ଓଡ଼ିଆ ଗବେଷଣା ପରିଷଦର ପୁରସ୍କାର ବିତରଣ ଓ କର୍ମକର୍ତ୍ତା ନିର୍ବାଚନ

Award distribution and election of officers of the Odia Research Council

କଟକ : ‘ଓଡ଼ିଆ ଗବେଷଣା ପରିଷଦ’ର ବାର୍ଷିକ ଉତ୍ସବ କଟକ ଶ୍ରୀରାମଚନ୍ଦ୍ର ଭବନଠାରେ ଅନୁଷ୍ଠିତ ହୋଇଛି।

ଏହି ଉତ୍ସବରେ ପୁରୀ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ହରିହର ହୋତା ମୁଖ୍ୟ ଅତିଥି ତଥା ଉଦ୍‌ଘାଟକ ଏବଂ ଶିକ୍ଷାବିତ୍ ଡକ୍ଟର କମଳା ପ୍ରସାଦ ମହାପାତ୍ର ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତା–ସଂପାଦକ ଡକ୍ଟର କ୍ଷେତ୍ରବାସୀ ନାୟକଙ୍କ ସ୍ମୃତିରେ ଅଧ୍ୟାପକ ଡକ୍ଟର ବାବାଜୀ ଚରଣ ପଟ୍ଟନାୟକଙ୍କୁ ‘କ୍ଷେତ୍ରବାସୀ ସାହିତ୍ୟବିଦ୍ୟା’ ପୁରସ୍କାର ଏବଂ ପ୍ରତିଷ୍ଠାତା–ସଭାପତି ଡକ୍ଟର କୃଷ୍ଣଚରଣ ବେହେରାଙ୍କ ସ୍ମୃତିରେ ଅଧ୍ୟାପକ ଡକ୍ଟର ତୁହିନାଂଶୁ ରଥଙ୍କୁ ‘କୃଷ୍ଣଚରଣ କାବ୍ୟପୁରୁଷ’ ପୁରସ୍କାର ପ୍ରଦାନ କରାଯାଇଥିଲା। ସଭାପତି ସୁଧୀର ଚନ୍ଦ୍ର ବେହୁରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ପରିଷଦର ଷାଣ୍ମାସିକ ଗବେଷଣା ପତ୍ରିକା ‘ଏଷଣା’ର ୭୯ତମ ସଂଖ୍ୟା ଏବଂ ଅନ୍ୟ ତିନିଟି ପୁସ୍ତକ– ‘ଦର୍ଶନ ଓ ସାହିତ୍ୟରେ ଗାନ୍ଧୀ’ , ‘ରସିକ ହାରାବଳୀ’ ଓ ‘ସାରସ୍ବତ ଉପାସକ କ୍ଷେତ୍ରବାସୀ’ ଉନ୍ମୋଚିତ ହୋଇଥିଲା। ଉତ୍ସବରେ ସଂପାଦକ ଡକ୍ଟର ଅଜୟ କୁମାର ପଟ୍ଟନାୟକ ଓ ଚିତ୍ତରଂଜନ ବେହେରା ଉପସ୍ଥିତ ଥିଲେ। ସାୟନ୍ତନୀ ବେହୁରା ସହଯୋଗ କରିଥିଲେ।

ଏଥିସହିତ, ପରିଷଦର କର୍ମକର୍ତ୍ତା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ସ୍ଥାୟୀ ସଭାପତି ଭାବରେ ସୁଧୀର ଚନ୍ଦ୍ର ବେହୁରା ରହିଥିବାବେଳେ, ନୂତନ ଉପସଭାପତି ଭାବରେ ଅସିତ ମହାନ୍ତି, ସଂପାଦକ ଭାବରେ ଗୌରାଙ୍ଗ ଚରଣ ଦାଶ, ସହଯୋଗୀ ସଂପାଦକ ଭାବରେ ଲୋପାମୁଦ୍ରା ଦାସନାୟକ ଓ କୋଷାଧ୍ୟକ୍ଷ ଭାବରେ ସୁବାସଚନ୍ଦ୍ର ପଟ୍ଟନାୟକ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ। କାର୍ଯ୍ୟକାରୀ ସମିତି ସଦସ୍ୟ ଭାବରେ ମଧ୍ୟ ଅଜୟ କୁମାର ପଟ୍ଟନାୟକ, ରମେଶ ଚନ୍ଦ୍ର ମଲ୍ଲିକ, ଗୌରହରି ମହାନ୍ତି ଓ ସୁରଞ୍ଜନ ଲେଙ୍କା ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ।

ସମ୍ବନ୍ଧିତ ଖବର