ଆଜି ଆଉ ୧୬ଜଣଙ୍କ ମୃତ୍ୟୁ, ରାଜ୍ୟରେ କରୋନାଜନିତ ମୃତକଙ୍କ ସଂଖ୍ୟା ୮୧୩କୁ ବୃଦ୍ଧି

ଭୁବନେଶ୍ବର: କରୋନାରେ ପୁଣି ୧୬ଜଣଙ୍କ ମୃତ୍ୟୁ ଘଟିଛି।  ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୧୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଆଜି ଯେଉଁ ୧୬ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି, ସେଥିମଧ୍ୟରେ ବାଲେଶ୍ବରରୁ ୩ଜଣ, ଭୁବନେଶ୍ବରରୁ ୨ଜଣ, ମୟୁରଭଞ୍ଜରୁ ୨ଜଣ, ପୁରୀରୁ ୨ଜଣ ଏବଂ ବଲାଙ୍ଗୀର, କଟକ,ଢ଼େଙ୍ଗାନାଳ, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ବାଲେଶ୍ବରରୁ ମୃତ୍ୟୁବରଣ କରିଥିବା ୩ଜଣଙ୍କ ମଧ୍ୟରେ ୨ଜଣ ପୁରୁଷ(୫୫ବର୍ଷ, ୬୩ବର୍ଷ) ଏବଂ ଜଣେ ମହିଳା(୬୫ବର୍ଷ)ଥିବା ଜଣା ପଡ଼ିଛି। ମୃତ ୨ଜଣ ପୁରୁଷଙ୍କ ମଧ୍ୟରୁ ଜଣଙ୍କର ମଧୁମେହ ଏବଂ ଉଚ୍ଚ ରକ୍ତଚାପ‌ର ସମସ୍ୟା ଥିବା ବେଳେ ଜଣଙ୍କର କେବଳ ଉଚ୍ଚ ରକ୍ତଚାପର ସମସ୍ୟା ଥିଲା। ଭୁବନେଶ୍ବରରୁ ମୃତ୍ୟୁବରଣ କରିଥିବା ୨ଜଣ କରୋନା ରୋଗୀଙ୍କ ମଧ୍ୟରୁ ଜଣେ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ପୋଷ୍ଟ କରୋନାରୀ ଧମନୀ ବାଇପାସ୍ ଗ୍ରାଫ୍ଟିଙ୍ଗ୍ ସ୍ଥିତି ସମସ୍ୟାରେ ପୀଡ଼ିତ ଥିବା ବେଳେ ଅନ୍ୟ ଜଣଙ୍କର ମଧୁମେହ ଏବଂ ଉଚ୍ଚ ରକ୍ତଚାପ‌ର ସମସ୍ୟା ଥିଲା। ସେହିଭଳି ଢ଼େଙ୍ଗନାଳ ଓ ଗଞ୍ଜାମରୁ ମୃତ୍ୟୁବରଣ କରିଥିବା କରୋନା ଆକ୍ରାନ୍ତ ମଧୁମେହ ରୋଗରେ ପୀଡ଼ିତ ଥିବା ବେଳେ କନ୍ଧମାଳରୁ ମୃତ୍ୟୁବରଣ କରିଥିବା କରୋନା ଆକ୍ରାନ୍ତଙ୍କର ମଧୁମେହ ଏବଂ ଉଚ୍ଚ ରକ୍ତଚାପ‌ ସମସ୍ୟା ଏବଂ ନବରଙ୍ଗପୁରରୁ ମୃତ୍ୟୁବରଣ କରିଥିବା କରୋନା ଆକ୍ରାନ୍ତଙ୍କର କ୍ରୋନିକ୍ କିଡନୀ ରୋଗ ଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଆଜି ରାଜ୍ୟରେ ୩୨୩୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୯୧୫ ଓ ସ୍ଥାନୀୟ ଅଞ୍ଚଳରୁ ୧୩୨୦ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୧୨ ହଜାର ୬୦୯କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର