ଓଡ଼ିଶା ପାଇଁ ଗୌରବ ଆଣିଲେ ଓଡ଼ିଆ ବୈଜ୍ଞାନିକ ଜ୍ୟୋର୍ତିମୟୀ ଦାଶ; ପାଇବେ ଦେଶର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର ‘ଶାନ୍ତି ସ୍ବରୂପ ଭଟ୍ଟନାଗର ପୁରସ୍କାର-୨୦୨୦’

ନୂଆଦିଲ୍ଲୀ: ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଜ୍ୟୋର୍ତିମୟୀ ଦାଶ। ଦେଶର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର ‘ଶାନ୍ତି ସ୍ବରୂପ ଭଟ୍ଟନାଗର ପୁରସ୍କାର-୨୦୨୦’ ପାଇଁ ଓଡ଼ିଆ ବୈଜ୍ଞାନିକ ଜ୍ୟୋର୍ତିମୟୀ ଦାଶଙ୍କ ସମେତ ୧୪ଜଣ ବୈଜ୍ଞାନିକଙ୍କୁ ଚୟନ କରାଯାଇଛି। ଶାନ୍ତି ସ୍ବରୂପ ଭଟ୍ଟନାଗର ପୁରସ୍କାର ପାଇବାରେ ଜ୍ୟୋର୍ତିମୟୀ ହେଉଛନ୍ତି ପ୍ରଥମ ଓଡ଼ିଆ ମହିଳା ବୈଜ୍ଞାନିକ । ରାସାୟନିକ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜ୍ୟୋର୍ତିମୟୀ ଦାଶଙ୍କୁ ଏହି ମର୍ଯ୍ୟାଦାପୂର୍ଣ୍ଣ ପୁରସ୍କାର ପାଇଁ ଚୟନ କରାଯାଇଛି। ପୁରସ୍କାର ବାବଦରେ ୫ଲକ୍ଷ ଟଙ୍କାର ଅର୍ଥରାଶି ସହିତ ସାଇଟେସନ (ଉଦ୍ଧରଣ) ପ୍ରଦାନ କରାଯିବ। ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜ୍ୟୋର୍ତିମୟୀଙ୍କ ସମେତ ୧୪ଜଣ ବୈଜ୍ଞାନିକଙ୍କୁ ପୁରସ୍କାର ପ୍ରଦାନ କରିବେ।

ଓଡ଼ିଶାର ଜଗତସିଂହପୁର ଜିଲ୍ଲା ମାନପୁରର ଯୋଗେନ୍ଦ୍ର ନାଥ ୟୁପି ସ୍କୁଲ, ତାରିକୁଦ ହାଇସ୍କୁଲରେ ସ୍କୁଲ ଶିକ୍ଷା ଲାଭ କରିବା‌ ପରେ ଜଗତସିଂହପୁରର ସ୍ବାମୀ ବିବେକାନନ୍ଦ କଲେଜରେ ଯୁକ୍ତ ଦୁଇ ଶିକ୍ଷା ଶେଷ କରିବା ପରେ କଟକ ରେଭେନ୍ସା କଲେଜରେ ବିଏସସି ଓ ଏମଏସି ପାଠ୍ୟକ୍ରମରେ ପ୍ରଥମ ଣ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ ଜ୍ୟୋର୍ତିମୟୀ। ଶିକ୍ଷକତା ପୃଷ୍ଠଭୂମି ପରିବାରରୁ ଆସିଥିବାରୁ ଉଚ୍ଚଶିକ୍ଷା ପାଇଁ ଯଥେଷ୍ଟ ପ୍ରେରିତ ହୋଇଥି‌ଲେ ଜ୍ୟୋର୍ତିମୟୀ।  ଜ୍ୟୋର୍ତିମୟୀଙ୍କ ବାପା ବସନ୍ତ କୁମାର ଦାଶ ଓ ମାତା ପୁଷ୍ପା କୁମାରୀ ମିଶ୍ର ଉଭୟ ଶିକ୍ଷକ ଥିବା ଯୋଗୁଁ ସମସ୍ତ କ୍ଷେତ୍ରରେ ପ୍ରେରଣା ପାଇ ଆସୁଥିଲେ।

ବିଜ୍ଞାନରେ ଗବେଷଣା ପାଇଁ ସେ ତାଙ୍କର କ୍ୟାରିୟର ଚୟନ କରି ନେବା ପରେ ଆଇଆଇଟି କାନପୁରରେ ପିଏଚଡି କରିଥିଲେ। ସିନଥେଟିକ ଅରଗାନିକ କେମେଷ୍ଟ୍ରିରେ ସେ ପିଏଚଡି କରିଥିଲେ। ବିଶ୍ବର ବିଭିନ୍ନ ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟମାନଙ୍କରେ ସେ ଫେଲୋସିପ୍ ପାଇ ଗବେଷଣା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଇଏସପିସିଆଇ-ପ୍ୟାରିସ ଫ୍ରାନ୍ସରେ ସେ ତାଙ୍କର ପୋଷ୍ଟ ଡକ୍ଟରଲାଲ ଗବେଷଣା ଶେଷ କରିଥିଲେ। ୨୦୦୯ରେ କୋଲକାତା ଆଇଜରରେ ଆସିଷ୍ଟାଣ୍ଟ ପ୍ରଫେସର ରୂପେ ନିଯୁକ୍ତି ପାଇ ୪ବର୍ଷ ପର୍ଯ୍ୟନ୍ତ ସେଠାରେ କର୍ଯ୍ୟ କରିଥିଲେ। ୨୦୧୨ରେ କଲିକତାସ୍ଥିତ ଇଣ୍ଡିଆନ ଆସୋସିଏସନ୍ ଫର ଦ କଲଟିଭେସନ ଅଫ ସାଇନ୍ସ (ଆଇଏସିଏସ୍ )ରେ ଆସିଷାଣ୍ଟ ପ୍ରଫେସର ରୂପେ ଯୋଗ ଦେବା ପରେ ବର୍ତ୍ତମାନ ସେ ଆଇଏସିଏସରେ ପ୍ରଫେସର ରୂପେ କାର୍ଯ୍ୟ କରୁଛନ୍ତି।

ଶାନ୍ତି ସ୍ବରୂପ ଭଟ୍ଟନାଗର ପୁରସ୍କାର ‌ପାଇଁ ମନୋନୀତ ହେବା ପରେ ସେ ନିଜର ଖୁସି ବ୍ୟକ୍ତ କରିବା ସହ ଏଭଳି ଏକ ସମ୍ମାନଜନକ ପୁରସ୍କାର ଆଗକୁ ବିଜ୍ଞାନ ଗବେଷଣା ପ୍ରତି ପ୍ରେରଣା ଯୋଗାଇବ ବୋଲି କହିଛନ୍ତି। ଏହି ସମ୍ମାନଜନକ ପୁରସ୍କାର ପ୍ରତିବଦ୍ଧତା, ନିଷ୍ଠା ଓ କଠିନ ପରିଶ୍ରମକୁ ସମର୍ପିତ ତଥା ନୂଆ ଉଦ୍ଭାବନା ସହ ଦୈନନ୍ଦିନ ଜୀବନରେ ତାହାର ପ୍ରୟୋଗ ମୋର ଗବେଷଣାର ଲକ୍ଷ୍ୟ ରହିଛି ବୋଲି ‘ସମ୍ବାଦ’ ସହିତ କଥାବାର୍ତ୍ତା  ସମୟରେ କହିଛନ୍ତି ଜ୍ୟୋର୍ତିମୟୀ ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର