କୋରାପୁଟ : ଗୁଣି‌ ଗାରେଡ଼ି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ମାରି ପୋଡ଼ିଦେଲେ

କୋରାପୁଟ : ଗୁଣି‌ ଗାରେଡ଼ି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ହତ୍ୟା ପରେ ତାଙ୍କ ମୃତଦେହକୁ ଜାଳି ଦେଇଛନ୍ତି। କୋରାପୁଟ ଜିଲ୍ଲା ବନ୍ଧୁଗାଁ ଥାନା ଗୁଲୁମିଗୁଡା ଗ୍ରାମରେ ଏମିତି ଏକ ଅମାନୁଷିକ ଘଟଣା ଘଟିଛି। ଏହି ମାମଲାରେ ପୁଲିସ ୫ଜଣଙ୍କୁ ଗିରଫ କରିଛି।

ମୃତ ବ୍ୟକ୍ତି ହେଲେ ଏହି ଗ୍ରାମର ମଙ୍ଗୁଡୁ ଉଲୁକା(୫୦)। ବନ୍ଧୁଗାଁ ବ୍ଲକ ଗୁଲୁମିଗୁଡା ଗ୍ରାମର ମଙ୍ଗୁଡୁ ଗତ ୬ ବର୍ଷ ହେଲା ଏ.ଜ‌ାଗୁଗୁଡା ଗ୍ରାମରେ ତାଙ୍କ ଦ୍ବିତୀୟ ପତ୍ନୀଙ୍କ ସହ ରହି ଆସୁଥିଲେ। ମଙ୍ଗୁଡୁ ଗୁଣି କରି ଜଣେ ବ୍ୟକ୍ତିଙ୍କୁ ମାରି ଦେଇଥିବା ନେଇ ମୃତକଙ୍କ ପରିବାର ଲୋକ ସନ୍ଦେହ କରିଥିଲେ। ତେଣୁ ସେମାନେ ମଙ୍ଗୁଡୁଙ୍କୁ ହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ସୁଯୋଗ ଦେଖି ମଙ୍ଗୁଡୁଙ୍କୁ ଠେଙ୍ଗା ଓ ବାଡିରେ ପିଟି ପିଟି ହତ୍ୟା କରିଥିଲେ। ପ‌େର, ମୃତଦେହକୁ ପୋଡ଼ି ଦେଇଥିଲେ।

ଏନେଇ ଆଜି ମଙ୍ଗୁଡୁଙ୍କ ପୁଅ ବୁନୁ ଉଲୁକା ବନ୍ଧୁଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପରେ ଏହି ମାମଲାରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି। । ସେମାନଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ୍‌ କହିଛି।

ସମ୍ବନ୍ଧିତ ଖବର