କାଳିଆ ପଢ଼ିଆରୀ ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ୍‌ର ୪ ଟିମ୍‌, ରାଜ୍ୟ ବାହାରେ ଗୋଟିଏ ଟିମ୍‌

ପୁରୀ : ସୁଆର ମହାସୁଆର ନିଯୋଗର ସମ୍ପାଦକ କାଳିଆ ଓରଫ୍ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ଘଟଣାକୁ ଅଧିକ ଗୁରୁତ୍ବ ଦେବା ସହିତ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ରାତିଦିନ ଏକ କରି ଦେଇଛି। ଏହି ଘଟଣାରେ ସିଧାସଳଖ ସମ୍ପୃକ୍ତ ଥିବା ଚାରି ଜଣ ଅଭିଯୁକ୍ତଙ୍କୁ ଧରିବା ପାଇଁ ଇତିମଧ୍ୟରେ ପୁଲିସ ବିଭାଗ ପକ୍ଷରୁ ଚାରିଟି ଟିମ୍‌ ଗଠନ କରାଯାଇଛି।

ଗୋଟିଏ ଟିମ୍‌ ଟାଉନ୍‌ ଥାନା ଆଇଆଇସି ତଥା ମାମଲାର ତଦନ୍ତକାରୀ ଅଧିକାରୀ ଗୋକୁଳ ରଞ୍ଜନ ଦାସଙ୍କ ନେତୃତ୍ବରେ ଥିବାବେଳେ ଦ୍ବିତୀୟ ଟିମ୍‌ଟି କୁମ୍ଭାରପଡ଼ା ଥାନା ଆଇଆଇସି ବିଚିତ୍ରାନନ୍ଦ ସେଠୀ, ତୃତୀୟ ଟିମ୍‌ଟି ବାସେଳି ସାହି ଥାନା ଆଇଆଇସି କୁଳମଣୀ ସେଠୀ ଏବଂ ଚତୁର୍ଥ ଟିମ୍‌ଟିକୁ ବଳିଆପଣ୍ଡା ଥାନା ଆଇଆଇସି ସୁଶାନ୍ତ କୁମାର ସାହୁଙ୍କ ନେତୃତ୍ବରେ ଗଠନ କରାଯାଇଛି। ଏହି ଚାରିଟି ଟିମ୍‌କୁ ସିଟି ଡିଏସ୍‌ପି ଜନାର୍ଦ୍ଦନ ପାଢ଼ୀ ଓ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପରିଚାଳନା କରୁଛନ୍ତି। ଏହି ଟିମ୍‌ ଗତକାଲିଠାରୁ ଜିଲ୍ଲା ବାହାରକୁ ଯାଇଥିବା ବେଳେ ଆଜି ଗୋଟିଏ ଟିମ୍‌ ରାଜ୍ୟ ବାହାରକୁ ଯାଇଥିବା ନେଇ ସୂଚନା ମିଳିଛି। ସେହିପରି ଜିଲ୍ଲା ବାହାରୁ ଆସିଥିବା ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଏକ ଟିମ୍‌ ଏହି ହତ୍ୟା ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି। ଗତକାଲି ଅପରାହ୍ନରେ କାଳିଆଙ୍କୁ ବାରବାଟି ଜାଗା ପରିସରରେ ଗୁଳି କରି ହତ୍ୟା କରାଯାଇଥିଲା।

ସମ୍ବନ୍ଧିତ ଖବର