କୁଆପଥର ମାଡ଼ରେ ବ୍ୟାପକ କ୍ଷୟକ୍ଷତି

ଚଣ୍ଡିଖୋଲ : ବଡ଼ଚଣା ବ୍ଲକ୍‌ ବାଲିଚନ୍ଦ୍ରପୁର ଥାନା ଅଞ୍ଚଳରେ ସୋମବାର ଅପରାହ୍‌ଣରେ ପ୍ରବଳ ଝଡ଼ବର୍ଷା ସହ କୁଆପଥର ମାଡ଼ ହୋଇଛି। କୁଆପଥର ମାଡ଼ ଯୋଗୁଁ ଏହି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବହୁ ଘରର ଆଜବେଷ୍ଟସ ଭାଙ୍ଗିଛି। ବାହାରେ ଠିଆହୋଇଥିବା ବହୁ କାର୍‌ ଓ ଅନ୍ୟ ଗାଡ଼ି କାଚ ଭାଙ୍ଗିଯାଇଛି। ୪ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଗୋଟି ବାଛୁରି ମରିଥିବାର ଖବର ମଧ୍ୟ ମିଳିଛି। ଗୋଟିଏ ଗୋଟିଏ କୁଆପଥରର ଓଜନ ୨୫୦ରୁ ୩୦୦ ଗ୍ରାମ ପର୍ଯ୍ୟନ୍ତ ହୋଇଥିବା ଅନୁମାନ କରାଯାଉଛି। ଗତ ୩୦ ବର୍ଷ ମଧ୍ୟରେ ଏଭଳି କୁଆପଥର ମାଡ଼ ହୋଇନଥିଲା ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି।

ବାଲିଚନ୍ଦ୍ରପୁର, ଅଣକା, ମାଣ୍ଡୁକା, ଅଚ୍ୟୁତବସନ୍ତ, ନଳିପୁର, ଚାରିନଙ୍ଗଳ, ଅରଖପୁର ଓ ପତରାଜପୁର ଆଦି ପଞ୍ଚାୟତରେ ୨୦ରୁ ୨୫ ମିନିଟ ପର୍ଯ୍ୟନ୍ତ କୁଆପଥର ମାଡ଼ ହୋଇଥିଲା। ଫଳରେ ଚାଷଜମିରେ ମଧ୍ୟ ବ୍ୟାପକ କ୍ଷତି ହୋଇଛି। ମୁଗ, ପୋଟଳ, ଆମ୍ବ, ବାଇଗଣ ଆଦି ପରିବା ଫସଲ କ୍ଷତିଗ୍ରସ୍ତ ହୋଇଛି। ୫୦୦ ଏକରରୁ ଅଧିକ ଜମିରେ ମୁଗ ଫସଲର କ୍ଷତି ଘଟିଥିବା କୁହାଯାଉଛି। ଖବର ପାଇ ବ୍ଲକ କୃଷି ଅଧିକାରୀ ଲୋକନାଥ ମିଶ୍ର ବିଭିନ୍ନ ପଞ୍ଚାୟତର କ୍ଷତିଗ୍ରସ୍ତ ମୁଗ ଚାଷଜମି ପରିଦର୍ଶନ କରିଛନ୍ତି। ବାଲିଚନ୍ଦ୍ରପୁର ବଜାରର ବହୁ ଦୋକାନର ଆଜବେଷ୍ଟସ ଭାଙ୍ଗିଛି। ନାନପୁରସ୍ଥିତ ଶୁଭମ ଚୁଡ଼ା ମିଲର ଆଜବେଷ୍ଟସ ଭାଙ୍ଗିବା ସହିତ ବ୍ୟାପକ କ୍ଷୟକ୍ଷତି ହୋଇଛି। ନିକଟବର୍ତ୍ତୀ ଗ୍ରାମର ଶହେରୁ ଅଧିକ ଅଜବେଷ୍ଟସ ଘର ଭାଙ୍ଗିଯାଇଥିବା ଖବର ମିଳିଛି।

କୁଆପଥର ମାଡ଼ରେ ଆମ୍ବସୌରୀ ଗ୍ରାମର ବୃଦ୍ଧା କାଇଁଚ ନାୟକ (୬୨) ଆହତ ହୋଇଛନ୍ତି। ୫୩ ନମ୍ବର ଜାତୀୟ ରାଜପଥର କୃଷ୍ଣଦାସପୁରଠାରେ ଥିବା ଜଳଖିଆ ଦୋକାନରେ ଆଶ୍ରୟ ନେଇଥିବା ଲୋକମାନଙ୍କ ମଧ୍ୟରୁ ୩ ଜଣ ଆହତ ହୋଇଥିବା ଖବର ମିଳିଛି। ହଠାତ କୁଆପଥର ମାଡ଼ ହେବାରୁ ବହୁ ପଥଚାରୀ ମଧ୍ୟ ଆହତ ହୋଇଥିବା ଖବର ମିଳିଛି। ସେହିପରି କୃଷ୍ଣଦାସପୁର ଗ୍ରାମର ଧୀରେନ୍ଦ୍ର ଜେନାଙ୍କ ବାଛୁରିର ମୃତ୍ୟୁ ହୋଇଛି। ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଫଳରେ ପରିବେଶ ସଂପୂର୍ଣ୍ଣ ଥଣ୍ଡା ପଡ଼ିଯାଇଛି।

ବିଧାୟକ ଅମର ପ୍ରସାଦ ଶତପଥୀ କ୍ଷୟକ୍ଷତି ବିଷୟରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରା​ଠୋର ଏବଂ ଦର୍ପଣ ତହସିଲଦାରଙ୍କ ସହ ଆଲୋଚନା କରି ପଦ​କ୍ଷେପ ନେବାକୁ କହିଛନ୍ତି।

ସମ୍ବନ୍ଧିତ ଖବର