ଆଉ ୧୦ ଦିନ ବାକି: ଉପନିର୍ବାଚନ ପାଇଁ ଘମାଘୋଟ ପ୍ରଚାର, ପିପିଲିରେ ହେଭିୱେଟ୍‌ଙ୍କ ଭିଡ଼

ପୁରୀ: ପିପିଲି ଉପନିର୍ବାଚନ ଯେତେ ପାଖେଇ ଆସୁଛି, ନିର୍ବାଚନୀ ଉଷ୍ମତା ସେତେ ଜୋର୍‌ ଧରିବାରେ ଲାଗିଛି। ଗାଁଠୁ ସହର ସବୁଠି ଗୋଟିଏ ଚର୍ଚ୍ଚା, କିଏ ଦଖଲ କରିବ ପିପିଲିର ବିଜେଡି ଗଡ଼? ହାତୀ କାହା ମୁଣ୍ଡରେ ଢାଳିବ ସୁନା କଳସ? ରାଜ୍ୟସ୍ତରରେ ବି ଏହାକୁ ନେଇ ସମୀକ୍ଷା ସହ ଅଙ୍କକଷା ଚାଲିଛି।‌ ସେପଟେ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ବିଭିନ୍ନ ରାଜନୈତିକ ଦଳମାନେ ବିଜେଡିର ଏହି ଗଡ଼ ଦଖଲ ପାଇଁ କଳ, ବଳ ଓ କୌଶଳ ଲଗାଇ ଦେଇଛନ୍ତି। ବିଜେଡି ଓ ବିଜେପି ଏଥିପାଇଁ ହେଭିୱେଟ୍‌ ନେତାଙ୍କୁ ନିର୍ବାଚନୀ ମୈଦାନକୁ ଆଣିଛି। ଗାଁ ଗାଁରେ ଏହି ନେତାମାନ ଛାଇଗଲେଣି। କିନ୍ତୁ କଂଗ୍ରେସ ଏଥିରେ ବହୁ ପଛରେ ପଡ଼ିଛି। ଆଜି ସୁଦ୍ଧା କଂଗ୍ରେସର କୌଣସି ବରିଷ୍ଠ ନେତାଙ୍କୁ ନିର୍ବାଚନୀ ପ୍ରଚାରେ ଦେଖିବାକୁ ମିଳିଛି। ଅଜିତ ଏକାକି ନିର୍ବାଚନୀ ପ୍ରଚାରରେ ଲାଗିଛନ୍ତି।

ଉପନିର୍ବାଚନକୁ ଆଉ ୧୦ ଦିନ ବାକିଥିବାବେଳେ ଗାଁଗାଁରେ ଲୋକଙ୍କୁ ଭୋଟ୍‌ଭିକ୍ଷା କରିବାରେ ଲାଗିଛନ୍ତି ଉଭୟ ଦଳର ପ୍ରାର୍ଥୀମାନେ। ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପଙ୍କ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ, ପ୍ରଣବ ବଳବନ୍ତରାୟ, ମହେଶ୍ବର ମହାନ୍ତି, ସଂଜୟ ଦାସବର୍ମା, ବ୍ୟୋମକେଶ ରାୟ, ସୁଶାନ୍ତ ସିଂ, ନବ ଦାସ ପ୍ରମୁଖ ପିପିଲିରେ ଡେରା ପକାଇଛନ୍ତି। ବିଜେଡିର ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି। ଦଳର ଯୁବଗୋଷ୍ଠୀ ଏବେ ୱାର୍ଡ଼ୱାରି ଗାଁଗାଁରେ ପଶି ସଂଗଠନକୁ ସୁଦୃଢ଼ କରିବାରେ ଲାଗି ପଡ଼ିଛନ୍ତି। ମତଦାତାଙ୍କୁ ନିଜ ସପକ୍ଷରେ ନେବାରେ କଳ, ବଳ, କୌଶଳ ଲଗାଇ ଦେଇଛନ୍ତି। ସେପଟେ ବିଜେପି ବି ହେଭିୱେଟ୍‌ ନେତାଙ୍କୁ ଧରି ନିର୍ବାଚନୀ ପ୍ରଚାରକୁ ଓହ୍ଲାଇଛି। ବିଜେପି ପ୍ରାର୍ଥୀ ଆଶ୍ରିତଙ୍କ ପାଇଁ ସହପ୍ରଭାରୀ ବିପିନ ପାଲ୍‌ ସିଂ ତୋମାର, କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ରାଷ୍ଟ୍ରୀୟ ମୁଖପାତ୍ର ଡ. ସମ୍ବିତ ପାତ୍ର, ସମୀର ମହାନ୍ତି, ଗୋଲକ ମହାପାତ୍ର, ପ୍ରଭାତୀ ପରିଡ଼ା, ପୃଥ୍ବୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର, ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଭଳି ନେତାମାନେ ପିପିଲିରେ ଡେରା ପକାଇଛନ୍ତି। କେଉଁଠି ପଖାଳ ଭାତ ଖାଉଛନ୍ତି ତ କାହା ଚାଳଛପର ଘର ବାରଣ୍ଡାରେ ବସି ବିକାଶକୁ ଅସ୍ତ୍ର କରି ଫଟୋ ସୁଟ୍‌ କରୁଛନ୍ତି। ବିଜେଡି ଓ ବିଜେପି ଭିତରେ ସତେ ଯେପରି ହେଭିୱେଟ୍‌ ପ୍ରଚାରକୁ ନେଇ ବଳ କଷାକଷି ଚାଲିଛି।

ବିଜେଡି ଓ ବିଜେପି ପ୍ରଚାରକୁ ଜୋରଦାର କରିଥିବାବେଳେ କଂଗ୍ରେସ କିନ୍ତୁ ଏଥିରେ ବହୁ ପଛରେ ପଡ଼ିଛି। ଆଜି ପର୍ଯ୍ୟନ୍ତ କେହି ବି ରାଜ୍ୟ ନେତୃବୃନ୍ଦ କଂଗ୍ରେସ ପ୍ରାର୍ଥୀ ଅଜିତଙ୍କ ପାଇଁ ପ୍ରଚାରକୁ ଓହ୍ଲାଇନାହାନ୍ତି। କୌଣସି ବଡ଼ ମୁଣ୍ଡଙ୍କୁ କଂଗ୍ରେସ ପ୍ରଚାରରେ ଦେଖିବାକୁ ମିଳୁନି। ଯାହାଫଳରେ ପୁଣିଥରେ କଂଗ୍ରେସ ପଛରେ ପଡ଼ିଯିବା ନେଇ ଆଶଙ୍କା ପ୍ରକଟ ହେଲାଣି। କାରଣ ଏକାକି ଅଜିତ ଗାଁଗାଁ ବୁଲି ଭୋଟ୍‌ଭିକ୍ଷା କରୁଛନ୍ତି। ସାଙ୍ଗରେ କେବଳ ଜିଲ୍ଲାସ୍ତରରେ ନେତାମାନେ ସାମିଲ୍‌ ହେଉଛନ୍ତି। ଏଭଳି ସ୍ଥିତିରେ ଯେଉଁ ତ୍ରିମୁଖୀ ଲଢ଼େଇ ନେଇ ଅଜିତ ଦମ୍ଭୋକ୍ତି ଦେଖାଉଥିଲେ, ତାହା ଫିକା ପଡ଼ିବା ଆଶଙ୍କା ଜାତ ହେଲାଣି। ଆଗାମୀ ନିର୍ବାଚନ କାହା ପାଇଁ କି ଫଳ ଆଣିବ, ତାହା କେବଳ ଦେଖିବାକୁ ବାକି ରହିଛି।

ସମ୍ବନ୍ଧିତ ଖବର