୦୦ ପ୍ରବାସୀ ଶ୍ରମିକ ଫେରିଥିବାରୁ ସବୁ ଟିଏମ୍‌ସି ଖୋଲାଯାଇ ନଥିବା ପ୍ରଶାସନ କହିଛି। ଲୋକ ଆସିଲେ ଟିଏମ୍‌ସି ଖୋଲାଯିବ। କେବଳ ସେତିକି ନୁହେଁ ନିଶ୍ଚିନ୍ତକୋଇଲି ବ୍ଲକ୍‌ର ୨ଟି ପଞ୍ଚାୟତ; ବରୋଦା ଓ ଫୋଗଳରେ ଟିଏମ୍‌ସି ପ୍ରସ୍ତୁତ ହୋଇ ନଥିବାରୁ ଆସିଥିବା ଶ୍ରମିକମାନଙ୍କୁ ଜିଗନୀପୁର ପଞ୍ଚାୟତରେ ରଖାଯାଇଛି। ଏଭଳି ଅନେକ ସ୍ଥାନରେ ବ୍ୟା‌ପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଆଜି ମାହାଙ୍ଗାରେ ଏହାର ସଦ୍ୟ ପ୍ରମାଣ ସାମ୍ନାକୁ ଆସିଛି। ମାହାଙ୍ଗା ବ୍ଲକ୍‌ ମଧୁପୁର ପଞ୍ଚାୟତ ଦୋବନ୍ଧିଆ ଟିଏମ୍‌ସିରେ ପ୍ରାୟ ୪୦ଜଣ ଶ୍ରମିକ ପହଞ୍ଚିବା ‌ବେଳେ ସେଠାରେ ଖଟ ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇ ନଥିଲା। ଫଳରେ ପ୍ରବାସୀ ଶ୍ରମିକମାନଙ୍କୁ ପାଖାପାଖି ୪ଘଣ୍ଟା ଧରି ଛିଡାହୋଇ ରହିବାକୁ ପଡ଼ିଲା। ସେପଟେ, ପ୍ରଶାସନ ପକ୍ଷରୁ ୧୮ଶହ ଟଙ୍କା ଭିତରେ ଖଟ କିଣିବା ପାଇଁ ମୌଖିକ ନିର୍ଦ୍ଦେଶ ‌ଦିଆଯାଇଥିଲା। ଗଦି ସହ ମିଳୁଥିବା ଖଟିଆ କିଣିବା ପାଇଁ ମଧ୍ୟ କୁହାଯାଇଥିଲା। କିନ୍ତୁ, କେତେକ ପଞ୍ଚାୟତ ଭଡ଼ାରେ ଆଣି ଖଟିଆ ପକାଇଥିବା ବେଳେ ଆଉ କେତେକ ସ୍ଥାନରେ ୨୨ଶହ, ୨୩ଶହ ଓ ଏପରିକି ୩ହଜାର ଟଙ୍କା ଦେଇ ଖଟିଆ କିଣାଯାଇଥିବା ଅଭିଯୋଗ ହୋଇଛି।

ଅନ୍ୟପଟେ, କେତେକ ପଞ୍ଚାୟତରେ ସରପଞ୍ଚମାନଙ୍କୁ ଖଟିଆ କିଣିବା ପାଇଁ ମନା କରାଯାଇଥିଲା। ବ୍ଲକ୍‌ ପକ୍ଷରୁ ଖଟିଆ ଦିଆଯିବ ବୋଲି କୁହାଯାଇଥିଲା। ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକ ଉକ୍ତ ଖଟିଆ ପ୍ରସ୍ତୁତ କରି ପ୍ରତି ପଞ୍ଚାୟତରେ ପହଞ୍ଚାଇଥିବା ବେଳେ ସେମାନେ ଏଥିପାଇଁ ବିଲ୍‌ ମଧ୍ୟ ପଞ୍ଚାୟତକୁ ଦେଇ ନଥିବା କିଛି ସରପଞ୍ଚ ଅଭିଯୋଗ କରିଛନ୍ତି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ସମସ୍ୟା ‌ସାମ୍ନାକୁ ଆସିଛି। ଖଟିଆ କିଣାରେ ବଡ଼ ଧରଣର କିକ୍‌ବ୍ୟାକ୍‌ ହୋଇଥିବା ଏବେଠାରୁ ଆଭାସ ମିଳିଲାଣି। ଟିଏମ୍‌ସି କେନ୍ଦ୍ରରେ ଦାନ୍ତଘସା ବ୍ରସ୍‌ଠାରୁ ଆରମ୍ଭ କରି ସାବୁନ, ତେଲ ପର୍ଯ୍ୟନ୍ତ ସବୁ ସାମଗ୍ରୀ ୩ଶହ ଟଙ୍କା ଯେପରି ନଟପିବ ସେଥିପାଇଁ ଏସ୍‌ଆରସି ଜିଲ୍ଲାପାଳମାନଙ୍କୁ ଚିଠି କରିଥିଲେ। ହେଲେ ଚିଠିରେ ଖଟିଆ କଥା ଉ‌େଲ୍ଲେଖ ନଥିଲା। ତେଣୁ ମନଇଚ୍ଛା କିଣାଯାଇଛି ଖଟିଆ। ଅନ୍ୟପଟେ, ବର୍ତ୍ତମାନ ସୁଦ୍ଧା କେଉଁ ପଞ୍ଚାୟତ କେତେଟଙ୍କା ଖର୍ଚ୍ଚ କଲେଣି ତାର ବିବରଣୀ ଏସ୍‌ଆରସିଙ୍କ ନିକଟକୁ ପଠାଇଲେ ସେଠାରୁ ମଂଜୁରୀ ମିଳିବା ପରେ ଟଙ୍କା ମିଳିବ। ଖଟିଆ କିଣା ସଂପର୍କରେ କଟକ ପିଡି ଡିଆରଡିଏ ଅବଦଲ ଅକ୍ତରଙ୍କୁ ଯୋଗାଯୋଗ କରାଯିବାରେ ସେ କହିଛନ୍ତି ଯେ, ୧୭ହଜାର ଖଟିଆ କିଣାଯାଇଛି। ଆଗକୁ ନକିଣିବା ପାଇଁ ସମସ୍ତଙ୍କୁ ଚିଠି ଦିଆଯାଇଛି। ଆମେ ପ୍ରସ୍ତୁତ ହୋଇ ରହିଛୁ। ଯଦି ‌ସୁରତ କିମ୍ବା ଅନ୍ୟ ରାଜ୍ୟରୁ ବସ୍‌ରେ ଏକାଠି ୬୦/୭୦ ଶ୍ରମିକ ଫେରିବେ ତେବେ ତାଙ୍କୁ ପ୍ରଥମେ ଗୋଟିଏ ଟିଏମ୍‌ସିରେ ରଖାଯାଇ ପରୀକ୍ଷା କରାଯିବ। ରିପୋର୍ଟ ଆସି‌ବା ପରେ ତାଙ୍କ ପଞ୍ଚାୟତ ଅଧୀନରେ ଥିବା ଟିଏମ୍‌ସିକୁ ପଠାଯିବ। ତେବେ, ଖଟିଆ କିଣା ପାଇଁ କାହାରିକୁ ଟଙ୍କା ଦିଆଯାଇ ନଥିବା ସେ ସୂଚନା ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ, ମାହାଙ୍ଗା ବିକାଶ ପରିଷଦର ଅଧ୍ୟକ୍ଷ ତଥା ବିଜେପି ଯୁବନେତା ଶାରଦା ପ୍ରଧାନ ଖଟିଆ କିଣାରେ ଦୁର୍ନୀତି ହୋଇଥିବା ନେଇ ଏସ୍‌ଆରସି ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି କରିଥିଲେ।

ସମ୍ବନ୍ଧିତ ଖବର