ଚନ୍ଦକା-ଡମପଡ଼ା ଅଭୟାରଣ୍ୟ‌ରେ ଗୁରୁତର ଅସୁସ୍ଥ ହାତୀର ଚାଲିଛି ଚିକିତ୍ସା

ବାରଙ୍ଗ : ଚନ୍ଦକା-ଡମପଡ଼ା ଅଭୟାରଣ୍ୟ‌ରେ ଗୁରୁତର ଅସୁସ୍ଥ ୯ ବର୍ଷୀୟା ଜଙ୍ଗଲୀ ମାଈ ହାତୀର ଚିକିତ୍ସା ଜାରି ରହିଛି। ହର୍ପିସ୍‌ ଭୂତାଣୁରେ ଆକ୍ରାନ୍ତ ହୋଇଥିବା ନେଇ ଗତକାଲି ପିସିସିଏଫ୍‌ମାନେ ଅନୁମାନ କରିଥିଲେ। ତେଣୁ ଗତକାଲି ହାତୀକୁ ପ୍ରତିଷେଧକ ଟିକା ଓ ସାଲାଇନ୍ ଦିଆଯାଇଥିଲା। ଆଜି ତାହା କାମ ଦେଇଛି। ଚିକିତ୍ସାର ୨୪ଘଣ୍ଟା ପରେ ଆଜି ସକାଳୁ ହାତୀଟି ମୁଣ୍ତ ହଲାଇଥିଲା। ଅପରାହ୍‌ଣରେ ହାତୀଟି ଲାଞ୍ଜ ହଲାଇବା ସହ ଧୀରେ ଧୀରେ ମୁଣ୍ଡ ଟେକିଥିଲା। ବନ ବିଭାଗ କର୍ମଚାରୀମାନେ ଦେଇଥିବା କଦଳୀ ଓ ଗଛ ପତ୍ର ଖାଇଛି। ପାଣି ବି ପିଇଛି। ଛାଟିପିଟି ହୋଇ ଛିଡ଼ା ହେବାକୁ ଉଦ୍ୟମ କରିବାରୁ ବନ ବିଭାଗର କର୍ମଚାରୀମାନେ ତା’ ପେଟ ତଳେ ବେଲ୍ଟ ଦେଇ ଜେସିବି ମେସିନ୍ ସାହଯ୍ୟରେ ଉଠାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେ ଛିଡ଼ା ହୋଇପାରି ନଥିଲା। ହାତୀଟି ଛାଟିପିଟି ହେଉଥିବାରୁ ତା’ର ଅଙ୍ଗପ୍ରତ୍ୟଙ୍ଗ ଠିକ୍ ଥିବା ଚିକିତ୍ସା କରୁଥିବା ଡାକ୍ତରୀ ଦଳ ଅନୁମାନ କରିଛନ୍ତି। ତେବେ ରକ୍ତନମୁନା‌ ରିପୋର୍ଟ ଆସି ନଥିବାରୁ ଡାକ୍ତରୀ ଦଳ କିଛି କହିବାକୁ ମନା କରିଦେଇଛନ୍ତି।

ସମ୍ବନ୍ଧିତ ଖବର