ଓଆରଏସ୍ ପଦବିରେ ପଦୋନ୍ନତିକୁ ନେଇ ବିବାଦ: ହାଇକୋର୍ଟରେ ମାମଲା

କଟକ : ଓଡ଼ିଶା ରେଭିନ୍ୟୁ ସର୍ଭିସ୍ (ଓଆରଏସ୍) କ୍ୟାଡରରେ ନିଯୁକ୍ତି ପାଇଁ ପ୍ରକାଶିତ ବିଜ୍ଞପ୍ତିକୁ ଚାଲେଞ୍ଜ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଛି।

ବଲାଙ୍ଗୀର ତେଣ୍ଡାପଦରର ଶିକ୍ଷକ ସନ୍ତୋଷ ନାଗଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ ୨୦୨୦, ଅକ୍ଟୋବର ୨୨ରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବଙ୍କ ପକ୍ଷରୁ ୧୯୧ଟି ଓଆରଏସ ପଦବିରେ ପଦୋନ୍ନତି ଓ ଚୟନ (ପ୍ରମୋସନ୍ ଆଣ୍ଡ ସିଲେକ୍ସନ) ଦ୍ବାରା ନିଯୁ୍କ୍ତି ପ୍ରଦାନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପଦୋନ୍ନତି ମାଧ୍ୟମରେ ୧୮୮ଜଣଙ୍କୁ ଓ ଚୟନ ମାଧ୍ୟମରେ ୩ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା। ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ଦକ୍ଷ ଓ ଯୋଗ୍ୟ ଅଧିକାରୀଙ୍କୁ ଏପରି ଓଆରଏସ ପଦରେ ନିଯୁକ୍ତି ଦିଆଯିବ। କିନ୍ତୁ ଓଆରଏସ ଅଧିକାରୀଙ୍କ ନିଯୁକ୍ତି ସଂପର୍କିତ ନିୟମାବଳୀ ଅନୁସାରେ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇ ନାହିଁ ବୋଲି ଅଭିଯୋଗ ରହିଛି। ମୋଟ ପଦବିର ୫୦ ପ୍ରତିଶତ ସିଧାସଳଖ ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ଅନୁଷ୍ଠିତ ନିଯୁକ୍ତି ପରୀକ୍ଷା ମାଧ୍ୟମରେ ପୂରଣ କରାଯାଉଥିବା ବେଳେ ଅବଶିଷ୍ଟ ୫୦ ପ୍ରତିଶତ ପଦବିରେ ବିଭାଗୀୟ ପଦୋନ୍ନତି ଓ ଚୟନ ପ୍ରକିୟା ଦ୍ବାରା ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବାର ବ୍ୟବସ୍ଥା ରହିଛି। ମୋଟ ପଦବି ମଧ୍ୟରୁ ୧୫୩ଟି (୪୦ ପ୍ରତିଶତ) ପଦୋନ୍ନତି (ପ୍ରମୋସନ୍) ମାଧ୍ୟମରେ ଓ ୩୮ଟି (୧୦ ପ୍ରତିଶତ) ପଦବି ଚୟନ (ସିଲେକ୍ସନ୍) ମାଧ୍ୟମରେ ପୂରଣ ହେବା କଥା ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ୨୦୨୦, ସେପ୍ଟେମ୍ବର ୧୪ର ସଂଶୋଧିତ ଓଆରଏସ ନିଯୁକ୍ତି ନିୟମାବଳୀ ଅନୁସାରେ ୩୮ଟି ପଦବି ଚୟନ (ସିଲେକ୍ସନ) ମାଧ୍ୟମରେ ପୂରଣ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ରାଜସ୍ବ ସଚିବ ଓ ରାଜସ୍ବ ପର୍ଷଦ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଶିଷ କୁମାର ମିଶ୍ର ମାମଲା ପରିଚାଳାନ କରୁଛନ୍ତି।

ସମ୍ବନ୍ଧିତ ଖବର