ଚାଲିଚାଲି ଛତିଶଗଡ଼ ଫେରୁଛନ୍ତି ୫୬ ଶ୍ରମିକ

57 workers are returning to Chhattisgarh on foot

ବନ୍ତଳା/ନାଲ୍‌କୋନଗର: ଲକ୍‌ଡାଉନ୍‌ ଯୋଗୁଁ ଶ୍ରମିକଙ୍କ ପରିସ୍ଥିତି ଦୁର୍ବିଷହ ‌ହୋଇପଡ଼ିଛି। କାମ ବନ୍ଦ ହୋଇଯାଇଥିବାରୁ ଛତିଶଗଡ଼ର ୫୬ ଜଣ ଶ୍ରମିକ ଚାଲି ଚାଲି ଘରକୁ ଯାଉଛନ୍ତି। ସାଙ୍ଗରେ ଅଛନ୍ତି ୧୨ଜଣ ଶିଶୁ।

ଏହି ଶ୍ରମିକମ‌ାନେ ଜଗତସିଂହପୁର ଓ କେନ୍ଦ୍ରାପଡ଼ାରୁ ଆସିଥିଲେ। ଛୋଟ ପିଲାଙ୍କୁ ଧରି ଡହ ଡହ ଖରାରେ ୫୫ ନମ୍ବର ଜାତୀୟ ରାଜପଥରେ ଚାଲି ଚାଲି ଆସି ଆଜି ମଧ୍ୟାହ୍ନରେ ଅନୁଗୁଳରେ ପହଞ୍ଚିଥିଲେ। ଦୁଇଦିନ ହେଲା ରନ୍ଧାଖାଦ୍ୟ ପାଇନଥିଲେ। ଏକ ସ୍ବେଚ୍ଛା‌ସେବୀ ଖାଦ୍ୟ ରାନ୍ଧି ସେମାନଙ୍କୁ ଦେଇଥିଲା। ଏହି ଶ୍ରମିକଙ୍କ ମଧ୍ୟରୁ ରାମ ପ୍ରସାଦ ଓ ନନ୍ଦ କୁମାର ସେମାନଙ୍କ ଦୁଃଖ କାହାଣୀ କହିଥିଲେ। ଛତିଶଗଡ଼ ରାୟଗଡ଼ ଅଞ୍ଚଳର ଏହି ଶ୍ରମିକମାନେ ୫ ମାସ ତଳେ କେନ୍ଦ୍ରପଡ଼ା ଓ ଜଗତସିଂହପୁର ଅଞ୍ଚଳକୁ ଇଟାଭାଟିରେ କାମ କରିବା ପାଇଁ ଯାଇଥିଲେ। କେନ୍ଦ୍ରାପଡ଼ା ବିଳାସପୁର ଓ ଜଗତସିଂହପୁର ରାଇବରାଇରେ ଇଟାଭାଟି କାମ ଚାଲିଥିଲା। ଲକ୍‌ଡାଉନ୍‌ ଯୋଗୁଁ କାମ ବନ୍ଦ ହୋଇଗଲା। ସେଠାରେ ଦୁଇମାସ ହେଲା ବସିରହିଥିଲେ। ପାଖରେ ଥିବା ଟଙ୍କା ସରିଗଲା। ଅନ୍ୟ କିଛି ଉପାୟ ନପାଇ ଚାଲି ଚାଲି ଘରକୁ ଯିବା ପାଇଁ ସ୍ଥିର କଲେ। ଗତ ରବିବାରଠାରୁ ପିଲାପିଲିଙ୍କୁ ସାଥିରେ ଧରି ପ୍ରାୟ ୨୨୦ କିଲୋମିଟର ଅତିକ୍ରମ କରି ଆଜି ଅନୁଗୁଳରେ ପହଞ୍ଚିଥିଲେ। ସେଥରୁ କଟକ ମୁଣ୍ଡଳୀଠାରୁ ଢେଙ୍କାନାଳ ପର୍ଯ୍ୟନ୍ତ ଏକ ଟ୍ରକ୍‌ରେ ଆସିଥିଲେ।

ଅନୁଗୁଳର ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ସାଥୀ’ ପରିବାର ପୁଲିସ ସହଯୋଗରେ ଶ୍ରମିକମାନଙ୍କୁ ପଞ୍ଚମହଲାର ଏକ ଆମ୍ବ ବଗିଚାକୁ ନିଆଯାଇଥିଲା। ସେଠାରେ ସେମାନଙ୍କୁ ଶୁଖିଲା ଖାଦ୍ୟ ଓ ପାଣି ଦେବା ପରେ ଖାଦ୍ୟ ରାନ୍ଧିକରି ଦେଇଥିଲା। ଦୁଇଦିନ ହେଲା କେବଳ ଚୁଡ଼ା ଓ ବିସ୍କୁଟ୍‌ ଖାଇ ଆସୁଥିଲେ। ଆଜି ଭାଗ୍ୟରେ ରନ୍ଧାଖାଦ୍ୟ ଜୁଟିଲା ବୋଲି ସେମାନେ ପ୍ରକାଶ କରିଥିଲେ। କିଛି ସମୟ ବିଶ୍ରାମ ପରେ ଅପରାହ୍ଣ ସାଢ଼େ ୪ଟାବେଳେ ପୁଣି ଚାଲିବା ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର