ଆୟ ବହିର୍ଭୁତ ମାମଲା:ବଲାଙ୍ଗୀର ସିଏସ୍‌ଓଙ୍କୁ ଉଠାଇ ନେଲା ମୟୁରଭଞ୍ଜ ଭିଜିଲାନ୍ସ

ଟେର ପାଇଲାନି ସ୍ଥାନୀୟ ପୁଲିସ

ବଲାଙ୍ଗୀର: ତିନି ମାସ ତଳେ ବଲାଙ୍ଗୀର ଭିଜିଲାନ୍ସ ସହାୟତାରେ ମୟୁରଭଞ୍ଜ ଭିଜିଲାନ୍ସ ଟିମ୍‌ ଆୟ ବହିର୍ଭୁତ ସଂପତ୍ତି ଠୁଳ ମାମଲାରେ ବଲାଙ୍ଗୀର ଜିଲ୍ଲା ଯୋଗାଣ ଅଧିକାରୀ(ସିଏସ୍‌ଓ) ରଞ୍ଜନ ସେଠଙ୍କ ଘରେ ଚଢ଼ଉ କରିଥିଲା। ସେତେବେଳେ ଯୋଗାଣ ଅଧିକାରୀ ଶ୍ରୀ ସେଠଙ୍କୁ ଗିରଫ କରି ନଥିଲା ଭିଜିଲାନ୍ସ। ଘଟଣାର ତିନି ମାସ ପରେ ମଂଗଳବାର ମୟୁରଭଞ୍ଜର ଭିଜିଲାନ୍ସ ଅଧିକାରୀମାନେ ସିଏସ୍‌ଓଙ୍କୁ ତାଙ୍କ ସରକାରୀ ବାସଭବନରୁ ଉଠାଇ ନେଇଛନ୍ତି। ତେବେ, ଏନେଇ ସ୍ଥାନୀୟ ଭିଜିଲାନ୍ସ ଅଧିକାରୀମାନେ ସାମାନ୍ୟ ସୁରାକ ପାଇ ନାହାନ୍ତି।

ମୟୁରଭଞ୍ଜ ଜିଲ୍ଲା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ବଲାଙ୍ଗୀର ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ସେଠ ଆୟ ବହିର୍ଭୁତ ସଂପତ୍ତି ଠୁଳ କରିଥିବା ନେଇ ୨୦୧୭ରେ ୫୭ ନମ୍ବର ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ବଲାଙ୍ଗୀର ଓ ମୟୁରଭଞ୍ଜ ଭିଜିଲାନ୍ସ ଟିମ୍‌ର ଅଧିକାରୀମାନେ ଗତ ଅଗଷ୍ଟ ୫ ତାରିଖରେ ଶ୍ରୀ ସେଠଙ୍କ ବଲାଙ୍ଗୀର ସରକାରୀ ଘର, ଅଫିସ୍‌, ବରଗଡ ରାଣୀବନ୍ଧପଡ଼ାରେ ଥିବା ନିଜ ଘର ଓ ଶ୍ୱଶୁର ଘର, ସମ୍ବଲପୁର ପଧାନପଡ଼ାରେ ଥିବା ତିନି ମହଲା ଘର ଓ ଭୁବନେଶ୍ୱର-କଟକ ସ୍ଥିତ ପୁରୀ କେନାଲ ରୋଡର ଆପାର୍ଟମେଣ୍ଟରେ ଚଢଉ କରିଥିଲେ। ଏହି ଚଢଉରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିଲେ।

୨୦୦୯ ମେ’ରେ ବଲାଙ୍ଗୀରରେ କାର୍ଯ୍ୟରତ ଥିବା ବେଳେ ଶ୍ରୀ ସେଠଙ୍କୁ ଆୟ ବହିର୍ଭୁତ ମାମଲାରେ ଥରେ ଭିଜିଲାନ୍ସ ଗିରଫ କରିଥିଲା। ୨୦୦୯ ଭିଜିଲାନ୍ସ ଚଢଉ ପରେ ୨୦୧୭ ଯାଏ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ସେଠୀ କରିଥିବା ସଂପତ୍ତିର ଆକଳନ କରାଯାଇଥିଲା। ବରଗଡରେ ୪ଟି ଜମି, ସମ୍ବଲପୁରରେ ଗୋଟିଏ ଓ ଭୁବନେଶ୍ୱରରେ ୨ଟି ଜମି ଥିବା ଜଣାପଡିଥିଲା। ୭ଟି ଜମିର ମୂଲ୍ୟ ୪୦ ଲକ୍ଷ ୭ହଜାର ଟଙ୍କା। ପୁରୀ କେନାଲ ରୋଡ୍‌ରେ ଥିବା ଘରର ମୂଲ୍ୟ ୨୪ଲକ୍ଷ ୯୭ ହଜାର ଟଙ୍କା, ସମ୍ବଲପୁର ପଧାନ ପଡ଼ାରେ ଥିବା ତିନି ମହଲା ଘରର ମୂଲ୍ୟ ୩୦ ଲକ୍ଷ, ନଗଦ ୧ଲକ୍ଷ ୧୫ ହଜାର ଟଙ୍କା, ୧ଲକ୍ଷ ୩୦ହଜାର ଟଙ୍କାର ସୁନାଗହଣା, ୧୨ଲକ୍ଷ ୫୫ ହଜାର ଟଙ୍କାର ବୀମା, ୬୩ ହଜାର ଟଙ୍କାର ଗାଡି, ବ୍ୟାଙ୍କରେ ୧୨ ଲକ୍ଷ ଟଙ୍କା ଜମା, ୩ଲକ୍ଷ ୮୫ ହଜାର ଟଙ୍କାର ଘରୋଇ ଆସବାବପତ୍ର ଆଦି ରହିଥିବା ଜଣାପଡିଥିଲା। ଏଭଳି ୧କୋଟି ୨୬ ଲକ୍ଷ ୫୭ ହଜାର ଟଙ୍କାର ସଂପତ୍ତି ଶ୍ରୀ ସେଠଙ୍କର ରହିଥିବା ଜଣାପଡିଥିଲା। ମଙ୍ଗଳବାର ଭିଜିଲାନ୍ସ ଟିମ୍‌ ବଲାଙ୍ଗୀରରେ ପହଞ୍ଚି ସିଏସ୍‌ଓ ଶ୍ରୀ ସେଠଙ୍କୁ ସରକାରୀ ବାସଭବନରୁ ଗିରଫ କରିଥିଲେ। ବର୍ତ୍ତମାନ ବଲାଙ୍ଗୀର ଜିଲ୍ଲାରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି। ଏଭଳି ସମୟରେ ସିଏସ୍‌ଓ ଶ୍ରୀ ସେଠଙ୍କ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର