ଜୟପୁର ପେପର୍ ମିଲ୍ ତୁରନ୍ତ କାର୍ଯ୍ୟକ୍ଷମ କର, ବିଧାନସଭା ଅଚଳ କରିଦେବାକୁ ଧମକ ଦେଲେ ତାରା

ଭୁବନେଶ୍ବର : ଜୟପୁର ପେପର୍ ମିଲ୍‌ ବନ୍ଦ ହୋଇଯିବା ଓ ନାଲ୍‌କୋ କୋରାପୁଟକୁ ଅଣଦେଖା କରୁଥିବା ନେଇ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଆଜି ପ୍ରଶ୍ନକାଳରେ ଭୀଷଣ ଉଦ୍‌ବେଗ ପ୍ରକାଶ କରିଥିଲେ। ପେପର୍ ମିଲ୍‌କୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଉଚ୍ଚସ୍ତରୀୟ ବୈଠକ ଡକା ନ ଗଲେ କୋରାପୁଟରୁ ହଜାର ହଜାର ଲୋକ ଆସି ବିଧାନସଭା ଅଚଳ କରାଇଦେବେ ବୋଲି ଧମକ ଦେଇଥିଲେ। ଏ ନେଇ ଶିଳ୍ପ ମନ୍ତ୍ରୀ ନିର୍ଦ୍ଦିଷ୍ଟ ଉତ୍ତର ଗୃହରେ ରଖିବାକୁ ଦାବି କରିଥିଲେ।

ଶ୍ରୀ ବାହିନୀପତିଙ୍କ ମୂଳ ପ୍ରଶ୍ନ ଥିଲା, କୋରାପୁଟ ଜିଲ୍ଲାରେ ନାଲ୍‌କୋକୁ ଦୃଷ୍ଟିରେ ରଖି କେତେ ସହଯୋଗୀ ଆନୁଷଙ୍ଗିକ ଶିଳ୍ପ ସ୍ଥାପନ କରାଯାଇଥିଲା? ସେମାନଙ୍କ ମଧ୍ୟରୁ କେତେ ୟୁନିଟ୍‌ ନାଲ୍‌କୋର ଅବହେଳା କାରଣରୁ ରୁଗ୍‌ଣ ହୋଇପଡ଼ିଛି ?

ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଥି‌େଲ, କୋରାପୁଟ ଜିଲ୍ଲାରେ ୬ଟି ସହଯୋଗୀ ଆନୁଷଙ୍ଗିକ ଶିଳ୍ପ ନାଲ୍‌କୋ ସହ ପଞ୍ଜୀକୃତ ହୋଇଛନ୍ତି। ନାଲ୍‌କୋ କର୍ତ୍ତୃପକ୍ଷ ସେହିସବୁ ଆନୁଷଙ୍ଗିକ ଶିଳ୍ପରୁ ସେମାନଙ୍କ ଆବଶ୍ୟକ ସାମଗ୍ରୀ କିଣୁଛନ୍ତି। ତେବେ କେତେ ୟୁନିଟ୍‌ ନାଲ୍‌କୋ ଅବହେଳା କରିଥିବାରୁ ରୁଗ୍‌ଣ ହୋଇପଡ଼ିଛି ତାହାର ତଥ୍ୟ ହସ୍ତଗତ ହୋଇ ନାହିଁ।

ଶ୍ରୀ ବାହିନୀପତି ଅତିରିକ୍ତ ପ୍ରଶ୍ନ ପଚାରି ନାଲ୍‌କୋ ବିରୋଧରେ ବିଷୋଦଗାର କରିଥିଲେ। କହିିଲେ, ନାଲ୍‌କୋ ଦେଶର ଏତେ ବଡ଼ କମ୍ପାନି। କିନ୍ତୁ ଯେଉଁ ଜିଲ୍ଲାର ମାଟି, ପାଣି, ପବନ ନେଇ ବଡ଼ ହୋଇଛି, ସେହି ଜିଲ୍ଲାର ବିକାଶ ପ୍ରତି ଆଖି ବୁଜିଦେଇଛି। ଭୁବନେଶ୍ବରରେ ଓ ରାଜ୍ୟ ବାହାରେ ଟଙ୍କା ଖର୍ଚ୍ଚ କରୁଛି। କିନ୍ତୁ କୋରାପୁଟରେ ପାରିପାର୍ଶ୍ବିକ ବିକାଶ ପାଇଁ ଖର୍ଚ୍ଚ କରୁନି।

ଏହା ବାଦ୍ ଜୟପୁର ପେପର୍ ମିଲ୍‌ ପ୍ରସଙ୍ଗ ଉଠାଇ ଶ୍ରୀ ବାହିନୀପତି କହିଥିଲେ, ସରକାର ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ କରି ବଡ଼ ବଡ଼ କଥା କହୁଛନ୍ତି। ଜୟପୁର ପେପର୍ ମିଲ୍‌ ୪ ମାସ ହେଲା ବନ୍ଦ ହୋଇଥିଲେ ବି କିଛି ପଦକ୍ଷେପ ନେଉ ନାହାନ୍ତି। ହଜାର ହଜାର କର୍ମଚାରୀ ତଳିତଳାନ୍ତ ହେବାକୁ ବସିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଏ ନେଇ ତୀବ୍ର ଅସନ୍ତୋଷ ସୃଷ୍ଟି ହେଲାଣି। ତୁରନ୍ତ ଉଚ୍ଚସ୍ତରୀୟ ବୈଠକ ଡକାଇ କାରଖାନା ଚାଲୁ କରିବାକୁ ସେ ଦାବି କରିଥିଲେ।

ମନ୍ତ୍ରୀ କହିଥିଲେ, ଖୁବ୍ ଶୀଘ୍ର ଏ ନେଇ ବୈଠକ ଡକାଯାଇ ସମାଧାନର ବାଟ ବାହାର କରାଯିବ। ନାଲ୍‌କୋ ସହ ମଧ୍ୟ ପାରିପାର୍ଶ୍ବିକ ବିକାଶ ସମ୍ପର୍କରେ ଆଲୋଚନା କରାଯିବ। ମୁକେଶ ମହାଲିଙ୍ଗ ଅତିରିକ୍ତ ପ୍ରଶ୍ନ ପଚାରିଥିଲେ।

ସମ୍ବନ୍ଧିତ ଖବର