କୁଆଖିଆରେ ବଙ୍ଗୀୟ ବ୍ୟବସାୟୀଙ୍କୁ ହତ୍ୟା

ରସୁଲପୁର : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍‌ର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳ କୁଆଖିଆ ବଜାରରେ ଆଜି ସ୍ପଷ୍ଟ ଦିବାଲୋକରେ ଜଣେ ବ୍ୟବସାୟୀଙ୍କୁ କେହି ଗଳାକାଟି ହତ୍ୟା କରିଛି। ମୃତ ବ୍ୟକ୍ତି ହେଲେ ପଶ୍ଚିମବଙ୍ଗ ମେଦିନାପୁର ଠାକୁର ଚୌକ୍ ଅଞ୍ଚଳର ଖୋକନ ମାଇତି (୩୮)। ସେ କୁଆଖିଆ ବଜାର ନନ୍ଦିନୀ ହୋଟେଲ ପାଖରେ ଏକ ଘରେ ରହି ପ୍ରଥମେ ଫେରି ବେପାର କରୁଥିଲେ।

ଏହି ଅଞ୍ଚଳରେ ପ୍ରାୟ ୧୫ ବର୍ଷରୁ ଅଧିକ ସମୟ ରହି ସେ ବ୍ୟବସାୟ କରିଆସୁଥିଲେ। ସମୟକ୍ରମେ ସେ ନିଜେ କିଛି ବ୍ୟବସାୟୀଙ୍କୁ ରଖି ସେମାନଙ୍କ ଜରିଆରେ ବିଭିନ୍ନ ମନୋହରି ଜିନିଷର ହୋଲସେଲ ବ୍ୟବସାୟ କରୁଥିଲେ। ଆଜି ଦିନ ପ୍ରାୟ ଗୋଟାଏରେ ତାଙ୍କ ବସାଘରେ ତାଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ଫେରାର ହୋଇଯାଇଥିଲା।

ତାଙ୍କ ଗଳା ଓ ଗୋଡ଼ରେ କ୍ଷତ ହୋଇଥିବା ଦେଖିବାକୁ ମିଳିଥିଲା। ଦିନ ପ୍ରାୟ ୩ ଟା ସମୟରେ ଅନ୍ୟ ବ୍ୟବସାୟୀମାନେ ଆସି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଖୋକନ ସେଠାରେ ପଡ଼ିଥିବା ଦେଖିଥିଲେ। ସେମାନଙ୍କ ପାଟି ଶୁଣି ପାଖ ଦୋକାନୀ ଓ ଅନ୍ୟମାନେ ଘଟଣାସ୍ଥଳରେ ପହ‌ଞ୍ଚିଥିଲେ।  ଖବରପାଇ କୁଆଖିଆ ପୁଲିସ ସେଠାରେ ପହ‌ଞ୍ଚିଥିଲା। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଫରେନସିକ୍ ଟିମ୍ ମଧ୍ୟ ପହ‌ଞ୍ଚି ଘଟଣାର ଅନୁସନ୍ଧାନ କରିଛି। ଅନ୍ୟପଟେ ତାଙ୍କ ଜ୍ବାଇଁ ଖୋକନଙ୍କୁ କେହି ହତ୍ୟା କରିଛି ବୋଲି ଶାଶୂ ନିରଳା ନାୟକ ଥାନାରେ ଅଭିଯୋଗ କରିଛନ୍ତି।

ଖୋକନ ଏଠାରେ ରହି ବ୍ୟବସାୟ କରିବା ଭିତରେ ସ୍ଥାନୀୟ ଚଣ୍ତୀପୁର ଗ୍ରାମର ଜଣେ ଯୁବତୀ (ଆସାମର ମୂଳ ଅଧିବାସୀ)ଙ୍କୁ ବିବାହ କରିଥିଲେ। କିଛିଦିନ ତଳେ ଖୋକନ ପତ୍ନୀଙ୍କୁ ମେଦିନାପୁରରେ ଛାଡ଼ି ଆସିଥିବା ଜଣାଯାଇଛି। ହତ୍ୟାକାଣ୍ତର କାରଣ ସଂପର୍କରେ ଜଣାପଡ଼ି ନଥିଲେ ମଧ୍ୟ ଏହା ବ୍ୟବସାୟିକ ଶତ୍ରୁତାରୁ ଘଟିଛି ବୋଲି ସନ୍ଦେହ କରାଯାଉଛି। ସମାନ ବ୍ୟବସାୟ କରୁଥିବା ଓ ଏଠାରେ ରହୁଥିବା ମେଦିନାପୁର ଅଞ୍ଚଳର ଅନ୍ୟଜଣେ ଲୋକ ଆଜି ମଧ୍ୟାହ୍ନରେ ଖୋକନଙ୍କ ରୁମ୍‌କୁ ଯାଇଥିବା ଜଣାପଡ଼ିଛି। ତଦନ୍ତ ପରେ ଘଟଣା ସ୍ପଷ୍ଟ ହେବ ବୋଲି ପୁଲିସ କହିଛି। ଏହି ଘଟଣାରେ କୁଆଖିଆ ଥାନାରେ ଏକ ମାମଲା ୯୭/୨୨ ରୁଜୁ ହୋଇଛି। ଥାନା ଅଧିକାରୀ ମନୋଜ କୁମାର ସ୍ବାଇଁ ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର