ଆତ୍ମହତ୍ୟା: ଭଡ଼ାଘରେ ବେକରେ ଫାଶ ଲଗାଇଲେ କନିଷ୍ଠଯନ୍ତ୍ରୀ, ନମ୍ବର କମ ମିଳିବାରୁ ଜୀବନ ହାରିଲେ ଦଶମ ଶ୍ରେଣୀ ଛାତ୍ର
ଝୁଲନ୍ତା ଅବସ୍ଥାରେ ଫ୍ୟାନ୍ରୁ ମୃତଦେହ ଉଦ୍ଧାର
ଦଶପଲ୍ଲା/ବ୍ରହ୍ମପୁର: ନୟାଗଡ଼ ଜିଲ୍ଲାର ଦଶପଲ୍ଲାରେ ଜଣେ କନିଷ୍ଠଯନ୍ତ୍ରୀ ବୁଧବାର ବେକରେ ଫାଶ ଲଗାଇ ଆତ୍ମହତ୍ୟା କରିଥିବା ବେଳେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ ଜଣେ ଦଶମ ଶ୍ରେଣୀ ଛାତ୍ର ମାସିକ ପରୀକ୍ଷାରେ ନମ୍ବର କମ୍ ଆସିବାରୁ ଜୀବନ ହାରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ଦଶପଲ୍ଲା ବିଦ୍ୟୁତ୍ କାର୍ଯ୍ୟାଳୟ (ଫିଡକୋ)ରେ କାର୍ଯ୍ୟରତ କନିଷ୍ଠଯନ୍ତ୍ରୀ ଦେବଦତ ସ୍ୱାଇଁ ରହୁଥିବା ଭଡାଘରେ ବେକରେ ଫାଶ ଆତ୍ମହତ୍ୟା କରିଛନ୍ତି। ଅପରାହ୍ନରେ ମାଜିଷ୍ଟ୍ରେଟ୍ ତଥା ତହସିଲଦାରଙ୍କ ଉପସ୍ଥିତିରେ ମୃତଦେହ ଜବତ କରାଯାଇଛ। ଦେବଦତ ଏବଂ ଉକ୍ତ କାର୍ଯ୍ୟାଳୟରେ କାର୍ଯ୍ୟରତ ଟେକ୍ନିସିଆନ୍ ଦେବେନ୍ଦ୍ର ସାହୁ ବାରପୁରିକିଆ ସ୍କୁଲ ସମ୍ମୁଖରେ ଏକ ଘର ଭଡା ନେଇ ଛାତ ଉପରେ ରହି ଆସୁଥିଲେ।
ବ୍ରହ୍ମପୁରସ୍ଥିତ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗଜପତିନଗର ଅଞ୍ଚଳରେ ଜଣେ ଦଶମ ଶ୍ରେଣୀ ଛାତ୍ର ଏକ ଘରୋଇ ବିଦ୍ୟାଳୟରେ ପଢୁଥିଲେ। ସେ ଆଜି ଘରେ ଏକୁଟିଆ ଥିଲେ। ସନ୍ଧ୍ୟା ସମୟରେ ବାପା ଘରକୁ ଫେରିବା ବେଳକୁ ପୁଅ ପଙ୍ଖାରେ ଝୁଲୁଥିବା ଦେଖିଥିଲେ। ପଡୋଶୀଙ୍କ ସହାୟତାରେ ନାବାଳକକୁ ଉଦ୍ଧାର କରି ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ନାବାଳକକୁ ଡାକ୍ତର ମୃତ ଘୋଷଣା କରିଥିଲେ।
ଆଜି ସକାଳ ପ୍ରାୟ ୯ଟା ସମୟରେ ଟେକ୍ନିସିଆନ୍ ଶ୍ରୀ ସାହୁ କଥା ହୋଇ ଘରୁ ବାହାରି ଆସିଥିଲେ। ଏହାପରେ ପୂର୍ବାହ୍ନ ପ୍ରାୟ ସାଢେ ୧୧ଟା ପର୍ଯ୍ୟନ୍ତ ଦେବଦତ କାର୍ଯ୍ୟାଳୟକୁ ନ ଆସିବା ଦ୍ୱାରା ସାଥି କର୍ମଚାରୀମାନେ ବାରମ୍ବାର ଫୋନ କରିଥିଲେ। ସେ ଫୋନ ଗ୍ରହଣ ନକରିବାରୁ ରୁମ୍ମେଟ୍ ଏବଂ ସାଥି କର୍ମଚାରୀ ଘରକୁ ଯାଇ ଦେଖିବା ବେଳକୁ ଘରର କବାଟ ଦେଇ ସେ ଭିତରେ ଥିବା ଜଣାପଡିଥିଲା। ସ୍ଲାଏଲାଇଟ୍ ମାଧ୍ୟରେ ଦେଖିବା ବେଳକୁ ବେକରେ ଫାଶ ଲଗାଇ ସେ ଫ୍ୟାନରେ ଝୁଲୁଥିବା ଜଣାପଡିଥିଲା
ଏହାପରେ ରୁମମେଟ୍ ଶ୍ରୀ ସାହୁ ଦଶପଲ୍ଲା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏବଂ ତହସିଲଦାର ପ୍ରମୋଦ କୁମାର ଦଳବେହେରା ପହଁଚି କବାଟ ଭାଙ୍ଗିବା ସହ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହକୁ ଜବତ କରିଥିଲେ। ତାଙ୍କ ଠାରୁ ପୁଲିସ ମୋବାଇଲ ଫୋନ ସହ ଅନ୍ୟାନ୍ୟ କିଛି ସାମଗ୍ରୀ ଜବତ କରି ଘଟଣାର ତଦନ୍ତ ଚଳାଇଛି।