କୋଭିଡ୍‌ କଟକଣା ମଧ୍ୟରେ ଆଜିଠୁ ପବିତ୍ର ଦାମୋଦର ଯାତ୍ରା

ସାନ୍ତାଳ ସମ୍ପ୍ରଦାୟର ସାମୂହିକ ଅସ୍ଥି ବିସର୍ଜନର ପ୍ରାଚୀନ ପରମ୍ପରା

ବାରିପଦା: ବାରିପଦା ପୌରପରିଷଦର ବୁଢ଼ାବଳଙ୍ଗ, ଜରାଳୀ ଓ ସରାଳୀ ନଦୀର ସଙ୍ଗମ ସ୍ଥଳୀ ବାରୁଣୀ ଘାଟରେ ମକର ସଂକ୍ରାନ୍ତିର ୨ ଦିନ ପରେ ଅର୍ଥାତ୍ ଆଜିଠାରୁ ଆରମ୍ଭ ହେବ ପବିତ୍ର ଦାମୋଦର ଯାତ୍ରା। ଚଳିତ ମାସ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଏହି ପରମ୍ପରା ପାଳନ ହେବ। ଏହି ଅବସରରେ ମୟୂରଭଞ୍ଜ ସମେତ ରାଜ୍ୟର ବିଭିନ୍ନ ସ୍ଥାନ ଏବଂ ରାଜ୍ୟ ବାହାରୁ ଲକ୍ଷାଧିକ ସାନ୍ତାଳ ସମ୍ପ୍ରଦାୟର ଲୋକ ଅସ୍ଥି ବିସର୍ଜନ ପୂର୍ବକ ପିଣ୍ଡଦାନ ନିମନ୍ତେ ଏଠାକୁ ଆସିଥାଆନ୍ତି।

ତେବେ ଚଳିତ ବର୍ଷ କରୋନା କଟକଣା କାରଣରୁ ଏହି ପରମ୍ପରା କେବଳ ବିଧି ବ୍ୟବସ୍ଥାରେ ହିଁ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ଅନୁମତି ଦେଇଛି। ବାରୁଣୀ ଘାଟରେ ଚଳିତ ବର୍ଷ କୌଣସି ଟେଣ୍ଟ୍‌ ନହେବା ସହିତ ଯେପରି ଭିଡ଼ ନଜମେ ସେନେଇ ସତର୍କ ଦୃଷ୍ଟି ଦିଆଯିବ। ତେବେ ଏଠାକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ପାନୀୟ ଜଳ ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇଦେବ ପ୍ରଶାସନ। ରାଜାରାଜୁଡ଼ା ସମୟରୁ ଏଠାରେ ଏହି ପରମ୍ପରା ପାଳନ ‌ହୋଇଆସୁଛି। ଜିଲାର ବାମନଘାଟି ଉପଖଣ୍ଡର ଖଡ଼କେଇ, ପଞ୍ଚପୀଢ଼ ଉପଖଣ୍ଡର ବୈତରଣୀ ନଦୀ, ଭୀମକୁଣ୍ଡରେ ମଧ୍ୟ ପ୍ରତ୍ୟେକ ବର୍ଷ ଜାନୁଆରି ୧୫ରୁ ପୂର୍ବ ନିର୍ଣ୍ଣୟ ବା ସଂକଳ୍ପ ଅନୁସାରେ ଅସ୍ଥି ବିସର୍ଜନ ଆରମ୍ଭ ହୋଇ ଏକ ସପ୍ତାହ ପର୍ଯ୍ୟନ୍ତ ଚାଲିଥାଏ।

ମାତ୍ର ଚଳିତ ଥର ଦାମୋଦର ଯାତ୍ରା ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ଦାମୋଦର ଯାତ୍ରା କହିଲେ ମୁଖ୍ୟତଃ ସାନ୍ତାଳ ସମ୍ପ୍ରଦାୟର ସାମୂହିକ ଅସ୍ଥି ବିସର୍ଜନ(ଜାଙ୍ ବାହା ତୁପୁ)କୁ ବୁଝାଇ ଥାଏ । ଏହା ମୃତ୍ୟୁ ସଂସ୍କାରର ଶେଷ ପର୍ବ ଭାବେ ଗ୍ରହଣୀୟ । ଉକ୍ତ ସସ୍କାର କାର୍ଯ୍ୟକୁ କେହି କେହି ଦୂର ଯାତ୍ରା(ଜିଲିଞ୍ଜ ଡାହାର) ବୋଲି କହିଥାନ୍ତି ।

ଏହି ଧାର୍ମିକ ବିଶ୍ୱାସ ସାନ୍ତାଳ ସମ୍ପ୍ରଦାୟ ମଧ୍ୟରେ ରହିଆସିଥିବାରୁ ଜେଜେବାପାଙ୍କ ନାମରେ ନାତି ଓ ଜେଜେମା’ଙ୍କ ନାମରେ ନାତୁଣୀର ନାମକରଣ କରାଯାଇଥାଏ । ଦାମୋଦର ଯାତ୍ରା ଅବସରରେ ଧୂମ୍‌ଷା, ମାଦଳ, ଚାଙ୍ଗୁ, କେନ୍ଦରା, ବଇଁଶୀ ଆଦି ବଜାଇ ଗୀତ ଗାଇ ଘାଟରେ ପହଞ୍ଚିଥାଆନ୍ତି ଶ୍ରଦ୍ଧାଳୁ। ଏଠାରେ ସାନ୍ତାଳ ସମ୍ପ୍ରଦାୟର ଆରାଧ୍ୟ ଦେବତା ମାରାଂବୁରୁ ପୁରୁଧୁଲଙ୍କ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା କରାଯାଇଥାଏ। ଏହା ବିଶ୍ବାସ,  ନିଷ୍ଠା ଓ ଧାର୍ମିକ ଭାବନାର ସଙ୍ଗମ ଭାବେ ବେଶ ଆଦୃତ।

 

ସମ୍ବନ୍ଧିତ ଖବର