ଏସ୍‌ଏ-୧ ପରୀକ୍ଷା ପାଇଁ ବୋର୍ଡର ଗାଇଡ୍‌ଲାଇନ୍: ଏସ୍‌ଏ-୧ ପରୀକ୍ଷା ପାଇଁ ବୋର୍ଡର ଗାଇଡ୍‌ଲାଇନ୍

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ନବମ ଓ ଦଶମ ଶ୍ରେଣୀର ପ୍ରଥମ ସମେଟିଭ୍ ଆସେସ୍‌ମେଣ୍ଟ(ଏସ୍‌ଏ-୧) ପାଇଁ କାର୍ଯ୍ୟସୂଚୀ ସମେତ ପରୀକ୍ଷା ସଂକ୍ରାନ୍ତୀୟ ସମସ୍ତ ଗାଇଡ୍‌ଲାଇନ୍ ବୋର୍ଡ ୱେବ୍‌ସାଇଟ୍‌ରେ ପ୍ରକାଶ ପାଇଛି। ନବମ ‌ଶ୍ରେଣୀ ଏସ୍‌ଏ-୧ ପରୀକ୍ଷା ନଭେମ୍ବର ୨୬ତାରିଖ ଶୁକ୍ରବାରଠାରୁ ଆରମ୍ଭ ହୋଇ ୨୯ତାରିଖ ସୋମବାର ଦିନ ଶେଷ ହେବ।

ନବମ ଛାତ୍ରଛାତ୍ରୀ ଏହ‌ି ପରୀକ୍ଷା ନିଜ ନିଜ ସ୍କୁଲରେ ଦୁଇଟି ସିଟିଂରେ ଦେବେ। ପ୍ରଥମ ସିଟିଂ ସକାଳ ୯ଟାରୁ ୧୦ଟା ଓ ଦ୍ବିତୀୟ ସିଟିଂ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପ୍ରତି ବିଷୟରେ ମୋଟ ୪୦ନମ୍ବର ସଂକ୍ଷିପ୍ତ(୧ନମ୍ବର ବିଶିଷ୍ଟ ଅବ୍‌ଜେକ୍ଟିଭ୍ ପ୍ରଶ୍ନ) ପଡ଼ିବ ଓ ଏହାର ଉତ୍ତର ଓଏମ୍ଆର୍‌ ଫର୍ଦ୍ଦରେ ପୂରଣ କରିବାକୁ ହେବ।
ବୋର୍ଡ ଜାରି କରିଥିବା ଗାଇଡ୍‌ଲାଇନ୍‌ ଅନୁସାରେ, ସକାଳ ୮ଟାରେ ପିଲାମାନେ ‌ବିଦ୍ୟାଳୟ ହତାକୁ ପ୍ରବେଶ କରିବେ, ୮ଟା ୩୦ରେ ଷ୍ଟ୍ରଙ୍ଗ୍‌ରୁମ୍‌ରେ ପ୍ରଶ୍ନପତ୍ର ବାହାର କରାଯିବ, ୮ଟା ୪୦ରେ ପ୍ରଶ୍ନପତ୍ର ବିଭିନ୍ନ ଶ୍ରେଣୀଗୃହକୁ ପଠାଯିବ, ୮ଟା ୫୦ ମିନିଟ୍‌ରେ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ବଣ୍ଟନ କରାଯିବ ଓ ୯ଟାରେ ପରୀକ୍ଷା ଆରମ୍ଭ ହୋଇ ୧୦ଟାରେ ଖାତା ସଂଗ୍ରହ କରାଯିବ। ସକାଳ ୧୦ଟା ୨୦ରେ ପ୍ରଥମ ସିଟିଂର ଉତ୍ତରଖାତା ପ୍ୟାକେଟ୍‌ ଦ୍ବାରା ବନ୍ଦ କରାଯିବ। ସେହିପରି ଦିନ ୧୨ଟା ୨୦ରେ ଦ୍ବିତୀୟ ସିଟିଂ ଉତ୍ତରଖାତା ପ୍ୟାକେଟ୍‌ରେ ବନ୍ଦ କରାଯିବ। ଅପରାହ୍‌ଣ ୧ଟା ୩୦ରେ ଉଭୟ ଉତ୍ତରଖାତାକୁ ନ୍ୟୁଟ୍ରାଲ୍ ସ୍କୁଲକୁ ପଠାଯିବ। ନଭେମ୍ବର ୨୯ତାରିଖରୁ ନବମ ଏସ୍‌ଏ-୧ର ମୂଲ୍ୟାୟନ ଆରମ୍ଭ ହୋଇ ଡିସେମ୍ବର ୬ତାରିଖରେ ମୂଲ୍ୟାୟନ ସଂପୂର୍ଣ୍ଣ କରି ସମସ୍ତ ଉତ୍ତର ଖାତାକୁ ବିଦ୍ୟାଳୟକୁ ପଠାଯିବ। ଡିସେମ୍ବର ୮ତାରିଖ ମଧ୍ୟରେ ତ୍ରୁଟି ସଂଶୋଧନ କରାଯାଇ ଡିସେମ୍ବର ୨୦ତାରିଖ ମଧ୍ୟରେ ପିଲାଙ୍କ ନମ୍ବର ଅନ୍‌ଲାଇନ୍‌ରେ ଅପ୍‌ଲୋଡ କରାଯିବ।

ସେହିପରି ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଏସ୍‌ଏ-୧ ପରୀକ୍ଷା ଡିସେମ୍ବର ୨୭ରୁ ଆରମ୍ଭ ହୋଇ ଡିସେମ୍ବର ୩୦ତାରିଖରେ ଶେଷ ହେବ। ପିଲାମାନେ ନିଜ ବିଦ୍ୟାଳୟରେ ଦୁଇଟି ସିଟିଂରେ ଏହି ପରୀକ୍ଷା ଦେବେ। ପ୍ରତି ବିଷୟରେ ମୋଟ ୪୦ନମ୍ବର ଅବ୍‌ଜେକ୍ଟିଭ୍ ପ୍ରଶ୍ନ(୧ନମ୍ବର ବିଶି‌ଷ୍ଟ) ଆସିବ ଓ ଏହାର ଉତ୍ତର ଓଏମ୍ଆର୍‌ ଫର୍ଦ୍ଦରେ ଦେବାକୁ ବୋର୍ଡ ପକ୍ଷରୁ ସୂଚନା ‌ଦିଆଯାଇଛି।

ପ୍ରଥମ ସିଟିଂ ପରୀକ୍ଷା ସକାଳ ୧୦ଟାରୁ ୧୧ଟା ଓ ଦ୍ବିତୀୟ ସିଟିଂ ୧୨ଟାରୁ ୧ଟା ପର୍ଯ୍ୟନ୍ତ(କେବଳ ଗଣିତ ପାଇଁ ୧୫ମିନିଟ୍ ଅତିରିକ୍ତ ସମୟ) ଚାଲିବ। ଏହା ମଧ୍ୟରେ ଦଶମ ‌ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଫର୍ମପୂରଣ ପ୍ରକ୍ରିୟା ଅନ୍‌ଲାଇନ୍‌ରେ ଚଳିତମାସ ୧୮ତାରିଖରୁ ଆରମ୍ଭ ହୋଇଛି ଓ ଏହାର ସମୟସୀମା ନଭେମ୍ବର ୨୫ତାରିଖ ପର୍ଯ୍ୟନ୍ତ ରହିଛି। ଫର୍ମପୂରଣ ସଂକ୍ରାନ୍ତୀୟ ସମସ୍ତ ସୂଚନା ବୋର୍ଡର ୱେବସାଇଟ୍ www.bseodisha.ac.in ରେ ଉପଲବ୍ଧ। ଫର୍ମପୂରଣ କରିସାରିବା ପରେ ବିଦ୍ୟାଳୟ କର୍ତ୍ତୃ୍ପକ୍ଷ ଡିଆର୍‌ ସିଟ୍‌ର ନକଲକୁ ନଭେମ୍ବର ୨୬ତାରିଖ ମଧ୍ୟରେ ବୋର୍ଡ କାର୍ଯ୍ୟାଳୟରେ ଦାଖଲ କରିବେ। ଚଳିତବ‌ର୍ଷ ଦଶମ ‌ଫର୍ମପୂରଣ ଅବଧି ଆଉ ବଢ଼ିବ ନାହିଁ ବୋଲି ବୋର୍ଡ ପକ୍ଷରୁ କୁହାଯାଉଛି। ଯେଉଁ ବିଦ୍ୟାଳୟ କର୍ତ୍ତୃପକ୍ଷ ଫର୍ମପୂରଣ କରିସାରି ଡିଆର୍‌ ସିଟ୍‌କୁ ଡାଉନ୍‌ଲୋଡ୍‌ କରିବେ ନାହିଁ, ସେମାନଙ୍କ ପିଲା ପରୀକ୍ଷା ଦେଇପାରିବେ ନାହିଁ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର