ଏସ୍‌ସିବିରେ ଖୋଲାଯିବ ଫିଭର କ୍ଲିନିକ୍‌; ସର୍ଦ୍ଦି, କାଶ, ଜ୍ୱର ତଥା ଫ୍ଲୁରେ ପୀଡ଼ିତ ରୋଗୀଙ୍କୁ କରାଯିବ ଚିକିତ୍ସା

କୋଭିଡ୍‌ ପରୀକ୍ଷା ପାଇଁ ରିଏଜେଣ୍ଟ ଅଭାବ!

କଟକ : ଏସ୍‌ସିବିରେ ତିନିଦିନ ଭିତରେ ଫିଭର(ଜ୍ବର) କ୍ଲିନିକ୍‌ ଖୋଲାଯିବ। ସେହି ୱାର୍ଡରେ ସର୍ଦ୍ଦି, କାଶ, ଜ୍ବର ତଥା ଫ୍ଲୁରେ ପୀଡ଼ିତ ରୋଗୀଙ୍କୁ ଭର୍ତ୍ତି କରାଯିବ। ସରକାରଙ୍କ ଏ ସଂପର୍କରେ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଆସିବା ପରେ ଗୁରୁବାର ଆରଡିସି ଅନିଲ କୁମାର ସାମଲ ଏସ୍‌ସିବି ପହଞ୍ଚି କରୋନା ମୁକାବିଲା ନେଇ ସମୀକ୍ଷା କରିଛନ୍ତି। ଅନ୍ୟପଟେ କୋଭିଡ୍‌ ପରୀକ୍ଷା ପାଇଁ ରିଏଜେଣ୍ଟ ଅଭାବ ରହିଥିବା ଓ ଷ୍ଟକ୍‌ ସରି ଆସିବାକୁ ବସିଥିବାରୁ ତୁରନ୍ତ ଏହାର ଯୋଗାଣ ନିମନ୍ତେ ଓଏସ୍‌ଏମ୍‌ସିଲ୍‌କୁ ଚିଠି ଲେଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଯଦି ସେମାନେ ଯୋଗାଣ ନକରିବେ ତେବେ ଉକ୍ତ କେମିକାଲକୁ ଲୋକାଲ ମାର୍କେଟରୁ କିଣିବା ପାଇଁ କୁହାଯାଇଛି।

ସୂଚନା ଅନୁସାରେ, ତିନିଦିନ ଭିତରେ ଏହି ସ୍ବତନ୍ତ୍ର ଫିଭର ୱାର୍ଡକୁ ଏସ୍‌ସିବିରେ କାର୍ଯ୍ୟକ୍ଷମ କରିବ‌ା ପାଇଁ ଅଧୀକ୍ଷକ ପ୍ରଫେସର ଡାକ୍ତର ଅନ୍ନଦା ପ୍ରସାଦ ପଟ୍ଟନାୟକଙ୍କୁ ବୈଠକରେ ଆର୍‌ଡିସି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଭିଆର୍‌ଡିଏ ଲାବ୍‌କୁ ସଂପୂର୍ଣ୍ଣ ଭାବେ ଆଇସୋଲେସନ୍‌ରେ ରଖାଯିବ ବା ଉକ୍ତ ଲାବ କୋଠାକୁ ସାଧାରଣ ପ୍ରବେଶ ଉପରେ କଟକଣା ଲଗାଯିବ। ଅଧିକ ସ୍ବାବ୍‌ ପରୀକ୍ଷା ନେଇ ଏସ୍‌ସିବି ପକ୍ଷରୁ ସ୍ବତନ୍ତ୍ର ଯୋଜନା ଆରମ୍ଭ ହୋଇଥିବା ବେଳେ ଗତକାଲି ୧୨୪ଟି ନମୁନା ପରୀକ୍ଷା କରାଯାଇଥିଲା। ସେ ସବୁର ରିପୋର୍ଟ ନେଗେଟିଭ୍‌ ଆସିଛି। ଏଥିସହ କରୋନା ପାଇଁ ନିଯୁକ୍ତି ପାଇଥିବା ସ୍ବତନ୍ତ୍ର ପାରାମେଡିକାଲ କର୍ମଚାରୀଙ୍କ ସଂପର୍କରେ ଓ କରୋନା ମୁକାବିଲା ନେଇ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ସମୀକ୍ଷା କରିଥିଲେ ଆରଡିସି।

ଏହି ବୈଠକରେ ଅଧୀକ୍ଷକ, ଉପଜିଲ୍ଲାପାଳ ଶୁଭ୍ରାଂଶୁ ମିଶ୍ର, ଏସ୍‌ସିବି ପ୍ରାଶାସନିକ ଅଧିକାରୀ କଳ୍ପତରୁ ବେହେରା, ଡାକ୍ତର ଭୁବନାନନ୍ଦ ମହାରଣା ପ୍ରମୁଖ ‌ଉପସ୍ଥିତ ଥିଲେ। ଆରଡିସି ଏହି ଅବସରରେ ଭିଆରଡିଏଲ୍‌ କୋଠା ମଧ୍ୟ ପରିଦର୍ଶନ କରିଥିଲେ। ସେଠାରେ ଏସ୍‌ସିବି କରୋନା ପରୀକ୍ଷା କେନ୍ଦ୍ରର ମୁଖ୍ୟ ପ୍ରଫେସର ଡାକ୍ତର ନିରୁପମା ଚୟନୀ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର