କରୋନା ସ୍ଥିତିକୁ ନେଇ ସରକାରୀ ଅଫିସ ପାଇଁ ଫେରିଲା ଗାଇଡଲାଇନ

ଭୁବନେଶ୍ବର : ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବାଦୃଷ୍ଟିରୁ ଓଡ଼ିଶା ସରକାର ରାଜ୍ୟରେ ସତର୍କତା ଜାରି କରିଛନ୍ତି । ବିଶେଷକରି ସରକାରୀ ଅଫିସରେ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ପୁରୁଣା ନିର୍ଦ୍ଦେଶାବଳୀକୁ ମନେପକାଇଲା ସାଧାରଣ ପ୍ରଶାସନ ବିଭାଗ । ଭର୍ଚୁଆଲ ମୋଡରେ ବୈଠକ କରିବାକୁ ପ୍ରାଥମିକତା ଦିଆଯିବ । ଅଫିସ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି । ନିୟମ ନମାନିଲେ ଏହାକୁ ବିଶୃଙ୍ଖଳା ବୋଲି ମନେ କରାଯିବ । ସେହିପରି କାର୍ଯ୍ୟାଳୟ ଭିତରେ କର୍ମଚାରୀଙ୍କ ମଧ୍ୟରେ ୨ ମିଟର ଦୂରତା ରହିବ ବୋଲି କୁହାଯାଇଛି ।

ଦେଶର ବିଭିନ୍ନ ରାଜ୍ୟରେ କରୋନା ସ୍ଥିତି ସାଂଘାତିକ ହେବାରେ ଲାଗିଛି । ମହାରାଷ୍ଟ୍ର, ଗୁଜୁରାଟ, ଛତିଶଗଡ, ପଞ୍ଜାବ ଓ ମଧ୍ୟପ୍ରଦେଶ ଭଳି ସ୍ଥାନରେ ସଂକ୍ରମଣ ପୁଣି ବଢିବାରେ ଲାଗିଛି । କିଛି ସ୍ଥାନରେ ଲକଡାଉନ ମଧ୍ୟ ଆରମ୍ଭ ହୋଇ ସାରିଲାଣି । ଓଡିଶାରେ ସଂକ୍ରମଣ ଅଧିକ ନଥିଲେ ମଧ୍ୟ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି ।

ସେପଟେ ଆଜି ରାଜ୍ୟରେ ବହୁଦିନ ପରେ ଶହେ ଉପରେ ଚିହ୍ନଟ ହୋଇଛନ୍ତି କରୋନା ଆକ୍ରାନ୍ତ । ଆଜି ୧୧୦ ଜଣ ଚିହ୍ନଟ ହୋଇଛନ୍ତି । ଦୀର୍ଘଦିନ ହେବ ଶହେ ତଳେ ରହୁଥିଲା ସଂକ୍ରମଣ ହେଲେ ଆଜି ଶହେ ଉପରେ ରହିଥିବାରୁ ଏହା ରାଜ୍ୟ ସରକାରଙ୍କୁ ଚିନ୍ତା ବଢାଇ ଦେଇଛି ।

 

ସମ୍ବନ୍ଧିତ ଖବର