ଜଷ୍ଟିସ ଏମ୍.ଏମ୍‌.ଦାସ କମିସନ : ୧୧ ମାସ ହେଲା ପଡ଼ି ରହିଛି ୭ ଲକ୍ଷ ସତ୍ୟପାଠ, ଏ ପର୍ଯ୍ୟନ୍ତ ଆରମ୍ଭ ହୋଇ ପାରିଲା ନାହିଁ ଡିଜିଟାଇଜେସନ୍

କଟକ : ଚିଟ୍‌ଫଣ୍ଡ ମାମଲାର ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ ଦାସ କମିସନଙ୍କ ନିକଟରେ ଦ୍ବିତୀୟ ପର୍ଯ୍ୟାୟରେ ଦାଖଲ ପ୍ରାୟ ୭ ଲକ୍ଷ ସତ୍ୟପାଠର ତଦନ୍ତକୁ ନେଇ ଅନିଶ୍ଚିତତା ଦେଖା ଦେଇଛି। ସତ୍ୟପାଠଗୁଡ଼ିକ ଡିଜିଟାଇଜେସନ୍ ପରେ ଯାଞ୍ଚ କରାଯିବାକୁ ଥିବା ବେଳେ ଏହି ପ୍ରସଂଗରେ କୌଣସି ଅଗ୍ରଗତି ହୋଇ ନାହିଁ। ପ୍ରାୟ ୧୧ ମାସ ହେବ କମିସନଙ୍କ କଟକ ବକ୍ସିବଜାର ପୁଲିସ ଲାଇନସ୍ଥିତ କାର୍ଯ୍ୟା‌ଳୟରେ ଏହି ସତ୍ୟପାଠଗୁଡିକ ପଡ଼ି ରହିଛି।

୨୦୧୮, ନଭେମ୍ବର ୧୩ରୁ ୨୦୧୯, ଜାନୁଆରି ୩୧ ମଧ୍ୟରେ ଦାଖଲ ପ୍ରାୟ ୭ ଲକ୍ଷ ସତ୍ୟପାଠର ଡିଜିଟାଇଜେସନ୍ ପାଇଁ କମିସନ୍ ସରକାରଙ୍କୁ ଚିଠି ଲେଖିଥିଲେ। ଏ ସଂପର୍କିତ ପ୍ରସ୍ତାବକୁ ସରକାର ଗତ ଅକ୍ଟୋବରରେ ଅନୁମତି ଦେଇଥିଲେ। ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ୍)କୁ ସତ୍ୟପାଠଗୁଡ଼ିକର ଡିଜିଟାଇଜେସନ୍ ଦାୟିତ୍ବ ଦିଆଯାଇଥିଲା। ଏ ନେଇ ଗୃହ ବିଭାଗ ପକ୍ଷରୁ ଓକାକ୍‌କୁ ଚିଠି ଲେଖାଯାଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ଓକାକ୍ ପକ୍ଷରୁ ଏହି ଯାଞ୍ଚ ପାଇଁ କିଛି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। କାହିଁକି ସତ୍ୟପାଠ ଯାଞ୍ଚ କାର୍ଯ୍ୟ ଆରମ୍ଭ ହୋଇ ନାହିଁ ତାହା ଅସ୍ପଷ୍ଟ ଥିବାବେଳେ ସତ୍ୟପାଠଗୁଡ଼ିକ କମିସନଙ୍କ କାର୍ଯ୍ୟାଳୟରେ ପଡ଼ି ପଡ଼ି ଖତ ଖାଇବା ଆଶଙ୍କା ସୃଷ୍ଟି ହୋଇଛି।

ଉଲ୍ଲେଖଯୋଗ୍ୟ ଯେ ୨୦୧୩ରେ ଚିଟଫଣ୍ତ କମ୍ପାନିଗୁଡ଼ିକର ଠକାମିର ଶିକାର ହୋଇଥିା ବହୁ ଜମାକାରୀ ନିର୍ଦ୍ଧାରିତ ସମୟସୀମା ଭିତରେ ସତ୍ୟପାଠ ଦାଖଲ କରି ପାରି ନଥିଲେ। ଏପରି ଜମାକାରୀଙ୍କ ପାଇଁ କମିସନ ୨୦୧୮, ନଭେମ୍ବର ୧୩ରେ ସାନି ବିଜ୍ଞପ୍ତି ପ୍ରକାଶ କରି ୨୦୧୮, ଡିସେମ୍ବର ୩୧ ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ସୁଯୋଗ ଦେଇଥିଲେ। ଧାର୍ଯ୍ୟ ସମୟସୀମା ଭିତରେ ୪ଲକ୍ଷରୁ ଅଧିକ ଜମାକାରୀ ସତ୍ୟପାଠ ଦାଖଲ କରିଥିବାବେଳେ ବହୁ ଜମାକାରୀ ବିଭିନ୍ନ କାରଣରୁ ଏହି ସୁଯୋଗର ଫାଇଦା ନେଇ ପାରି ନଥିଲେ। ବହୁ କ୍ଷତିଗ୍ରସ୍ତ ଜମାକାରୀ ଓ ବିଶିଷ୍ଟ ବ୍ୟକ୍ତି ସତ୍ୟପାଠ ଦାଖଲର ସମୟସୀମା ବୃଦ୍ଧି କରିବାକୁ କମିସନଙ୍କୁ ଅନୁରୋଧ କରିଥିଲେ। ଏହାପରେ ସତ୍ୟପାଠ ଦାଖଲର ସମୟସୀମା ୨୦୧୯, ଜାନୁଆରି ୩୧ ପର୍ଯ୍ୟନ୍ତ କମିସନ ବୃଦ୍ଧି କରିଥିବା ବେଳେ ଏହି ଦ୍ବିତୀୟ ପର୍ଯ୍ୟାୟରେ ପ୍ରାୟ ୭ ଲକ୍ଷ ସତ୍ୟପାଠ କମିସନଙ୍କ ନିକଟରେ ଦାଖଲ ହୋଇଥିଲା। ସୂଚନାଯୋଗ୍ୟ ଯେ କମିସନ ପୂର୍ବରୁ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ତଦନ୍ତ କରି ସରକାରଙ୍କୁ ସାତଟି ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିବା ବେଳେ ଏବେ ମଧ୍ୟ କ୍ଷୁଦ୍ର ଜମାକାରୀଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ଅନ୍ୟପକ୍ଷରେ କମିସନଙ୍କ ନିକଟରେ ପ୍ରଥମ ପର୍ଯ୍ୟାୟରେ ୨୦୧୩ରେ ଦାଖଲ ସତ୍ୟପାଠକୁ ଯାଞ୍ଚ କରି ବୃହତ ଜମାକାରୀଙ୍କ ଚିହ୍ନଟ ପାଇଁ ପ୍ରକ୍ରିୟା ମଧ୍ୟ ଜାରି ରହିଛି।

ସମ୍ବନ୍ଧିତ ଖବର