ଆୟୁଷ ନିର୍ଦେଶାଳୟ ଦିଗହରା : ବିନା ଅଧିକାରୀରେ ଚାଲିଛି ନିର୍ଦେଶାଳୟ

ଖାଲି ପଡ଼ିଛି ନିର୍ଦେଶକ, ଉପ-ନିର୍ଦେଶକ ଓ ଜିଲ୍ଲା ଆୟୁର୍ବେଦିକ ମେଡିକାଲ ଅଧିକାରୀ ପଦବି

ଭୁବନେଶ୍ବର : ରାଜ୍ୟ ଆୟୁଷ ନିର୍ଦେଶାଳୟ ଏବେ ଖାଁ ଖାଁ। ରାଜ୍ୟ ଅଧିକାରୀଙ୍କଠାରୁ ଆରମ୍ଭ କରି ଜିଲ୍ଲାସ୍ତରରେ ମଧ୍ୟ କୌଣସି ଅଧିକାରୀ ନାହାନ୍ତି। କାହାର ବଦଳି ହୋଇଯାଇଛି ତ ଆଉ କିଏ ଅବସର ନେଇ ସାରିଲେଣି। ମାତ୍ର ପଦ ପୂରଣ ହେଉନାହିଁ। ଏ ପରିପ୍ରେକ୍ଷୀରେ ରାଜ୍ୟରେ ଥିବା ହଜାର ହଜାର ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ଡିସ୍‌ପେନସାରିଗୁଡ଼ିକର ଅବସ୍ଥା ଶୋଚନୀୟ ହେବାକୁ ବସିଲାଣି। ଗତମାସ ୨୨ ତାରିଖରେ ସ୍ବାସ୍ଥ୍ୟ ସଚିବ ଆୟୁଷ ନିର୍ଦେଶକ ପଦବି ପୂରଣ ପାଇଁ ଚିଠି ଲେଖି ସାରିଛନ୍ତି। ନିକଟରେ ଓଏଏସ୍‌ ସ୍ତରରେ ଅଦଳବଦଳ ହୋଇଛି। ମାତ୍ର କାହାକୁ ଆୟୁଷ ନିର୍ଦେଶକ ଦାୟିତ୍ବ ଦିଆଯାଇନାହିଁ।

ସୂଚନା ଅନୁସାରେ, ୫ ମାସ ତଳେ ରାଜ୍ୟ ଆୟୁଷ ନିର୍ଦେଶକ ଥିବା ଅଶ୍ବିନୀ ମିଶ୍ରଙ୍କ ଅନ୍ୟତ୍ର ବଦଳି ହୋଇଯାଇଛି। ସ୍ବାସ୍ଥ୍ୟସେବା ନିର୍ଦେଶକଙ୍କୁ ଆୟୁଷ ନିର୍ଦେଶାଳୟର ଅତିରିକ୍ତ ଦାୟିତ୍ବ ଦିଆଯାଇଥିଲା। କିନ୍ତୁ ସ୍ବାସ୍ଥ୍ୟସେବା ନିର୍ଦେଶକ ମଧ୍ୟ ନିକଟରେ ଅବସର ନେଇ ସାରିଛନ୍ତି। ଏହାସହ ନିର୍ଦେଶାଳୟର ଉପ-ନିର୍ଦେଶକ ଅକ୍ଟୋବର ମାସରେ ଅବସର ଗ୍ରହଣ କରିଛନ୍ତି। ଏଭଳି ପରିସ୍ଥିତିରେ ନିର୍ଦେଶାଳୟ ଉପରିସ୍ଥ ଅଧିକାରୀ ପଦ ସଂପୂର୍ଣ୍ଣ ଖାଲି ରହିଛି। ଅପରପକ୍ଷରେ ଜିଲ୍ଲା ଆୟୁର୍ବେଦିକ ମେଡିକାଲ ଅଧିକାରୀ ବା ଡିଏଏମ୍‌ଓରେ ମଧ୍ୟ ଅଚଳାବସ୍ଥା ଦେଖିବାକୁ ମିଳିଛି। ଢେଙ୍କାନାଳ, ସମ୍ବଲପୁର, ବଲାଙ୍ଗୀର, ଭବାନୀପାଟଣା, ଭୁବନେଶ୍ବର, କଟକ, ବାଲେଶ୍ବର, ଯାଜପୁର, ଗଞ୍ଜାମ, ରାୟଗଡ଼ା, ବାରିପଦା, କେନ୍ଦୁଝର, ଫୁଲବାଣୀ ଓ ବରଗଡ଼ ଜିଲ୍ଲାରେ ଡିଏଏଏମ୍‌ଓ ପଦ ଖାଲି ରହିଛି। ସୁନ୍ଦରଗଡ଼ ଜିଲ୍ଲାର ଡିଏଏମ୍‌ଓ ଚଳିତ ମାସରେ ଅବସର ଗ୍ରହଣ କରିବେ। ଫଳରେ ୧୫ଜିଲ୍ଲା ଡିଏଏମ୍‌ଓ ପଦ ସଂପୂର୍ଣ୍ଣ ଖାଲି ହୋଇଯିବ। ସେହିପରି ଜିଲ୍ଲା‌ ହୋମିଓପ୍ୟାଥିକ ମେଡିକାଲ ଅଧିକାରୀ ବା ଡିଏଚ୍‌ଏମ୍‌ଓ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଏହାର ଅଧିକାଂଶ ଜିଲ୍ଲାରେ ମେଡିକାଲ ଅଧିକାରୀ ନାହାନ୍ତି।

ରାଜ୍ୟରେ ଏବେ ୬୨୦ ଆୟୁର୍ବେଦିକ, ୫୯୦ ହୋମିଓପ୍ୟାଥିକ ଡିସ୍‌ପେନସାରି ସମେତ ମେଡିକାଲ କଲେଜ ରହିଛି। ଏଥିରେ କାର୍ଯ୍ୟରତ ଡାକ୍ତର, ସହକାରୀ କର୍ମଚାରୀଙ୍କୁ କିଏ ତଦାରଖ କରିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅପରପକ୍ଷରେ ରାଜ୍ୟରେ ଆୟୁଷ ମିସନ୍ କାର୍ଯ୍ୟକାରୀ ହୋଇଛି। ଏହା ଅଧୀନରେ ନୂତନ ହସ୍ପିଟାଲ ଖୋଲିବା ସାଙ୍ଗକୁ ଆୟୁଷ ଗ୍ରାମ, ଆୟୁଷ ୱେଲନେସ୍‌ କେନ୍ଦ୍ର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରାଯାଉଛି। ମାତ୍ର ନିର୍ଦେଶାଳୟରେ ଅଧିକାରୀ ପଦ ଖାଲି ହୋଇଯାଇଥିବା ବେଳେ ଏବେ କିଏ ଏହାର ତଦାରଖ କରିବ, ତାହାକୁ ନେଇ ପ୍ରଶ୍ନ ଉଠିଲାଣି। ବିଗତ କିଛି ବର୍ଷ ଧରି ଡିସ୍‌ପେନସାରିଗୁଡ଼ିକ ଆୟୁଷ ଔଷଧ ଦିଆଯାଉନାହିଁ।

ତୃଣମୂଳସ୍ତରରେ ଚିକିତ୍ସା କରୁଥିବା ଡାକ୍ତର ଏଥିପାଇଁ ରୋଗୀଙ୍କୁ ସାମ୍ନା କରିବାକୁ ପଛଘୁଞ୍ଚା ଦେଉଛନ୍ତି। ଔଷଧ ପାଇଁ ନିର୍ଦେଶାଳୟରେ ପ୍ରାୟ ୩୪କୋଟି ଟଙ୍କା ରହିଥିବା ବେଳେ ଔଷଧ କିଣିବା ପାଇଁ ନିୟମିତ ଟେଣ୍ଡର୍‌ ନ ହୋଇପାରିବା କାରଣରୁ ଏଭଳି ଅଚଳାବସ୍ଥା ସୃଷ୍ଟି ହୋଇଛି। ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବଭାରତୀୟ ଆୟୁର୍ବେଦିକ ପ୍ରତିଷ୍ଠାନ ଖୋଲିବା ପାଇଁ ଘୋଷଣା ହୋଇଛି। ମାତ୍ର ରାଜ୍ୟ ଆୟୁଷ ନିର୍ଦେଶାଳୟର ଆନ୍ତରିକତା ଅଭାବରୁ ଓଡ଼ିଶାରେ ଏଭଳି ଜାତୀୟସ୍ତରରେ ପ୍ରତିଷ୍ଠାନ ଖୋଲିବା ପାଇଁ ପ୍ରସ୍ତାବ ମଧ୍ୟ ଦିଆଯାଇ ନାହିଁ। ସ୍ବାସ୍ଥ୍ୟ ବିଭାଗ ମଧ୍ୟ ରାଜ୍ୟରେ ଆୟୁଷର ପ୍ରଚାରପ୍ରସାର ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁନଥିବା ସାଧାରଣରେ ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର