ଖୁବ ଶୀଘ୍ର ତାଳଚେର, ଅନୁଗୋଳ ଓ ଢ଼େଙ୍କାନାଳ ଦେଇ କୋଲକାତାକୁ ଚାଲିବ ନୂଆ ଟ୍ରେନ: ଧର୍ମେନ୍ଦ୍ର

ନଭେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ହେବ ତାଳଚେରରୁ ଅନୁଗୋଳ ପର୍ଯ୍ୟନ୍ତ ନୂଆ ଯାତ୍ରୀବାହୀ ରେଳ ଲାଇନର କାମ

ଅନୁଗୋଳ/ଢ଼େଙ୍କାନାଳ: ଖୁବ ଶୀଘ୍ର ସମ୍ବଲପୁରରୁ ଏକ ନୂଆ ଟ୍ରେନ ତାଳଚେର, ଅନୁଗୋଳ ଓ ଢ଼େଙ୍କାନାଳ ଦେଇ କୋଲକାତାକୁ ଚଳାଚଳ କରିବ ବୋଲି ରବିବାର ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଅନୁଗୋଳ ଓ ଢ଼େଙ୍କାନାଳରେ କ୍ରିୟାନ୍ୱୟନ ହେଉଥିବା ବିଭିନ୍ନ ରେଳବାଇ ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା କରିବା ଅବସରରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ଭୁବନେଶ୍ୱର ମଞ୍ଚେଶ୍ୱର ଷ୍ଟେସନରୁ ଟ୍ରେନ୍ ଯୋଗେ ଏକ ସ୍ୱତନ୍ତ୍ର ବଗିରେ ପୂର୍ବତଟ ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତ କରିଥିଲେ । ସେ ତାଳଚେର ରୋଡ, ଅନୁଗୋଳ, ଏମସିଏଲର ବଳରାମ ସାଇଟ, ତାଳଚେର, ସୁନାଖଣି, ବୁଢ଼ାପଙ୍କ, ମେରାମୁଣ୍ଡଳି, ହିନ୍ଦୋଳ ରୋଡ, ସଦାଶିବପୁର ରେଳ ଷ୍ଟେସନ ପରିଦର୍ଶନ କରିବା ସହ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ରେଳ ଅଧିକାରୀଙ୍କୁ ପଚାରି ବୁଝିଥିଲେ । ଏହାବ୍ୟତୀତ ବଅଁରପାଳ ବ୍ଲକର ବ୍ରିଜ ନଂ ୫ ଏବଂ ନତଡ଼ା ଗ୍ରାମ ପଞ୍ଚାୟତରେ ଥିବା ହିଙ୍ଗୁଳା ଅଞ୍ଚଳରେ ନିର୍ମାଣାଧୀନ ରେଲ୍ ଲିଙ୍କର କାର୍ଯ୍ୟ ଦେଖିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଅନୁରୂପ ଭାବେ ଢ଼େଙ୍କାନାଳ, ଶ୍ୟାମଚରଣପୁର, ଜୋରନ୍ଦା ରୋଡ ରେଳ ଷ୍ଟେସନରେ ହୋଇଥିବା ଅଗ୍ରଗତି କାର୍ଯ୍ୟ ଗୁଡ଼ିକ ପ୍ରତ୍ୟକ୍ଷ ଭାବେ ବୁଲି ଦେଖିଥିଲେ । ଶ୍ରୀ ପ୍ରଧାନ ଷ୍ଟେସନରେ ଚାଲିଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନେଇ ରେଳ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ସବୁ ଷ୍ଟେସନରେ ସ୍ଥାନୀୟ ଲୋକଙ୍କୁ ଭେଟି ସେମାନଙ୍କ ସହ କଥାବାର୍ତ୍ତା କରିଥିଲେ ।

ଏହି ଅବସରରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅନୁଗୋଳରୁ କୋଲକତା ପର୍ଯ୍ୟନ୍ତ ସିଧାସଳଖ ଟ୍ରେନ ଚଳାଚଳ କରିବା ପାଇଁ ଜିଲ୍ଲାବାସୀଙ୍କ ଥିବା ଦୀର୍ଘ ଦିନର ଦାବୀ ରହିଥିଲା । ଏହାକୁ ମୋଦି ସରକାର ସ୍ୱୀକୃତି ଦେଇଛନ୍ତି । ଖୁବ ଶୀଘ୍ର ଏକ ନୂଆ ଟ୍ରେନ ସମ୍ବଲପୁରରୁ ଅନୁଗୋଳ, ତାଳଚେର ଓ ଢ଼େଙ୍କାନାଳ ଦେଇ କୋଲକାତା ଯିବ । ଅନୁଗୋଳ ଓ ଢ଼େଙ୍କାନାଳ ମଧ୍ୟରେ ନୂଆ ରେଳ ଚଳାଚଳ କରିବାର ଦାୟିତ୍ୱ ନେଇ ଜିଲ୍ଲାବାସୀଙ୍କୁ ପୂଜା ଉପହାର ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସରକାରଙ୍କ ରେଳ ବିଭାଗ ତରଫରୁ ଅନୁଗୋଳ ଓ ଢ଼େଙ୍କାନାଳ ଅଞ୍ଚଳରେ ପ୍ରାୟ ୨,୫୦୦ କୋଟି ଟଙ୍କାର ରେଳ ପ୍ରକଳ୍ପର କାମ ଜାରୀ ରହିଛି । ଅନୁଗୋଳର ବହୃତ ଶିଳ୍ପାଞ୍ଚଳରେ କୋଇଲା ଭଳି ମାଲ୍ ପରିବହନ ପାଇଁ ରେଳ ବିଭାଗ ପ୍ରାଥମିକତା ଦେଉଅଛି । ତାଳଚେର, ତାଳଚେର ରୋଡ, ଅନୁଗୋଳ, ଢ଼େଙ୍କାନାଳ ଏହି ଚରୋଟି ରେଳ ଷ୍ଟେସନର ପୁନରୁଦ୍ଧାର ସହ ଅନେକ ଷ୍ଟେସନରେ ରେଳ ଲାଇନର ଦୋହରୀକରଣ, ତୃତୀୟ ଲାଇନ, ଚତୁର୍ଥ ଲାଇନର କାମ ଚାଲୁ ରହିଛି । ଖୁବ ଶୀଘ୍ର ତାଳଚେରରୁ ଅନୁଗୋଳ ପର୍ଯ୍ୟନ୍ତ ଗୋଟିଏ ପାସେଞ୍ଜର ଓ ଦୁଇଟି ମାଲବାହୀ ରେଳ ଲାଇନର କାମ ଶେଷ ହେବ । ପ୍ରାୟ ୫୦୦ କୋଟି ଟଙ୍କା ବ୍ୟୟରେ ତାଳଚେରରୁ ଭାୟା ଏଫସିଆଇ ଓ ନାଲକୋ ଦେଇ ଅନୁଗୋଳ ପର୍ଯ୍ୟନ୍ତ ଯାତ୍ରୀବାହୀ ରେଳ ଲାଇନର କାମ ଆସନ୍ତା ନଭେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ହେବା ନେଇ ରେଳ ବିଭାଗର ଅଧିକାରୀମାନେ ସୂଚନା ଦେଇଛନ୍ତି । ଅନୁଗୋଳ ଓ ଢ଼େଙ୍କାନାଳରେ କ୍ରିୟାନ୍ୱୟନ ହେଉଥିବା ରେଳ ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ନାଗରିକ ଓ ଯାତ୍ରୀମାନେ ବିଶେଷ ଭାବରେ ଉପକୃତ ହେବେ ।

ସେ ଆହୁରି କହିଛନ୍ତି ଯେ ଶିଳ୍ପ ସମୃଦ୍ଧ ଅଞ୍ଚଳ ଅନୁଗୋଳ ଏବଂ ତାଳଚେରକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ମୋଦି ସରକାର ରେଳ କ୍ଷେତ୍ରରେ ବିପୁଳ ଆର୍ଥିକ ଅନୁଦାନ ଓ ଅନ୍ୟାନ୍ୟ ସାହାଯ୍ୟ ସହଯୋଗ ଯୋଗାଇ ଦେଉଛନ୍ତି । ମୋଦି ସରକାରରେ ରେଳ ଯୋଗେ ମାଲ ପରିବହନ ସହ ଯାତ୍ରୀ ସୁବିଧାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ଏହାବ୍ୟତିତ ମୋଦି ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ଅନୁଗୋଳ ଭଳି ଖଣି ଖଦାନ ଅଞ୍ଚଳର ବିକାଶ ପାଇଁ ଜିଲ୍ଲା ଖଣିଜ ପାଣ୍ଠି(ଡ଼ିଏମଏଫ)ର ବ୍ୟବସ୍ଥା କରିଛନ୍ତି । ମୋଦି ସରକାରଙ୍କ ବ୍ୟବସ୍ଥା କାରଣରୁ ଏହି ଜିଲ୍ଲାକୁ ଡ଼ିଏମଏଫରେ ବାର୍ଷିକ ୩୫୦ କୋଟି ଟଙ୍କା ଆସୁଛି । ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିସ୍ୱରୂପା ମା’ ହିଙ୍ଗୁଳା ମନ୍ଦିରର ଉନ୍ନତିକରଣ ପାଇଁ ଏମସିଏଲ ୮ କୋଟିରୁ ଅଧିକ ଟଙ୍କା ଦେଇଛି । ତାଳଚେର ଗୋପାଳଗଡ଼ କଣିହାଁ ରାସ୍ତାରେ ସାଧାରଣ ଲୋକଙ୍କ ଯାତାୟତ ଏବଂ କୋଇଲା ପରିବହନ ପାଇଁ ପୃଥକ ପୃଥକ ରାସ୍ତା କରିବା ପାଇଁ ମଧ୍ୟ ଯୋଜନା କରାଯିବ ।

ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁଗୋଳ ଓ ଢ଼େଙ୍କାନାଳର ବିଭିନ୍ନ ସ୍ଥାନରେ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ସମ୍ବନ୍ଧିତ ଖବର