କାହା ପାଇଁ ନୂଆବର୍ଷ ବି ପା‌ଲଟେ ଶେଷଦିନ! ଦୁର୍ଘଟଣାରେ ଗଲା ୬ ଜୀବନ

ରାଉରକେଲା/ପିପିଲି/ଦିଗପହଣ୍ଡି/ବ୍ରହ୍ମପୁର : ନୂଆବର୍ଷ ପାଇଁ ଲୋକମାନେ ଉତ୍ସବମୁଖର ଥିବାବେଳେ ରାଜ୍ୟର କେତେକ ସ୍ଥାନରେ ଦୁର୍ଘଟଣା ଘଟି ୬ ଜଣ ପ୍ରାଣ ହରାଇଛନ୍ତି। ଆଉ କେତେଜଣ ଆହତ ବି ହୋଇଛନ୍ତି। ଖୁସିର ମୁହୂର୍ତ୍ତ ଭିତରେ ସେମାନଙ୍କ ପରିବାରରେ ଦୁଃଖ ଘୋଟିଯାଇଛି।

ସେଥିମଧ୍ୟରୁ ଗୋଟିଏ ଦୁର୍ଘଟଣା ଘଟିଛି ରାଉରକେଲାର ବ୍ରାହ୍ମଣୀ ପୋଲ ଉପରେ। ଆଜି ରାତି ପ୍ରାୟ ସାଢ଼େ ୯ଟାରେ ତିନି ଜଣ ଯୁବକ ଏକ ‌ମୋଟରସାଇକଲରେ ବିଜୁ ଏକ୍ସପ୍ରେସ୍ ୱେରୁ ବେଲ୍‌ଡିହି ଛକରେ ଗାଁ ଭିତରକୁ ଯାଉଥିଲେ। ବେଲ୍‌ଡିହି ଛକରେ ବାଇକ୍‌ ମୋଟରସାଇକଲ ବୁଲାଉଥିବାବେଳେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ। ଗୁରୁତରଙ୍କୁ ପ୍ରଥମେ ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌) ଏବଂ ପରେ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌)ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ପରିଚୟ ମିଳିନଥିବା ଜଣାପଡ଼ିଛି।

ଭୁବନେଶ୍ବର-ପୁରୀ ଜାତୀୟ ରାଜପଥର ବିମଳା ପେଟ୍ରୋଲ୍‌ ଟାଙ୍କି ସମ୍ମୁଖରେ ଥିବା ବ୍ରିଜ୍‌ର ବାଡ଼ରେ ପିଟି ହୋଇ ଗତକାଲି ବିଳମ୍ବିତ ରାତିରେ ଏକ ମାରୁତି ସିଆଜ୍‌ କାର୍‌ ରାସ୍ତା କଡ଼ରେ ଥିବା ନୟନଜୋରିକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ କାର୍‌ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ହାତୀବାରୀ ଗ୍ରାମର ଦେବଦତ ଦାସ(୩୦)। ଗୁରୁତର ଆହତ ହୋଇଥିବା ଚିତ୍ତରଞ୍ଜନ ରାଉତଙ୍କୁ(୩୦) ଭୁବନେଶ୍ବରର ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଉଭୟେ ଦୁଇ ସାଙ୍ଗ ବୋଲି ଜଣାଯାଇଛି।

ଅନ୍ୟପକ୍ଷରେ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅର୍ନ୍ତଗତ କୋଟିନଡ଼ା ଗାଁ କେନାଳ ରାସ୍ତା ପାଖ ବୁଲାଣିରେ ଭାରସାମ୍ୟ ହରାଇ କେନାଲ ପାର୍ଶ୍ବ କୂଅରେ ଆଗପଛ ହୋଇ ୨ଟି ବାଇକ୍‌ ଖସି ପଡ଼ିବାରୁ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ରାଇଝୋଳର ଜିତେନ୍ଦ୍ର ଗୌଡ଼ ଓରଫ ଜିତୁ, ବାବୁଲା ଗୌଡ଼ ଓ ଲାଞ୍ଜିଆର ସନ୍ତୋଷ ଗୌଡ଼। ଗୁରୁତର ଦ୍ବୟ ହେଲେ ରାଇଝୋଳ ଗ୍ରାମର ମିଟୁ ଗୌଡ଼ ଓ ପଦ୍ମତୋଳାର ଶିବରାମ ସ୍ବାଇଁ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର