ଗଣଶିକ୍ଷକଙ୍କୁ ମିଳିନି ଦୁଇ ମାସର ଦରମା; ୧୫ ଶହ ଶିକ୍ଷକ ଦୁଇ ମାସରେ ପାଇବେ ପ୍ରାୟ ୮କୋଟି

ରାଉରକେଲା: ଅନ୍ୟ ଶିକ୍ଷକମାନଙ୍କ ପରି ଗଣ ଶିକ୍ଷକମାନଙ୍କୁ ଜିଲ୍ଲାରେ ଏତେଟା ଗୁରୁ୍ତ୍ବ ଦିଆଯାଉ ନାହିଁ। ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କୁ ଶିକ୍ଷା ବିଭାଗ ଅଣଦେଖା କରି ଚାଲିଛନ୍ତି। ଅନ୍ୟ ନିୟମିତ ଶିକ୍ଷକମାନେ ପ୍ରତ୍ୟେକ ମାସର ୧ ତାରିଖ ସୁଦ୍ଧା ଦରମା ପାଉଥି‌ଲାବେଳେ ନିୟମିତ ଗଣଶିକ୍ଷକଙ୍କୁ ଏ କ୍ଷେତ୍ରରେ କିନ୍ତୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି। କେତେବେଳେ ଦୁଇ ମାସ ପରେ ତ ପୁଣି ଅନ୍ୟ କେତେବେଳେ ତିନି ମାସ ପରେ ଦରମା ମିଳୁଛି। ନିକଟରେ ସୁନ୍ଦରଗଡ ଜିଲ୍ଲାର ଗଣ ଶିକ୍ଷକଙ୍କୁ ୬ ମାସରେ ବକେୟା ମିଳି ନଥିବାରୁ ବିବାଦ ଉପୁଜିଥିଲା।

ବିଭାଗୀୟ ଅଧିକାରୀଙ୍କ ତ୍ରୁଟି ଯୋଗୁଁ ଗଣ ଶିକ୍ଷକଙ୍କୁ ମାସ ମାସ ଅପେକ୍ଷା କରିବାକୁ ପଡିଥିଲା। ଜିଲ୍ଲାର ୧୭ ବ୍ଲକରୁ ୧୫ ବ୍ଲକର ଗଣଶିକ୍ଷକଙ୍କୁ ମିଳିଥିବାବେଳେ ବିଭାଗୀୟ ଅଧିକାରୀଙ୍କ ତ୍ରୁଟି ଯୋଗୁଁ ନୂଆଗାଁ ଓ ଗୁରୁଣ୍ଡିଆ ଶିକ୍ଷକଶିକ୍ଷୟତ୍ରୀମାନେ ଏଥିରୁ ବଞ୍ଚିତ ହୋଇଥିଲେ। ନୂଆଗାଁ ଗଣ ଶିକ୍ଷକଙ୍କ ବକେୟା ଦରମା ବିଶ୍ରା ବିଇଓ ଅଫିସ୍‌କୁ, ଗୁରୁଣ୍ଡିଆ ଶିକ୍ଷକଙ୍କ ଦରମା ବଣାଇଁ ବିଇଓ ଅଫିସ୍‌କୁ ଚାଲିଯାଇଥିଲେ। ଦୁଇ ବ୍ଲକ ଅଫିସକୁ ଅଧିକ ଟଙ୍କା ଆସିଥିଲେ ସୁଦ୍ଧା ଦୁଇ ବ୍ଲକ ଶିକ୍ଷା ଅଧିକାରୀ ଚୁପ୍‌ ରହିଥିଲେ। ପରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବିଭାଗୀୟ ଅଧିକାରୀଙ୍କ ଚେତା ପଶିଥିଲା। ଏବେ ୬ ମାସର ଦରମାରୁ କିଛି ମାସର ମିଳିଛି।

ସେପଟେ ଜିଲ୍ଲାର ୧୫ ନିୟମିତ ଗଣଶିକ୍ଷକଙ୍କୁ ଟ୍ରେଜେରୀ ଜରିଆରେ ଦରମା ମିଳୁ ନଥିବାରୁ ଡିପିସି ଅଫିସ୍‌ ଉପରେ ନିର୍ଭର କରୁଛନ୍ତି। କାରଣ ଏମାନଙ୍କ ଦରମା ଓଡ଼ିଶା ସ୍କୁଲ ଏଜୁକେଶନ୍‌ ପ୍ରୋଗାମ୍‌ ଅଥରିଟି (ଓସେପା)ରୁ ଡିପିସି ଅଫିସ୍‌କୁ ଆସିଥାଏ। ଡିପିସି ଅଫିସରୁ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଅଫିସକୁ ଆସିବା ପରେ ଦରମାର ମିଳିଥାଏ। କରୋନା ସଙ୍କଟ ସମୟରେ ଦୁଇ ମାସର ଦରମା ମିଳି ନଥିବାରୁ ନିୟମିତ ଗଣଶିକ୍ଷକ ଶିକ୍ଷୟତ୍ରୀ ମହଲରେ ଅସନ୍ତୋଷ ଦେଖାଦେଇଛି। ନିକଟରେ ସାବିତ୍ରୀ ଓ ଏବେ ରଜ ମଉଜ ଏମାନଙ୍କ ଖୁସିକୁ ଫିକା କରି ଦେଇଛି। ତେବେ ସମାନ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଥିବା

ଗଣଶିକ୍ଷକଙ୍କୁ ଏଭଳି ପାତରଅନ୍ତର କରିବା ବୁଦ୍ଧିଜୀବୀଙ୍କୁ ବ୍ୟଥିତ କରିଛି। ସୁନ୍ଦରଗଡ ଜିଲ୍ଲାରେ ପ୍ରାୟ ୧୫୦୦ ନିୟମିତ ଗଣଶିକ୍ଷକ ବିଭିନ୍ନ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି। ଏମାନଙ୍କ ମଧ୍ୟରେ ବିଶ୍ରା ବ୍ଲକରେ ପ୍ରାୟ ୧୩୪, କୁଆରମୁଣ୍ଡାରେ ୧୮୩, ଲାଠିକଟାରେ ୧୮୬, ନୂଆଗାଁରେ ୧୮୫, ବଣାଇଁଗଡରେ ୪୧, ଲହୁଣୀପଡାରେ ୧୦୭, ଗୁରୁଣ୍ଡିଆରେ ୭୨, କୋଇଡାରେ ୭ ଶିକ୍ଷକଶିକ୍ଷୟତ୍ରୀ ଅଛନ୍ତି। ଅନୁରୂପ ଭାବେ ବଡଗାଁରେ ୮୦, ରାଜଗାଙ୍ଗପୁରରେ ୧୩୪, ହେମଗିରିରେ ୬୩, ଟାଙ୍ଗରପାଲି, କୁତ୍ରା, ସବଡେଗା, ସୁନ୍ଦରଗଡ ସଦର, ବାଲିଶଙ୍କରା ଓ ଲେଫ୍ରିପଡାରେ ପ୍ରାୟ ଶତାଧିକ ଲେଖାଏଁ ଗଣଶିକ୍ଷକ ଶିକ୍ଷୟତ୍ରୀ ରହିଛନ୍ତି। ଦୁଇ ମାସର ଦରମା ବାବଦକୁ ପ୍ରାୟ ୮ କୋଟିରୁ ଅଧିକ ଟଙ୍କାର ଦରମା ମିଳିବ। ତେଣୁ ଏଭଳି ସମୟରେ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଗଣଶିକ୍ଷକମାନଙ୍କୁ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର