ଆନ୍ଧ୍ର ଓ ତେଲେଙ୍ଗାନାରେ ଫସିଛନ୍ତି ଶତାଧିକ ଶ୍ରମିକ

ମାଲକାନଗିରି: ସାରା ଭାରତରେ ଏବେ କରୋନାକୁ ନେଇ ୨୧ ଦିନ ପାଇଁ ଲକ୍‌ଡାଉନ୍ ଘୋଷଣା କରାଯାଇଛି। ଫଳରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳର ଶତାଧିକ ଲୋକ ଆନ୍ଧ୍ର ଏବଂ ତେଲେଙ୍ଗାନାରେ ଫସି ରହିଥିବା ଜଣାପଡ଼ିଛି। ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ୍ ଅନ୍ତର୍ଗତ ଏମପିଭି-୧୫ ଗ୍ରାମର ହରିଶ ମଣ୍ଡଳ, ଅଶୋକ ମଣ୍ଡଳ, କାଳିପଦ ମଣ୍ଡଳ, ନୀଳ ମଣ୍ଡଳ, ବାଦଲ ଶିକାରୀ, ମଙ୍ଗଳ ଶିକାରୀ, ସୁବାସ ପରିଡ଼ା, ନିପାଲ ରାୟ, ଡମ୍ବରୁ ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଲାର ଗାଜୁଲମାଣ୍ଡ୍ୟାମ ଗ୍ରାମରେ ଫସି ରହିଛନ୍ତି। ସେହିପରି ୭୫ରୁ ଉର୍ଦ୍ଧ୍ବ ଶ୍ରମିକ ଏବେ ହାଇଦ୍ରାବାଦରେ ଫସି ରହିଥିବା ଖବର ମିଳିଛି। ଏମାନେ ଯେଉଁ କମ୍ପାନିରେ କାମ କରୁଥିଲେ ସେହି କମ୍ପାନି ମାଲିକ ଏମାନଙ୍କୁ ବାହାର କରିଦେଇଛି। ତେଣୁ ସେମାନେ ଭୋକ ଉପାସରେ ରହିବା ସହ କିପରି ମାଲକାନଗିରି ଫେରିବେ ସେନେଇ ଚିନ୍ତାରେ ଅଛନ୍ତି। ତେବେ ଜିଲ୍ଲା ପ୍ରଶାସନ ତରଫରୁ ଏନେଇ ପଦକ୍ଷେପ ଗ୍ରହଣ କରାଯାଉଥିବା ଜିଲ୍ଲାପାଳ କହିଛନ୍ତି। ଯେଉଁ ରାଜ୍ୟରେ ଏହି ଜିଲ୍ଲାର ଲୋକ ଫସି ରହିଛନ୍ତି ସେମାନଙ୍କୁ କିପରି ଉଦ୍ଧାର କରାଯିବ ସନେଇ ପ୍ରକ୍ରିୟା ଚାଲିଥିବା ଜଣାପଡ଼ିଛି। ସେହିପରି ତେଲେଙ୍ଗାନାର ଥାକୁର ମଣ୍ଡଳର ଜୁଲୁମପାର ଅଞ୍ଚଳରେ ୧୩ ଲୋକ ଫସି ରହିଥିବା ଜଣାପଡ଼ିଛି। ହାଇଦ୍ରାବାଦରେ ଏମପିଭି-୧୬ ଗ୍ରାମର ୧୪ ଜଣ ଶ୍ରମିକ ଫସି ରହିଛନ୍ତି। ଏକ କମ୍ପାନିରେ ଏମାନେ କାମକରୁଥିଲାବେଳେ ଲକ୍‌ଡାଉନ୍ ଘୋଷଣା ହେବା ପରେ କମ୍ପାନି ମାଲିକ ଏମାନଙ୍କୁ ବାହାର କରିଦେଇଥିଲା। ଏମାନେ ଅଖିଆ ଅପିଆରେ ପଡ଼ି ରହିଥିବା ନେଇ ପୂର୍ବରୁ ଖବର ପ୍ରକାଶ ପାଇଥିଲେ ମଧ୍ୟ ଏନେଇ କି ପଦକ୍ଷେପ ନିଆଯାଇଛି ଜଣାପଡ଼ିନାହିଁ। ସେହିପରି ପଡ଼ିଆ ଅଞ୍ଚଳରେ ମହାରାଷ୍ଟ୍ରର କିଛି ଲୋକ ଫସି ରହିଥିବା ଜଣାପଡ଼ିଛି। ଏମାନେ ଛୋଟ ଛୋଟ ବ୍ୟବସାୟ କରି ପରିବାର ଚଳୁଥିଲେ। ଲକ୍‌ଡାଉନ୍ ଯୋଗୁଁ ବର୍ତ୍ତମାନ ଜିଲ୍ଲା ପ୍ରଶାସନ ସହଯୋଗ କଲେ ସେମାନେ ନିଜ ଗାଁକୁ ଫେରିଯିବେ ବୋଲି କହିଛନ୍ତି। ତେବେ ଜିଲ୍ଲା ପ୍ରଶାସନ ଏଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର