ଜିଲ୍ଲାପାଳଙ୍କୁ ବି ଛାଡ଼ିଲାନି ସାଇବର ଠକ, ବର୍ତ୍ତିଗଲେ

ଡିଜିଙ୍କ ନାମରେ ଫେକ୍‌ ଆକାଉଣ୍ଟ ଖୋଲି ଟଙ୍କା ମାଗିଲା

ବାଲେଶ୍ବର: ଦିନକୁଦିନ ସାଇବର ଠକଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇ ଚାଲିଛି। କାହାକୁ ସୋସିଆଲ ମିଡିଆରେ ଫେକ୍‌ ଆକାଉଣ୍ଟ ଖୋଲି ସେଥିରେ ସଂପର୍କୀୟଙ୍କ ଫଟୋ ଲଗାଇ ଲୁଟୁଥିବା ବେଳେ ଆଉ କାହାକୁ ବ୍ୟାଙ୍କରୁ କହୁଛି କହି ଗୋଟିଏ ସେକେଣ୍ଡରେ ଆକାଉଣ୍ଟ ଖାଲି କରିଦେଉଛନ୍ତି। ସାଇବର ଠକ ଏବେ କାହାକୁ ବି ଛାଡ଼ୁନାହାନ୍ତି। ରବିବାର ଦିନ ସନ୍ଧ୍ୟାରେ ଏକ ହ୍ବାଟ୍ସଆପ୍‌ ନମ୍ବରରେ ଅଗ୍ନିଶମ ବିଭାଗର ଡିଜି ସନ୍ତୋଷ କୁମାର ଉପାଧ୍ୟାୟଙ୍କ ଫଟୋ ଲଗାଇ ବାଲେଶ୍ବର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେଙ୍କ ଅଫିସିଆଲ ନମ୍ବରକୁ ଏକ ମେସେଜ୍‌ ଆସିଥିଲା। ହେଲୋ….ମୁଁ ଡିଜି ସନ୍ତୋଷ କୁମାର ଉପାଧ୍ୟାୟ କହୁଛି। ଜିଲ୍ଲାପାଳ ଶ୍ରୀ ଶିନ୍ଦେ ମେସେଜ୍‌ ଦେଖି ଏହାର ଉତ୍ତର ରଖିବାକୁ ଯାଇ ଆଜ୍ଞା ସାର୍‌ କହିଥିଲେ। ଏଥିରେ ଉକ୍ତ ନମ୍ବରରୁ ତୁମେ ଏବେ କେଉଁଠି ବୋଲି ମେସେଜ୍‌ ଆସିଥିଲା।

ମୋର ଗୋଟିଏ ସହଯୋଗ ଦରକାର ଥିଲା ବୋଲି ଜିଲ୍ଲାପାଳଙ୍କୁ ମେସେଜ୍‌ ଆସିଥିଲା। ଜିଲ୍ଲାପାଳ ନମ୍ରତାର ସହିତ କହିଥିଲେ ସାର୍‌ କୁହନ୍ତୁ। ଏଥିରେ ସେପଟରୁ ମେସେଜ୍‌ ଆସିଥିଲା, ମୁଁ ଏବେ ଜରୁରୀ ମିଟିଂରେ ଅଛି, ତୁମର ଗୋଟିଏ ସହଯୋଗ ଦରକାର। ଜିଲ୍ଲାପାଳ ଶ୍ରୀ ଶିନ୍ଦେ ବୁଝିପାରି ସାର୍‌ ଆପଣଙ୍କର ଟଙ୍କା ଆବଶ୍ୟକ କି ବୋଲି ପଚାରିଥିଲେ। ସେପଟରୁ ହିଁ ମେସେଜ୍‌ ଆସିବା ସହିତ ଗିଫ୍ଟ କାର୍ଡ ହିସା‌ବରେ ଆମାଜନ୍‌ ମାଧ୍ୟମରେ ଟଙ୍କା ପଠେଇବାକୁ କହିଥିଲେ। ଏହି ନମ୍ବର ଫେକ୍ ବୋଲି ଜିଲ୍ଲାପାଳ ଶ୍ରୀ ଶିନ୍ଦେ ଜାଣିପାରିଥିଲେ। ଆଉ ପରେ ଶ୍ରୀ ଶିନ୍ଦେ ସଙ୍ଗେ ସଙ୍ଗେ ଏହି ନମ୍ବରକୁ ବ୍ଲକ କରିବା ସହିତ ଡିଜି ଶ୍ରୀ ଉପାଧ୍ୟାୟଙ୍କୁ ଜଣାଇଥିଲେ। ପରେ ଆଇଜି କ୍ରାଇମ୍‌ଙ୍କୁ ମଧ୍ୟ ସେ  ଜଣାଇଥିଲେ।

ସମ୍ବନ୍ଧିତ ଖବର