ଗଣତନ୍ତ୍ରକୁ ଏକରକମ ଚାବି ପକାଇଛନ୍ତି ସରକାର: ବିରୋଧୀ

ବିଜେଡି କହିଲା ବିରୋଧୀଙ୍କ ରାଜନୈତିକ ବୟାନବାଜି ଗ୍ରହଣୀୟ ନୁହେଁ

ଭୁବନେଶ୍ବର: ଫନି ବାତ୍ୟା ପରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିଥିଲେ। କ୍ଷୟକ୍ଷତି ନେଇ ଆଲୋଚନା ହେଲା। ପ୍ରଧାନମନ୍ତ୍ରୀ ସହାୟତା ଘୋଷଣା କରିଥିଲେ। କିନ୍ତୁ ବାରମ୍ବାର ବାତ୍ୟା ବିପର୍ଯ୍ୟୟ ଯୋଗୁଁ ଭିତ୍ତିଭୂମି ନଷ୍ଟ ହେଉଛି ଓ ଏହାର ସ୍ଥାୟୀ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ କହିବାରୁ ବିସ୍ତୃତ ଖସଡ଼ା ପ୍ରସ୍ତୁତ କରି କେନ୍ଦ୍ରକୁ ଦେବାକୁ ପ୍ରଧାନମନ୍ତ୍ରୀ କହିଥିଲେ। କିନ୍ତୁ ବାତ୍ୟା ଗଲା ପରେ ସରକାର ଭୁଲିଗଲେ। ଗତକାଲି ଅମ୍ଫାନ୍‌ କ୍ଷୟକ୍ଷତି ନେଇ ସମୀକ୍ଷା ବେଳେ ମଧ୍ୟ ପୁଣିଥରେ ଏ ବିଷୟରେ ଆଲୋଚନା ହୋଇଛି। ଗୋଟିଏ ପଟେ କରୋନା ମହାମାରୀ ଓ ଅନ୍ୟପଟେ ମହାବାତ୍ୟାର ପୁନରୁଦ୍ଧାର ଏପରି ଉଭୟ ବିପତ୍ତିକୁ ମୁକାବିଲା କରିବାରେ ସରକାର ନିଜର ଦଳର ବିଧାୟକ, ସାଂସଦ ଓ ମନ୍ତ୍ରୀଙ୍କୁ ବି ସାମିଲ କରୁନାହାନ୍ତି। ଗଣତନ୍ତ୍ରକୁ ଏକରକମ ଚାବି ପକାଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଥିବାବେଳେ ବିଜେପି ସରକାରଙ୍କ ସ୍ଥାଣୁତାକୁ ନେଇ ପ୍ରଶ୍ନ ଉଠାଇଛି। ବିରୋଧୀଙ୍କୁ ଜବାବ ଦେଇ ବିଜେଡି କହିଛି, ଏଭଳି ସମୟରେ ବିରୋଧୀ ରାଜନୈତିକ ବୟାନବାଜି କରିବା ଉଚିତ ହେଉନାହିଁ।

ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ, ଅମ୍ଫାନ୍‌ ବାତ୍ୟା ଯୋଗୁଁ ପ୍ରଭାବିତ ଜିଲ୍ଲାରେ ଫସଲ, ଚାଳ ଘର, ରାସ୍ତା, ବିଦ୍ୟୁତ୍ ଭିତ୍ତିଭୂମିର ବ୍ୟାପକ କ୍ଷତି ଘଟିଛି। ବିଶେଷ କରି ଚାଷୀଭାଇମାନଙ୍କର ଅଭୂତପୂର୍ବ କ୍ଷତି କିପରି ଭରଣା କରାଯିବ ସରକାର ଚିନ୍ତା କରିବା ଦରକାର। ଗତ ‘ଫନି’ ରେ କ୍ଷତିଗ୍ରସ୍ତ ହୋଇଥିବା ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ଲୋକମାନଙ୍କ ଉଜୁଡ଼ି ଯାଇଥିବା ଚାଷ ଓ ଘର ଭଙ୍ଗା ଆର୍ଥିକ ସହାୟତା ଏ ପର୍ଯ୍ୟନ୍ତ ମିଳିଲାନି। ବିପଦକୁ ମୁକାବିଲା କରିବା ବେଳେ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ବୈଜ୍ଞାନିକ କାରଣ ଦର୍ଶାଇ କୌଣସି ରାଜନୈତିକ ବ୍ୟକ୍ତି, ସାମାଜିକ ଅନୁଷ୍ଠାନ, ବିଶେଷଜ୍ଞମାନଙ୍କ ସହ ଆଲୋଚନା କରୁନାହାନ୍ତି। ଗଣତନ୍ତ୍ର ବ୍ୟବସ୍ଥାକୁ ତାଲା ପକାଇ ଦେଇଥିବା ରାଜ୍ୟ ସରକାର ଏଥିପାଇଁ ତତ୍ପର ହୁଅନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି। ବର୍ତ୍ତମାନ ଯେଉଁ ପରିସ୍ଥିତି ଦେଇ ରାଜ୍ୟ ଗତି କରୁଛି ବା ପରବର୍ତ୍ତୀ ସମୟରେ ଯେଉଁ ଭୟାବହ ପରିସ୍ଥିତି ହେବ ସେଥିପାଇଁ ଜନସାଧାରଣ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କ୍ଷମା କରିବେ ନାହିଁ। କିଛି ମୁଷ୍ଟିମେୟ ସରକାରୀ ଅଫିସରଙ୍କୁ ଧରି ମହାମାରୀ ‘କରୋନା’କୁ ମୁକାବିଲା କରିବା ଅସମ୍ଭବ। ଶାସନ ଏମିତି କରାଯାଏ ନାହିଁ। ଅନ୍ୟ ରାଜ୍ୟରୁ କିଛି ଶିଖନ୍ତୁ ବୋଲି ପିସିସି ସଭାପତି ପରାମର୍ଶ ଦେଇଛନ୍ତି।

ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ବିପର୍ଯ୍ୟୟର ସ୍ଥାୟୀ ପ୍ରତିକାର ପାଇଁ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରିବା ରାଜ୍ୟ ସରକାରଙ୍କ ଦାୟିତ୍ବ। ଗତ ବର୍ଷ ମେ ମାସରେ ଫନି ବାତ୍ୟା ପରେ ପ୍ରଧାନମନ୍ତ୍ରୀ ମଧ୍ୟ ଏ ନେଇ ସରକାରଙ୍କୁ ଅନୁରୋଧ କରିଥିଲେ। ରାଜ୍ୟ ସରକାରଙ୍କ ବଡ଼ ଦୁର୍ଗୁଣ ହେଉଛି ବାତ୍ୟା ପୂର୍ବରୁ ଯେତିକି ତତ୍ପରତା ଦେଖାନ୍ତି ବାତ୍ୟା ଚାଲିଯିବା ପରେ ଆଉ ସେତିକିଟା ତତ୍ପରତା ରହେନାହିଁ। ସରକାର ପୂରା ଶୋଇପଡ଼ନ୍ତି। ଆଜି ବିଭିନ୍ନ କ୍ଷେତ୍ରରେ ତାହା ପ୍ରମାଣିତ ହୋଇଛି। ଫନି ସମୟରେ ପ୍ରକୃତି କ୍ଷତିଗ୍ରସ୍ତକୁ କ୍ଷତିପୂରଣ ମିଳିଲାନି ଅଥଚ ଯେଉଁମାନେ ନ ପାଇବା କଥା ପାଇଲେ। ରାଜନୈତିକ ହସ୍ତକ୍ଷେପ ଯୋଗୁଁ ଅଯୋଗ୍ୟ ଲୋକ ପାଇବାର ମଧ୍ୟ ନଜିର ଅଛି ବୋଲି ଶ୍ରୀ ହରିଚନ୍ଦନ ଅଭିଯୋଗ କରିଛନ୍ତି। ସ୍ଥାୟୀ ପ୍ରତିକାର ପାଇଁ ଯଥାଶୀଘ୍ର ରାଜ୍ୟ ସରକାର ଖସଡ଼ା ପ୍ରସ୍ତୁତ କରନ୍ତୁ ବୋଲି ସେ କହିଛନ୍ତି।

ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରି ବିଜେଡି ସାଧାରଣ ସମ୍ପାଦକ ତଥା ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା କହିଛନ୍ତି, ୧୯୯୯ ମସିହା ମହାବାତ୍ୟା ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟ ସରକାର ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟକୁ ସଫଳତାର ସହ ମୁକାବିଲା କରିଛନ୍ତି। ଫାଇଲିନ୍‌, ହୁଡ଼ହୁଡ଼୍‌, ତିତିଲି, ଫନି ଓ ଏବର ଅମ୍ଫାନ୍‌ର ସଫଳ ମୁକାବିଲା କରି ରାଜ୍ୟ, ଦେଶ ଓ ଅନ୍ତରାଷ୍ଟ୍ରୀୟ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଗଲା ଫନି ବାତ୍ୟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ସମୀକ୍ଷା କରିବା ଅବସରରେ ରାଜ୍ୟ ସରକାରଙ୍କ ବାତ୍ୟା ପରିଚାଳନା ସମଗ୍ର ଦେଶ ପାଇଁ ପଥ ପ୍ରଦର୍ଶକ ବୋଲି କହିଥିଲେ। ଗତକାଲି ମଧ୍ୟ ସମୀକ୍ଷା ବେଳେ ସରକାରଙ୍କ ସମୟୋଚିତ ପଦକ୍ଷେପକୁ ଶ୍ରୀ ମୋଦୀ ପ୍ରଶଂସା କରିଥିଲେ। ଖାଲି ସେତିକି ନୁହେଁ, କରୋନା ମୁକାବିଲା କ୍ଷେତ୍ରରେ ମଧ୍ୟ ରାଜ୍ୟ ସରକାରଙ୍କ ଭୂମିକାକୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାର ପ୍ରଶଂସା କରିଛନ୍ତି। ରାଜ୍ୟବାସୀ ଯେତେବେଳେ ଦୁଇ ଦୁଇଟି ବିପର୍ଯ୍ୟୟର ମୁକାବିଲା କରୁଛନ୍ତି ସେହି ସମୟରେ ବିରୋଧୀ ଏପରି ରାଜନୀତି କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ଦାସବର୍ମା କହିଛନ୍ତି।

ସମ୍ବନ୍ଧିତ ଖବର