ଆସନ୍ତାକାଲି ସୁଦ୍ଧା ସମଗ୍ର ଓଡ଼ିଶାକୁ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ

ଭୁବନେଶ୍ବର : ଦକ୍ଷିଣ-ପଶ୍ଚିମ ମୌସୁମୀ ଆଜି ଓଡ଼ିଶାର ଆଉ କିଛି ଅଞ୍ଚଳକୁ ଛୁଇଁଛି । ଏହା ସହିତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିଛି ।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ଆଜି ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଓ ମୟୁରଭଞ୍ଜକୁ ଛୁଇଁଛି । ଏହା ସହିତ ମୌସୁମୀ ପୁରୀ, ଖୋର୍ଦ୍ଧା, ନୟାଗଡ଼ର ଅଧିକାଂଶ ଅଂଚଳରେ ପହଞ୍ଚିଛି । ଆଗାମୀ ୨୪ ଘଣ୍ଟାରେ ମୌସୁମୀ ସମଗ୍ର ରାଜ୍ୟକୁ ଆବୃତ କରିବ ବୋଲି ବିଭାଗ ପକ୍ଷରୁ କୁହାଯ଼ାଇଛି ।

ସର୍ବଭାରତୀୟ ସ୍ତରରେ ମୌସୁମୀ ପଶ୍ଚିମବଙ୍ଗର ଅଧିକାଂଶ ଅଞ୍ଚଳ, ବିହାର ଓ ଝାଡ଼ଖଣ୍ଡର କିଛି ଅଞ୍ଚଳରେ ପହଞ୍ଚିଛି । ଆଗାମୀ ୨୪ ଘଣ୍ଟାରେ ଏହା ସମଗ୍ର ଝାରଖଣ୍ଡ, ବିହାରକୁ ଛୁଇଁବା ସହ ଉତ୍ତରପ୍ରଦେଶର କିଛି ଅଂଶକୁ ଛୁଇଁବ ।
ଅନ୍ୟପକ୍ଷରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ନିକଟବର୍ତ୍ତୀ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ନିକଟରେ ରହିଛି । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଏହା ଆହୁରି ଚିହ୍ନିତ ହୋଇ ଓଡ଼ିଶା, ଝାରଖଣ୍ଡ ଓ ଉତ୍ତର ଛତିଶଗଡ଼ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି ।ଏହାର ପ୍ରଭାବରେ ଆସନ୍ତା ୧୬ ତାରିଖ ପର୍ୟ୍ୟନ୍ତ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ଓ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର