ଖାଉଟି କମିସନ ପ୍ରତି ଅବହେଳା : ୧୫ ମାସ ହେଲା ଖାଲି ପଡ଼ିଛି ସଦସ୍ୟ ପଦ, ମାସେ ପରେ ଅବସର ଗ୍ରହଣ କରିବେ ସଭାପତି

କଟକ : କଟକସ୍ଥିତ ରାଜ୍ୟ ଖାଉଟି ବିବାଦ ସମାଧାନ କମିସନ (ଷ୍ଟେଟ୍‌ କନ୍‌ଜ୍ୟୁମର ଡିସପ୍ୟୁଟସ୍‌ ରିଡ୍ରେସାଲ କମିସନ)‌ରେ ଅବ୍ୟବସ୍ଥା ଦେଖାଦେଇଛି। ୧୫ ମାସ ହେବ ବିଚାରବିଭାଗୀୟ ସଦସ୍ୟ ପଦ ଖାଲି ପଡ଼ିଥିବାବେଳେ ଏବେ ସଭାପତି ଓ ଜଣେ ସଦସ୍ୟ ଖାଉଟି କମିସନ୍‌‌ରେ ମାମଲା ଗୁଡିକର ଶୁଣାଣି କରୁଛନ୍ତି। ଖାଉଟି ସୁରକ୍ଷା ଆଇନ ଅନୁସାରେ କୌଣସି ମାମଲାର ଶୁଣାଣି ପାଇଁ ଗଠିତ ଖଣ୍ତପୀଠରେ ଅତି କମ୍‌ରେ ଦୁଇ ଜଣ ସଦସ୍ୟ ରହିବା ଆବଶ୍ୟକ। ବର୍ତ୍ତମାନ ଖାଉଟି କମିସନରେ ସଭାପତି ଜଷ୍ଟିସ ବି.କେ.ପଟେଲ ରହିଥିବାବେଳେ ଆଉ ମାତ୍ର ଜଣେ ସଦସ୍ୟ ରହିଛନ୍ତି। ଯଦି କୌଣସି କାରଣରୁ ସଭାପତି ବା ସଦସ୍ୟ ଅନୁପସ୍ଥିତ ରୁହଛନ୍ତି ତେବେ ସଂପୃକ୍ତ ଦିନ ଖଣ୍ଡପୀଠ ବସିବା ସମ୍ଭବ ହୋଇ ପାରୁନାହିଁ।

ସୂଚନା ଅନୁସାରେ, ୨୦୧୮ ଅକ୍ଟୋବର ମାସରୁ ଖାଲି ପଡିଥିବା ବିଚାରବିଭାଗୀୟ ସଦସ୍ୟ ପଦ ପୂରଣ ପାଇଁ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଅନ୍ୟପକ୍ଷରେ, ଖାଉଟି କମିସନ୍ ସଭାପତି ଜଷ୍ଟିସ ବି.‌କେ.ପଟେଲ ଆସନ୍ତା ଜାନୁଆରି ୨୩ରେ ଅବସର ଗ୍ରହଣ କରିବାକୁ ଯାଉଛନ୍ତି। ସଭପତି ଓ ସଦସ୍ୟ ପଦ ପୂରଣ ପାଇଁ ଅବସରର ୩ ମାସ ପୂର୍ବରୁ ସରକାର ପ୍ରକ୍ରିୟା ଆରମ୍ଭ କରିବା କଥା। କିନ୍ତୁ ଏ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ଫଳରେ ଭବିଷ୍ୟତରେ କମିସନରେ ସଂପୂର୍ଣ୍ଣ ଭାବେ ଅଚଳାବସ୍ଥା ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି।

୨୦୦୪, ମେ ୭ ତାରିଖରେ କେନ୍ଦ୍ର ଖାଉଟି ବ୍ୟାପାର ବିଭାଗର ଅତିରିକ୍ତ ସଚିବ ରାଜ୍ୟ ଖାଉଟି କଲ୍ୟାଣ ବିଭାଗକୁ ୪ଟି ଅତିରିକ୍ତ ବେଞ୍ଚ୍‌ ଗଠନ ପାଇଁ ପଦକ୍ଷେପ ଗ୍ରହଣ ଲାଗି ଚିଠି ଲେଖିଥିଲେ। ଖାଉଟି କମିସନରେ ପୂର୍ବରୁ ସଭାପତି ଓ ଦୁଇ ସଦସ୍ୟ ପଦ ଥିବାବେଳେ ଅତିରିକ୍ତ ଖଣ୍ଡପୀଠ ପାଇଁ ଆଉ ଦୁଇଟି ସଦସ୍ୟ ପଦ ସୃଷ୍ଟି ନେଇ ସରକାର ୨୦୧୭, ଅଗଷ୍ଟ ୧୭ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଅତିରିକ୍ତ ବେଞ୍ଚ୍‌ ପାଇଁ ସିଡିଏସ୍ଥିତ ରାଜ୍ୟ କମିସନଙ୍କ କୋଠାର ଉପର ମହଲାରେ ସ୍ବତନ୍ତ୍ର କୋଠରୀ ମଧୢ ନିର୍ମାଣ କରାଯାଇଥିଲା। ଏହି ଦୁଇ ପଦ ସୃଷ୍ଟି ହେବା ପରେ କେବେ ‌ବି ଏଥିରେ ସଦସ୍ୟଙ୍କୁ ନିଯୁକ୍ତି ଦିଆଯାଇ ନାହିଁ। ତେଣୁ ଖାଉଟି କମିସନ୍ ଅତିରିକ୍ତ ଖଣ୍ଡପୀଠ କାର୍ଯ୍ୟକ୍ଷମ ହେବା ପ୍ରସଂଗ ସ୍ବପ୍ନ ହୋଇ ରହି ଯାଇଛି।

ଅନ୍ୟପକ୍ଷରେ, ବର୍ତ୍ତମାନ ୫ ହଜାରରୁ ଅଧିକ ମାମଲା ରାଜ୍ୟ କମିସନଙ୍କ ନିକଟରେ ବିଚାରାଧୀନ ଥିବା ବେଳେ ମାମଲା ରୁଜୁ, ସାର୍ଟିଫାଏଡ କପି ପ୍ରଦାନ, ପକ୍ଷଙ୍କୁ ନୋଟିସ ପଠାଇବା କାର୍ଯ୍ୟ ଭଳି ପ୍ରଶାସନିକ କାର୍ଯ୍ୟ ପାଇଁ କର୍ମଚାରୀ ନାହାନ୍ତି।

୨୦୧୬, ନଭେମ୍ବର ୨୧ରେ ସୁପ୍ରମକୋର୍ଟଙ୍କ ନିର୍ଦ୍ଦେଶରେ ଦେଶରେ ଖାଉଟି ଅଦାଲତ ଗୁଡିକର ସମସ୍ୟା ସ˚ପର୍କରେ ଅନୁଧ୍ୟାନ ତଥା ସ˚ସ୍କାର ପାଇଁ ଗଠିତ ଜଷ୍ଟିସ ଅରିଜିତ ପଶାୟତ କମିଟିଙ୍କ ପରାମର୍ଶ ମଧ୍ୟ ସରକାର କାର୍ଯ୍ୟକାରୀ କରୁନାହାନ୍ତି ବୋଲି କନଜ୍ୟୁମର ବାର‌୍‌ ଆସୋସିଏସନ ସଭାପତି ଆଇନଜୀବୀ କରୁଣାକର ଜେନା ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର