ଚୌଦ୍ବାରରେ ଅଟୋ ମାଲିକଙ୍କୁ ହତ୍ୟା

ଗାଡ଼ି ମିଳିଲା ଜଗତପୁରରୁ, ମୃତଦେହ ଚୌଦ୍ବାରରୁ
ମୃତ ଲୋକନାଥଙ୍କ ଶରୀରରେ ଏକାଧିକ କ୍ଷତଚିହ୍ନ

ଚୌଦ୍ବାର : ଚୌଦ୍ବାର ଅଞ୍ଚଳର ଜଣେ ଡାଲା ଅଟୋ ମାଲିକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ୫୫ ନମ୍ବର ଜାତୀୟ ରାଜପଥ ନୁନ୍‌ଟିକିରି ଚାଉଳିଆ ପୋଲ ନିକଟସ୍ଥ ସର୍ଭିସ ରୋଡ୍‌ରୁ ଆଜି ଭୋଅର ସମୟରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତ ଗାଡ଼ି ମାଲିକ ହେଉଛନ୍ତି ଚୌଦ୍ବାର ଓଟିଏମ୍ ଦୁର୍ଗାବଜାର ବାସିନ୍ଦା ଦୁଃଶାସନ ବିଶ୍ବାଳଙ୍କ ବଡ଼ପୁଅ ଲୋକନାଥ ବିଶ୍ବାଳ (୪୪)। ଲୋକନାଥଙ୍କ କାନ୍ଧ, ପେଟ, ଗୋଡ଼, ମୁଣ୍ଡ, ଗାଲରେ ଗଭୀର କ୍ଷତ ରହିଛି। କୌଣସି ଧାରୁଆ ଅସ୍ତ୍ରରେ ତାଙ୍କୁ ଆଘାତ କରାଯାଇଥିବା ସନ୍ଦେହ କରାଯାଉଛି। ଜଗତପୁର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବିରୂପା ବ୍ରିଜ୍ ନିକଟରେ ଲୋକନାଥଙ୍କ ଡାଲା ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇପଡ଼ିଥିବାବେଳେ ଚୌଦ୍ବାରରେ ତାଙ୍କ ମୃତଦେହ ପଡ଼ିବା ଘଟଣା ଯୋଜନାବଦ୍ଧ ହତ୍ୟାକାଣ୍ଡର ଆଶଙ୍କା ବଢାଉଛି।

ସୂଚନା ଅନୁଯାୟୀ ଲୋକନାଥ ନିଜର ଡାଲା ଅଟୋରେ ଗତକାଲି ଓଟିଏମ୍ କଲୋନି ବନମାଳୀ ଷ୍ଟୋର ଛକ, ଜଗନ୍ନାଥ ସେରାମିକ୍ସ ମାର୍ବଲ ଓ ଟାଇଲସ୍‌ ଗୋଦାମରୁ ମାଲ ନେଇ ସାଲେପୁର କଟିକଟା ଅଂଚଳରେ ଦେବାକୁ ଯାଇଥିଲେ। ଟାଇଲସ୍‌ ଓ ମାର୍ବଲ ଅନଲୋଡ୍‌ କରିବାପରେ ଜଗତପୁର ଦେଇ ଚୌଦ୍ବାରକୁ ଫେରୁଥିଲେ। ଫେରିବା ସମୟରେ ଲୋକନାଥ କ’ଣ ଖାଇବାକୁ ନେବେ ବୋଲି ଫୋନ୍‌ରେ ନିଜ ପତ୍ନୀ ଅନସୂୟାଙ୍କୁ ପଚାରିଥିଲେ। ଜଗତପୁର ପାଖାପାଖି ହେଲିଣି, ଜଲ୍‌ଦି ଘରେ ପହଞ୍ଚି ଯିବି ବୋଲି କହିଥିଲେ। କିନ୍ତୁ ରାତି ୧୦ଟା ସମୟ ପରେ ଜଗତ୍ପୁର ଥାନା ବିରୂପା ବ୍ରିଜ୍ ନିକଟସ୍ଥ ରାଜପଥରେ ଡାଲା ଅଟୋକୁ କୌଣସି ଅଜଣା ଗାଡ଼ି ଧକ୍କା ଦେଇଥିବା ସୂଚନା ପାଇ ସେଠାରେ ଜଗତପୁର ପୁଲିସ୍‌ ସେଠାରେ ପହଞ୍ଚିବା ସହିତ ଗାଡ଼ିକୁ ଜବତ କରିଥିଲା। କିନ୍ତୁ, ଏହି ଡାଲା ଅଟୋରେ ଲେଖାଯାଇଥିବା ମୋବାଇଲ ନମ୍ବରକୁ ରାତି ୧୦ଟା ୩୦ ଏବଂ ରାତି ଗୋଟାଏ ବେଳେ ଭିନ୍ନ ଭିନ୍ନ ନମ୍ବରରୁ ଦୁଇଟି କଲ୍‌ ଯାଇଥିଲା। ସେହି ଫୋନ୍‌ଟି ଲୋକନାଥଙ୍କ ଘରେ ଥିବାରୁ ଲୋକନାଥଙ୍କ ପରିବାର ଓ ପଡ଼ୋଶୀମାନେ ଦୁର୍ଘଟଣା ହୋଇଥିବା ଖବର ପାଇ ରାତି ୧୧ଟାରୁ ମଧ୍ୟ ରାତି ପର୍ଯ୍ୟନ୍ତ ଦୁର୍ଘଟଣାସ୍ଥଳରେ ଖୋଜାଖୋଜି କରିବା ସହ ଥାନାର ସହାୟତା ନେଇଥିଲେ। ଦୁର୍ଘଟଣା ସ୍ଥାନରେ ଅଥବା କଟକ ବଡ଼ମେଡିକାଲରେ ଲୋକନାଥଙ୍କ ପତ୍ତା ମିଳି ନଥିଲା। ଆଜି ସକାଳେ ଚୌଦ୍ବାର ଅଞ୍ଚଳରୁ ଲୋକନାଥଙ୍କ ମୃତଦେହ ମିଳିଥିଲା। ମୃତ ଲୋକନାଥଙ୍କ ପାଖରୁ ୨୫ ହଜାର ଟଙ୍କା ଓ ମନିପର୍ସରୁ ୧୫ ଶହରୁ ଅଧିକ ଟଙ୍କା ବାହାରିଥିଲା। ସେ କଟିକଟାରେ ମାର୍ବଲ ଡେଲିଭରି କରି ୨୫ ହଜାର ଟଙ୍କା ଆଣିଥିବା ଜଣାପଡ଼ିଛି। ଫଳରେ, ଲୁଟ୍‌ ଉଦ୍ଦେଶ୍ୟରେ ଏଭଳି ଅପରାଧ ଘଟି ନଥିବା ସ୍ପଷ୍ଟ ହେଉଛି। ପୂର୍ବ ଶତ୍ରୁତା ଅଥବା ବ୍ୟବସାୟକୁ ନେଇ ବିବାଦରୁ ଏଭଳି ହୁଏତ ଘଟିଥିବା ସନ୍ଦେହ କରାଯାଉଛି।

ଏସିପି ଆର.ଏନ୍.ମୁଦୁଲି, ଥାନା ଅଧିକାରୀ ବିରଂଚି ନାରାୟଣ ପତି, ଜଗତ୍ପୁର ଥାନା ଅଧିକାରୀ ରବିନାରାୟଣ ମେହେରଙ୍କ ସହିତ ଡଗ୍ ସ୍କ୍ବାଡ, ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଛନ୍ତି। ଚୌଦ୍ବାର ଥାନାରେ ଏକ ହତ୍ୟା ମାମଲା ରୁଜୁ ହେବା ସହ ଏସ୍‌ଆଇ ଦିଲ୍ଲୀପ କୁମାର ମର୍ଦ୍ଦରାଜ ଭୂୟାଁ ଘଟଣାର ତଦନ୍ତ କରୁଛନ୍ତି। ଘଟଣାସ୍ଥଳରେ ଏକ ଚାରିଚକିଆ ଦାମୀ ଗାଡ଼ି ଚକାର ଚିହ୍ନ ଦେଖିବାକୁ ମିଳିଛି। ମୃତ ଲୋକନାଥଙ୍କର ଏକମାତ୍ର ଝିଅ ଦେବସ୍ମିତା ବିଶ୍ବାଳ ଓରଫ୍ ଖୁସି (୧୬) ଦଶମ ପରୀକ୍ଷା ଦେଇଥିବା ବେଳେ ସେ ଆଦର୍ଶ ବିଦ୍ୟାଳୟରେ ଛାତ୍ରୀ। ପୁଅ ବିଶ୍ବଜିତ୍ ବିଶ୍ବାଳ (୧୪) ଅଷ୍ଟମ ଶ୍ରେଣୀରେ ଓଟିଏମ୍ ହାଇସ୍କୁଲରେ ପଢୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର