ଜୀବନ ନେଇଗଲେ ସ୍ପିଡ୍‌ ବାଇକର୍

ବରଗଡ଼ : ବରଗଡ଼ ସହରରେ ବେପରୁଆ ଗାଡ଼ି ଚାଲଣା ଏବଂ କମ୍‌ ବୟସର ପିଲାଙ୍କ ହାତରେ ଦ୍ରୁତଗତିର ବାଇକ୍‌ ରହିବା କାଳ ସାଜିଛି। ଗତ ରାତି‌ରେ ଏଭଳି ସ୍ପିଡ୍‌ ବାଇକର୍‌ ଜଣେ ଯୁବକଙ୍କ ଜୀବନ ନେଇଛି। ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏପରିକି ଲୋକେ ଶବ ରଖି ସହରର ପ୍ରବେଶପଥ ଭଟଲି ଛକକୁ ଦୀର୍ଘ ସମୟ ଧରି ଅବରୋଧ କରିଛନ୍ତି।

ମୃତକ ଜଣକ ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଖଲିଆପାଲି କେନାଲ ପଡ଼ାର ଚତୁର୍ଭୁଜ ଲୁହା। ସେ ଗତ ରାତିରେ କାମ ସାରି ଘରକୁ ସାଇକେଲରେ ଫେରୁଥିଲେ। ଏତିକି ବେଳକୁ ଦୁଇଟି ସ୍ପିଡ୍‌ ବାଇକ୍‌ର ଚାଳକଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଥିଲା। ରାସ୍ତା ସାମାନ୍ୟ ଫାଙ୍କା ଥିବାରୁ ଚାଳକମାନେ ଦ୍ରୁତ ଗତିରେ ବାଇକ୍‌ ଛୁଟାଉଥିଲେ। ଏତିକି ବେଳେ ଡାଂଗ ପେଟ୍ରୋଲପମ୍ପ ପାଖରେ ଜଣେ ଚାଳକ ଚତୁର୍ଭୁଜଙ୍କୁ ଧକ୍କା ଦେଇ ପଳାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବରଗଡ଼ ଓ ପରେ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା। ଉତ୍ୟକ୍ତ ଗ୍ରାମବାସୀ ରାସ୍ତା ଅବରୋଧ କରିବାରୁ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ଠପ୍‌ ରହିଥିଲା।  ଭଟଲି ଛକରୁ ଭଟଲି ପର୍ଯ୍ୟନ୍ତ ଆଲୋକୀକରଣ, ରାସ୍ତା ପ୍ରଶସ୍ତୀକରଣ, ଅଭିଯୁକ୍ତ ମାନଙ୍କୁ ଗିରଫ ଏବଂ ମୃତକଙ୍କ ପରିବାର ଲୋକଙ୍କୁ ଆର୍ଥିକ ସହାୟତା ଦାବି ନେଇ ରାସ୍ତାରୋକ ଆରମ୍ଭ ହୋଇଥିଲା। ପରେ ଉପଜିଲ୍ଲାପାଳ ଏବଂ ଏସ୍‌ଡିପିଓ ଘଟଣାସ୍ଥଳରେ ପହଂଚି ଲୋକଙ୍କ ସହ ଆଲୋଚନା କରିଥିଲେ। ସରକାରୀ ନିୟମାନୁସାରେ କ୍ଷତିପୂରଣ ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ହଟିଥିଲା।

ସମ୍ବନ୍ଧିତ ଖବର