ଗଞ୍ଜାମ ବିଜେଡ଼ିରେ ଘଡ଼ିକେ ଘୋଡ଼ା ଛୁଟୁଛି: କାଲି ନିଲମ୍ବନ, ଆଜି ପ୍ରତ୍ୟାହାର, ପୁଣି ନିଲମ୍ବନ

କାହା ଚାପରେ ଜିଲ୍ଲା ସଭାପତି ?

ବ୍ରହ୍ମପୁର: ଗଞ୍ଜାମ ବିଜେଡି‌ରେ ଘଡ଼ିକେ ଘୋଡ଼ା ଛୁଟୁଛି! ଗତକାଲି ଦଳର ଜିଲ୍ଲା ସଭାପତି ଯେଉଁମାନଙ୍କୁ ନିଲମ୍ବିତ କରିଥିଲେ ଆଜି ତାହାକୁ ପ୍ରତ୍ୟାହାର କରିନେଇଥିଲେ। ମାତ୍ର, ଏହାକୁ ନେଇ ପ୍ରଶ୍ନ ଉଠିବାରୁ ନିଲମ୍ବନ ଆଦେଶ ବଳବତ୍ତର ବୋଲି ସ୍ପଷ୍ଟ କରିଛନ୍ତି। ଜିଲ୍ଲା ସଭାପତିଙ୍କ ନିଲମ୍ବନ-ପ୍ରତ୍ୟାହାର-ନିଲମ୍ବନ ପଦକ୍ଷେପ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲିଥିବା ବେଳେ ଏହାପଛରେ କାହାର ଚାପ ରହିଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିସହିତ, ଏହି ଘଟଣାକୁ ନେଇ ଦଳୀୟ ଗୋଷ୍ଠୀକନ୍ଦଳ ପଦାରେ ବି ପଡ଼ିଛି।

ସୂଚନା ଅନୁସାରେ, ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଉତ୍ତରାଧିକାରୀ କିଏ ହେବେ, ଏହାକୁ କେନ୍ଦ୍ରକରି କିଛିଦିନ ହେବ ରାଜନୈତିକ ହଟଚମଟ ଲାଗିରହିଛି। ଶ୍ରୀପାତ୍ରଙ୍କ ଅସୁସ୍ଥତା ପରେ ଏହାକୁ ନେଇ ଦଳମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଛି। ବିଶେଷକରି, ବିଧାୟକ ଶ୍ରୀ ପାତ୍ରଙ୍କ ପୁତ୍ର ବିପ୍ଳବ ଏବଂ ଜିଲ୍ଲା ପରିଷଦ ସଭ୍ୟ ବିପିନ ପ୍ରଧାନଙ୍କ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖାଦେଇଛି। ବିପିନ ଦୁଇଥର ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଓ ତିନି ଥର ଉପାଧ୍ୟକ୍ଷ ଥିଲେ। ଗତ କିଛିମାସ ଭିତରେ ସେ ନିଜର ରାଜନୈତିକ କାର୍ଯ୍ୟକଳାପକୁ ବେଗବାନ କରିଛନ୍ତି। ବିପିନଙ୍କ ଦୃଢ଼ ସମର୍ଥକ କୁହାଯାଉଥିବା ହରିବନ୍ଧୁ ରେଡ଼ି ଏବଂ ପ୍ରମୋଦ ପାଣିଗ୍ରାହୀ ଖୋଲାଖୋଲି ଭାବେ ବିପ୍ଲବଙ୍କ ଗୋଷ୍ଠୀକୁ ବିରୋଧ କରୁଛନ୍ତି। ଏହାକୁ ନେଇ ଦଳରେ ଛକାପଞ୍ଝା ଲାଗି ରହିଥିବା ବେଳେ ଗତକାଲି ଜିଲ୍ଲା ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଏହି ଦୁଇ ବରିଷ୍ଠ ନେତାଙ୍କୁ ଦଳରୁ ନିଲମ୍ବିତ କରିଥିଲେ। ହରିବନ୍ଧୁଙ୍କୁ ଦଳୀୟ ବିଶୃଙ୍ଖଳା ପାଇଁ ଏବଂ ପ୍ରମୋଦଙ୍କୁ ଶ୍ରମକାର୍ଡ କରାଇଦେବାକୁ ଚାନ୍ଦା ନେଉଥିବା ଅଭିଯୋଗ ପାଇଁ ନିଲମ୍ବିତ କରାଯାଇଥିବା ଦର୍ଶାଇଥିଲେ। ମାତ୍ର, ଆଜି ହଠାତ୍‌ ଦୁହିଁଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରାଯାଇଥିବା ଜିଲ୍ଲା ସଭାପତି ଡା. ଚ୍ୟାଉପଟ୍ଟନାୟକ ନିର୍ଦ୍ଦେଶ ଜାରି କରିଥିଲେ।

ପ୍ରଥମେ ନିଲମ୍ବନ ଏବଂ ପରଦିନ ପୁଣି ପ୍ରତ୍ୟାହାର କରିବା ଘଟଣାକୁ ନେଇ ଦଳରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଯେଉଁ ସଂଗିନ୍‌ ଅଭିଯୋଗରେ ଦୁଇ ଜଣଙ୍କୁ ନିଲମ୍ବନ କରାଗଲା ପୁଣି ୨୪ ଘଣ୍ଟା ପରେ କିଭଳି ନିଲମ୍ବନ ପ୍ରତ୍ୟାହାର କରାଗଲା ବୋଲି ଦଳରେ ପ୍ରଶ୍ନ ଉଠିଥିଲା। ଏହାକୁ ନେଇ ଜିଲ୍ଲା ସଭାପତି ଅଡ଼ୁଆରେ ପଡ଼ି ଯାଇଥିଲେ। ମାତ୍ର, ଏହାର କିଛିସମୟ ପରେ ନିଷ୍ପତ୍ତିରେ ପରିବର୍ତ୍ତନ କରିବା ସହିତ ପୂର୍ବ ନିଲମ୍ବନ ଆଦେଶ ବଳବତ୍ତର ରହିବ ବୋଲି ଚିଠି କରିଥିଲେ।

ଏହି ଘଟଣା ଗଞ୍ଜାମ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଥିସହିତ, ଜିଲ୍ଲା ସଭାପତି ଡା. ଚ୍ୟାଉପଟ୍ଟନାୟକଙ୍କ ଏଭଳି ତରବରିଆ ନିଷ୍ପତ୍ତିକୁ ନେଇ ବି ପ୍ରଶ୍ନ ଉଠିଛି। ଏ ସମ୍ପର୍କରେ ପ୍ରତିକ୍ରିୟାରେ ଜିଲ୍ଲା ସଭାପତି ଡା. ଚ୍ୟାଉପଟ୍ଟନାୟକ କହିଛନ୍ତି, ବାରମ୍ବାର ଚିଠି କରିବା ଭୁଲ୍‌। ନିଲମ୍ବନ ପୂର୍ବରୁ କାରଣଦର୍ଶାଅ ନୋଟିସ୍‌ ମଗାଯିବା କଥା। କିନ୍ତୁ, ତାହା ନହୋଇ ତରବରିଆ ଭାବେ ନିଲମ୍ବନ କରାଯାଇଥିଲା। କିନ୍ତୁ, ପରବର୍ତ୍ତୀ ସମୟରେ ଏହାକୁ ସୁଧାରିବା ନେଇ ବିଧିବଦ୍ଧ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ଗୁରୁତ୍ବ ଦିଆଯାଇଛି ବୋଲି କହିଥିଲେ।

ସମ୍ବନ୍ଧିତ ଖବର