ଆଜି ବିଳମ୍ବିତ ମଧ୍ୟରାତ୍ର କିମ୍ବା ପାହାନ୍ତା ପହରକୁ ଗୋପାଳପୁର ଉପକୂଳ ଅତିକ୍ରମ କରିବ ସାମୁଦ୍ରିକ ଝଡ଼; ପ୍ରଭାବିତ ହେବ ରାଜ୍ୟର ୫ଟି ଜିଲ୍ଲା

ଭୁବନେଶ୍ୱର: ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅଧିକ ଘନୀଭୂତ ହୋଇ ଡିପ୍‌ ଡିପ୍ରେସନରେ ପରିଣତ ହୋଇଛି। ଏହା ବର୍ତ୍ତମାନ ଗୋପାଳପୁର ଉପକୂଳ ଠାରୁ ପ୍ରାୟ ୨୫୦ କିଲୋମିଟର ଦୂରରେ ରହିଛି। ଏବଂ ବଙ୍ଗୋପସାଗରର ଦକ୍ଷିଣ ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଗୋପାଳପୁର ଉପକୂଳ ଆଡ଼କୁ ମୁହାଁଇଛି। ଗୋପାଳପୁର ଉପକୂଳ ଛୁଇଁବା ବେଳକୁ ଲଘୁଚାପଟି (ସାଇକ୍ଲୋନିକ ଷ୍ଟର୍ମ) ସମାମୁଦ୍ରିକ ଝଡ଼ରେ ରୂପାନ୍ତରିତ ହୋଇ ଆଜି ବିଳମ୍ବିତ ମଧ୍ୟରାତ୍ରରୁ ପାହାନ୍ତା ପହର ମଧ୍ୟରେ ଗୋପାଳପୁର ଉପକୂଳ ଦେଇ ସ୍ଥଳଭାଗକୁ ପ୍ରବେଶ କରିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)।


ଏହି ସାମୁଦ୍ରିକ ଝଡ଼ର ପ୍ରଭାବରେ ରାଜ୍ୟର ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ ପ୍ରଭୃତି ପାଞ୍ଚଟି ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଥିବା ଆକଳନ କରିଛି ପାଣିପାଗ ବିଭାଗ। ଏହି ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ବେଗରେ ପବନ ବୋହିବାର ମଧ୍ୟ ସମ୍ଭାବନା ରହିଥିବା ପାଣିପାଗ ବିଭାଗ ଆକଳନ କରିଛି। ତେବେ, ଏହାର ପ୍ରଭାବରେ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗିର, ବୌଦ, ସୋନପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ଓ କେନ୍ଦୁଝର ପ୍ରଭୃତି ଜିଲ୍ଲାରେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ମଧ୍ୟ କହିଛି ପାଣିପାଗ ବିଭାଗ।

ସମ୍ବନ୍ଧିତ ଖବର