ଚର୍ଚ୍ଚାରେ ମାଛୁଆବଜାର: ଗଣେଶ ମୂର୍ତ୍ତି ବିସର୍ଜନରେ ଡାକ୍ତର୍‌, ଇଞ୍ଜିନିୟର୍‌ ବଜାଇଲେ ବାଜା

କଟକରେ ମହାରାଷ୍ଟ୍ରର ଢୋଲ୍‌ ବାଜା, ପ୍ରଥମ ପର୍ଯ୍ୟାୟ ୪୦୦ ମେଢ଼ ବିସର୍ଜନ

କଟକ : ୭୫ ଡାକ୍ତର, ଇଞ୍ଜିନିୟର୍‌ ଓ ଛାତ୍ରଛାତ୍ରୀ ବଜାଇଛନ୍ତି ମହାରାଷ୍ଟ୍ରର ଢୋଲ୍ ବାଜା। ଏହି ଶିକ୍ଷିତ ଯୁବକ, ଯୁବତୀମାନେ କଟକ ସହରରେ ଗଣେଶ ବିସର୍ଜନରେ ପ୍ରଥମଥର ମହାରାଷ୍ଟ୍ର ନାଗପୁରର ଢୋଲ୍ ବାଜା ବଜାଇଛନ୍ତି ମାଛୁଆବଜାର ନ୍ୟୁ ଜୁନିଅର୍ ଷ୍ଟାର୍ କ୍ଲବ୍‌ ପକ୍ଷରୁ ଏଥର ବିସର୍ଜନରେ ମହାରାଷ୍ଟ୍ରର ପାରମ୍ପରିକ ବାଜାର ଆୟୋଜନ କରାଯାଇଥିଲା। ଡାକ୍ତର ଓ ଇଂଜିନିୟର୍‌ ବାଜା ବଜାଉଥିବାରୁ ଏହା ଦେଖିବାକୁ ମାଛୁଆବଜାର ଛକରେ ରବିବାର ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, କରୋନା କଟକଣାକୁ ଦୃଷ୍ଟିରେ ରଖି ଗଲା ଦୁଇବର୍ଷ ହେବ ପାର୍ବଣ ଏକ ପ୍ରକାର ବନ୍ଦ ହୋଇଯାଇଥିଲା। କଟକଣା କୋହଳ ପରେ ଚଳିତବର୍ଷ କଟକରେ ପ୍ରଥମ ପର୍ଯ୍ୟାୟ ଭସାଣିରେ ସବୁଠାରୁ ବଡ଼ ଆକର୍ଷଣ ଥିଲା ମହାରାଷ୍ଟ୍ରର ପାରମ୍ପରିକ ବାଦ୍ୟ ଢୋଲ୍ ବାଜା। ମହାରାଷ୍ଟ୍ରର ନାଗପୁରର ଶିବ ସାଇ ଢୋଲ୍ ତାସା ଅନୁଷ୍ଠାନ ପକ୍ଷରୁ ଏକ ୭୫ଜଣିଆ ଟିମ୍ କଟକ ମାଛୁଆବଜାର ଆସିଛନ୍ତି। ଏଥିରେ ୧୭ ଜଣ କେବଳ ମହିଳା ସଦସ୍ୟ ଥିବାବେଳେ ଅବଶିଷ୍ଟ ପୁରୁଷ ଅଛନ୍ତି। ଏମାନେ ସମସ୍ତେ ବୃତ୍ତିରେ ଡାକ୍ତର, ଇଞ୍ଜିନିୟର୍‌ ସହିତ ଆଉ କିଛି ଅଧ୍ୟୟନରତ ଯୁବକ ଯୁବତୀ।

ଏହି ସଂଗଠନର ସଦସ୍ୟ ଅଖିଳେଶ ମନୋହର ପତ୍ରିଵାର୍‌ କହିଛନ୍ତି ଯେ ପ୍ରତ୍ୟେକ ବର୍ଷ ଏହି ଟିମ୍ ଅହମ୍ମଦାବାଦ, ହାଇଦ୍ରାବାଦ୍‌, ଗୁଜୁରାଟ ଯାଉଥିବା ବେଳେ ଚଳିତବର୍ଷ ପ୍ରଥମ ଥର ପାଇଁ ଓଡ଼ିଶା ଆସିଛି। ଆସନ୍ତାବର୍ଷ ପୁଣି ଓଡ଼ିଶା ଆସିବାକୁ ଆଶା ରଖିଛୁ। ବିସର୍ଜନରେ ଏହି ବାଦ୍ୟ ବଜାଇବା ପାଇଁ ନାଗପୁରରେ ଦେଢ଼ମାସ ପୂର୍ବରୁ ଟିମ୍ ସଦସ୍ୟ ଅଭ୍ୟାସ କରିଥାନ୍ତି। ରାତି ୭ଟାରୁ ୧୧ଟା ଯାଏ ଅଭ୍ୟାସ ଚାଲିଥାଏ। ଏହି କାର୍ଯ୍ୟକ୍ରମ ପରିବେଷଣ ବାବଦରେ ଯାହା ଅର୍ଥ ମିଳେ ସେଥିରୁ ଗସ୍ତ ଓ ଖାଦ୍ୟ ଖର୍ଚ୍ଚ ବାଦ୍‌ ଅବଶିଷ୍ଟ ଟଙ୍କା ଅନାଥାଶ୍ରମ, ବୃଦ୍ଧାଶ୍ରମକୁ ଦାନ କରାଯାଉଥିବା ଶ୍ରୀ ପତ୍ରି​​ଵାର୍‌ କହିଛନ୍ତି।

ଅନ୍ୟପଟେ ବିସର୍ଜନର ପ୍ରଥମ ପର୍ଯ୍ୟାୟରେ ରବିବାର ୪୦୦ ମେଢ଼ ବିସର୍ଜନ ଶୋଭାଯାତ୍ରାରେ ସାମିଲ ହୋଇଥିବା ବେଳେ ଆସନ୍ତା ୧୧ ଓ ୨୫ ତାରିଖ ଦୁଇଟି ପର୍ଯ୍ୟାୟରେ ବିସର୍ଜନ ହେବାକୁ କମିସନରେଟ୍ ପୁଲିସ ପକ୍ଷରୁ ସ୍ଥିର କରାଯାଇଛି। କମିସନରେଟ୍ ପୁଲିସ ପକ୍ଷରୁ ମୋଟ ୨୨ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏସ୍‌ଆଇ ଓ ଏଏସ୍‌ଆଇ ୫୦ ଜଣ, ଇନ୍‌ସପେକ୍ଟର୍‌ ଓ ଏସିପି ୫୦, ଏଡିସିପି ୨ ଜଣ ଭସାଣିରେ ସାମିଲ ହୋଇ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିଥିଲେ। ଗୋପାଳପୁର, ଦେବୀଗଡ଼ା, ଗଡ଼ଗଡ଼ିଆ ଘାଟ, ମାତାମଠ, ଜଗତପୁର ଭଳି ସ୍ଥାନରେ ସିଏମ୍‌ସି ପକ୍ଷରୁ ଅସ୍ଥାୟୀ ପୋଖରୀ ଖୋଳାଯାଇ ମେଢ଼ ବିସର୍ଜନ କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର