ଖୋର୍ଦ୍ଧା ଜିଲ୍ଲାରେ ରାସ୍ତା ନିର୍ମାଣ ପାଇଁ ମିଳୁନି କଞ୍ଚାମାଲ, ଅଧପନ୍ତରିଆ ହୋଇ ପଡିରହିଛି ପିଏମ୍‌ଜିଏସ୍‌ୱାଇ, ଏଡିବି କାମ

ଖୋର୍ଦ୍ଧା : ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧା। କିନ୍ତୁ ଜିଲ୍ଲାର ଅଧିକାଂଶ ଗ୍ରାମାଞ୍ଚଳରେ ଏଯାଏଁ ବିଜୁଳି, ସଡ଼କ, ପାଣି ଭଳି ମୌଳିକ ଭିତ୍ତିଭୂମି ନିର୍ମାଣ ହୋଇପାରିନାହିଁ। ମୁଖ୍ୟମନ୍ତ୍ରୀଙ୍କ ବିକାଶ ଅଭିଯାନ ‘ମୋ ସରକାର’ର ନିମୟିତ ତଦାରଖ, ସମନ୍ବୟ ଓ ପାଣ୍ଠି ଯୋଗାଣର ପ୍ରତିଶ୍ରୁତି ପରେ ମଧ୍ୟ କଞ୍ଚା ମାଲ ଅଭାବରୁ ଜିଲ୍ଲାର ବାଣପୁର, ଚିଲିକା, ଟାଙ୍ଗୀ, ବୋଲଗଡ଼ ବ୍ଲକର ଅନେକ ଉନ୍ନୟନ କାମ ଠପ୍ ହୋଇଯାଇଛି। ଗୋଡ଼ି, ବାଲି ଓ ଅନ୍ୟ ସଡ଼କ ନିର୍ମାଣ ସାମଗ୍ରୀର ଅଭାବରୁ ଅନୁମୋଦିତ ଯୋଜନାର ଅଗ୍ରଗତି ଠିକଣା ସମୟରେ ହେବା କଷ୍ଟକର ବୋଲି କହି ଗ୍ରାମ୍ୟ ଉନ୍ନୟନ ବିଭାଗ ହାତ ଟେକିଦେଇଛି।

Shillong Mail

ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁସାରେ, ୨୦୧୯–୨୦ରେ ଅନୁମୋଦିତ ହୋଇଥିବା ପ୍ରାୟ ୧୪ଟି ରାସ୍ତାର ୬୮ କିମି ଦୀର୍ଘ ସଡ଼କ ନିର୍ମାଣ ଆରମ୍ଭ ହୋଇପାରିନଥିବା ବେଳେ ୨ଟି ସଡ଼କ ଅଧପନ୍ତରିଆ ହୋଇ ପଡ଼ିରହିଛି। ଏଥିପାଇଁ ୧୪୫୧୦.୨୯ ଘନ ମିଟର ବାଲି, ୩୪୮୭୮.୪୨ ଘନମିଟର ମେଟାଲ୍, ୧୮୨୪୪.୪୯ ଘନ ମିଟର ଚିପ୍ସ, ୯୪୩୯.୫୭ ଘନ ମିଟର ବଜୁରି, ୪୦୬୪.୭୨ ଲାଟେରାଇଟ୍, ୨୧୪୨୧.୩୦ ଘନ ମିଟର ମୋରମ୍ ଆବଶ୍ୟକତା ରହିଛି। ଜୁନ୍ ମାସରୁ ଖୋର୍ଦ୍ଧା ଓ ଆଖପାଖ ଇଲାକାରେ ଥିବା ୬୦ରୁ ଊର୍ଦ୍ଧ୍ବ ବେଆଇନ ପଥର ମୁଣ୍ତିଆ ଓ ୩୦୦ରୁ ଊର୍ଦ୍ଧ୍ବ କ୍ରସର ୟୁନିଟ୍ ଉପରେ ଏସ୍‌ଟିଏଫ୍ ଚଡ଼ଉ କରିଥିଲା। ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ଥିବା କିଛି ପଥର ମୁଣ୍ତିଆର ନିଲାମ ମଧ୍ୟରୁ ୪ଟିର ପଥର ଉତ୍ତୋଳନ ଅନୁମତି ଦେଇଥିଲେ। କିନ୍ତୁ ଅଗଷ୍ଟ ମାସରେ ଜିଲ୍ଲାର ସମସ୍ତ କ୍ରସର ୟୁନିଟ୍ ବିଧିମୁତାବକ ଲାଇସେନ୍ସ ନମିଳିବା ଯାଏଁ କ୍ରସର ୟୁନିଟ୍‌ଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇ ସମସ୍ତ ୟୁନିଟ୍ ବନ୍ଦ କରିଦେଇଛନ୍ତି। ବନ୍ଦ ପଡ଼ିଥିବା କ୍ରସର ୟୁନିଟ୍‌ଗୁଡ଼ିକୁ ଚଳାଇବା ପାଇଁ କ୍ରସର ମାଲିକ ସଂଘ ପକ୍ଷରୁ ଅନେକ ଥର ପ୍ରଚେଷ୍ଟା କରାଯାଇଥିଲେ ମଧ୍ୟ ଏଯାଏଁ ପ୍ରଶାସନ କିମ୍ବା ସରକାରଙ୍କ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ନିଆଯାଇପାରିନାହିଁ। ଏଭଳି ପରିପ୍ରେକ୍ଷୀରେ, ଚଳିତ ବର୍ଷ ଅକ୍ଟୋବର ୩୦ ତାରିଖରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସମ୍ମିଳନୀ କକ୍ଷରେ ହୋଇଥିବା ଜିଲ୍ଲା ପରିଷଦ ବୈଠକରେ ଜିଲ୍ଲାର ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା, ଏସିଆ ଉନ୍ନୟନ ବ୍ୟାଙ୍କ ଅନୁମୋଦିତ ଯୋଜନାର ଅଗ୍ରଗତି ମନ୍ଥର ହୋଇଥିବା ନେଇ ବିଭିନ୍ନ ଜନ ପ୍ରତିନିଧିମାନେ ଚିନ୍ତାବ୍ୟକ୍ତ କରିଥିଲେ। ଜିଲ୍ଲାରେ କେତେ ସଂଖ୍ୟକ ପିଏମ୍‌ଜିଏସ୍‌ୱାଇ, ଏଡିବି ଅନୁମୋଦିତ କାମ ଚାଲୁଛି ଓ ସେଗୁଡ଼ିକର ଅଗ୍ରଗତି କ’ଣ ସେନେଇ ରିପୋର୍ଟ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହି ନିଷ୍ପତ୍ତି ଅନୁସାରେ, ଗ୍ରାମ୍ୟ ଉନ୍ନୟନ ବିଭାଗ ଭୁବନେଶ୍ବର ଡିଭିଜନର ନିର୍ବାହୀ ଯନ୍ତ୍ରୀ ଜିଲ୍ଲାପାଳଙ୍କୁ ଚିଠି ସଂଖ୍ୟା ୫୩୪୭/ ୧୧/ ୨୦୧୯ରେ ୨୦୨୦ମସିହା ମାର୍ଚ୍ଚ ମାସ ୩୧ ତାରିଖ ସୁଦ୍ଧା ସମସ୍ତ କାମ ଶେଷ ହେବା ନେଇ ସନ୍ଦେହ ପ୍ରକଟ କରିଛନ୍ତି। ଜିଲ୍ଲାରେ କ୍ରସର ୟୁନିଟ୍ ଓ ପଥର ମୁଣ୍ତିଆ ବନ୍ଦ ପଡ଼ିଥିବାରୁ ସଡ଼କ ନିର୍ମାଣ ନିମନ୍ତେ ଗୋଡ଼ି, ଚିପ୍ସ ଆଦି କଞ୍ଚାମାଲ ପର୍ଯ୍ୟାପ୍ତ ପରିମାଣରେ ମିଳୁନଥିବାରୁ ଅଧିକାଂଶ କାର୍ଯ୍ୟ ଅଧପନ୍ତରିଆ ହୋଇ ପଡ଼ି ରହିଥିବା ଦର୍ଶାଇଛନ୍ତି।

ସୂଚନାନୁସାରେ, ଖୋର୍ଦ୍ଧାର ଟାଙ୍ଗୀ ବ୍ଲକର ରତାମାଟି ସରପାରି ୬.୪୦୦ କିମି ରାସ୍ତାର ୬୦ ମିଟର, ପୂର୍ତ୍ତବିଭାଗ ରାସ୍ତା ଠାରୁ ଭୂଷଣ୍ତପୁର ୭.୧୨୫ କିମି ରାସ୍ତାର ୫କିମି ୭୦ ମିଟର, କୁହୁଡ଼ି –ହରିପୁର ୨.୫୦୦ କିମି ରାସ୍ତା, ୧୬ନମ୍ବର ଜାତୀୟ ରାଜପଥରୁ କୁହୁଡ଼ି ସୋରଣ ୬.୬୦୦କିମି ରାସ୍ତା, ରମ୍ଭାବିଲି ଠାରୁ ଓଳସିଂହ ୨.୯୫୦ କିମି ରାସ୍ତା, ବାଣପୁର ବ୍ଲକର ଭଟ୍ଟପଡ଼ା ଠାରୁ ଦାମିଆ ବରବରା ୬.୨୫୦ କିମି ରାସ୍ତା, ହନ୍ତୁଆଡ ଠାରୁ ଭୀମପୁର ଗାଲୁଆ ୨.୧୮୦କିମି ରାସ୍ତା, ଦୁଲାରି ଠାରୁ ଏକଦଲିଆ ୩.୬୦୦ କିମି ରାସ୍ତା, ଗତେଶ୍ବର ଆର୍‌ଡି ୪ କିମି ରାସ୍ତା, ନାଚୁଣୀ–ସଲପଢ଼ିଅ ୭.୫୦୦କିମି ରାସ୍ତା, ହଳନ୍ଦା ଠାରୁ ବେରହୁନାବାଡ଼ି ୫.୨୫୦କିମି ରାସ୍ତା, ଚିଲିକା ବ୍ଲକର ଚାସଙ୍ଗର ଠାରୁ ଅଙ୍କୁଳାର ୮୪୦ ମିଟର ରାସ୍ତା, ବାଲୁଗାଁ ଠାରୁ ନିମିଖେତ ୨.୪୦୦କିମି ରାସ୍ତା, ନଈରୀ ବଉଳାବନ୍ଧ ୭.୬୦୦ କିମି ରାସ୍ତା, ବରକୁଳ ଠାରୁ ଚାଷଘର ୪ କିମି ରାସ୍ତା, ନୂଆଗଡ଼ ଠାରୁ ଡାୟକଛକ ୭.୨୦୦ କିମି ରାସ୍ତା ଏଭଳି ୬୮ କିଲୋମିଟର ରାସ୍ତା ନିର୍ମାଣ ହୋଇପାରିନାହିଁ।

ସମ୍ବନ୍ଧିତ ଖବର