ଟଙ୍କା ଅଜାଡ଼ି ଦେଲେ

ସହରାଞ୍ଚଳ ପାଇଁ ମାଳ ମାଳ ପ୍ରକଳ୍ପ
ଗାଁ ପାଣି ପାଇଁ ୧୦୦୦ କୋଟି

ଭୁବନେଶ୍ୱର : ପାଣି ସମସ୍ୟା ଦୂର କରିବା ସହିତ ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ରାଜ୍ୟ ସରକାର ଆଜି ଶହ ଶହ କୋଟି ଟଙ୍କାର ଯୋଜନା କରିଛନ୍ତି। ଗାଁରେ ପାଣି ପାଇଁ ୧୦୦୦ କୋଟି ବିନିଯୋଗ ହେବ। ସହରାଞ୍ଚଳ ବି ଅନୁରୂପ ଯୋଜନା ହୋଇଛି। ସେହିଭଳି ନିଦାନ ଓ ଡାଇଲେସିସ୍‌ ପାଇଁ ୫୯୬ କୋଟି ଖର୍ଚ୍ଚ ଅଟକଳ ହୋଇଥିବା ବେଳେ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଆନୁଷଙ୍ଗିକ ସେବାର ସୁଦୃଢୀକରଣ ପାଇଁ ୫୫୦ କୋଟି ଟଙ୍କାର ଯୋଜନା ହୋଇଛି। ଆଜି କ୍ୟାବିନେଟ୍‌ ଏସବୁକୁ ଅନୁମୋଦନ ପ୍ରଦାନ କରିଛି।

ସରକାରଙ୍କ ପକ୍ଷରୁ କୁହାଯାଇଛି, ୨୦୧୮-୧୯ ସୁଦ୍ଧା ସହରାଞ୍ଚଳରେ ସାର୍ବଜନୀନ ଜଳଯୋଗାଣ ପାଇଁ ୧୮୦୩ କୋଟି ୮୯ଲକ୍ଷ ଟଙ୍କାର ଏକ ଯୋଜନା ହୋଇଛି। ଏଥିରେ ୫୪୫ଟି ନୂତନ ପ୍ରକଳ୍ପ ହାତକୁ ନିଆଯିବ, ଯେଉଁଥିପାଇଁ ୫୮୮ କୋଟି ୪ଲକ୍ଷ ଲକ୍ଷ୍ୟ ବ୍ୟୟ ହେବ। ୨୦୬ଟି ଚାଲୁ ରହିଥିବା ପ୍ରକଳ୍ପ ଲାଗି ୩୦୩ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ପୁରୁଣା ୟୁଆଇଡିଏସ୍‌ଏସ୍‌ଏମ୍‌ଟି ଯୋଜନା ମାଧ୍ୟମରେ ଥିବା ଅସମ୍ପୂର୍ଣ୍ଣ ପ୍ରକଳ୍ପଗୁଡିକୁ ୧୬୦ କୋଟି ଟଙ୍କା ବ୍ୟୟରେ ସମ୍ପୂର୍ଣ୍ଣ କରାଯିବ। ପାନୀୟ ଜଳର ଗୁଣାତ୍ମକମାନର ପରିକଳ୍ପନା, ପରୀକ୍ଷଣ ସୁବିଧା, ସ୍ୱୟଂଚାଳନା ପଦ୍ଧତି, ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ରକୁ ଆବଶ୍ୟକ ପାନୀୟ ଜଳଯୋଗାଣ କ୍ଷେତ୍ରରେ ୫୦ କୋଟି ୭୯ ଲକ୍ଷ ଟଙ୍କାର ବ୍ୟୟ କରାଯିବ।

ସେହିଭଳି ଓୟୁଆଇଡିଏଫ୍‌ ଓ ରାଜ୍ୟ ଯୋଜନା ସହାୟତାରେ ବିଶାଳ ବ୍ରହ୍ମପୁର ସହରାଞ୍ଚଳ ପାଇଁ ଚାଲୁ ରହିଥିବା ବୃହତ୍‌ ଜଳଯୋଗାଣ ପ୍ରକଳ୍ପର ସମ୍ପୂର୍ଣ୍ଣ ନିମନ୍ତେ ଅମୃତ ଯୋଜନାରୁ ୧୩୦ କୋଟି ଟଙ୍କା ବ୍ୟୟ କରାଯିବ। ୧୪୧୪ କୋଟି ଟଙ୍କା ବିନିମୟରେ ଅମୃତ ଯୋଜନା ମାଧ୍ୟମରେ ୯ଟି ଅମୃତ ସହରାଞ୍ଚଳର ସାର୍ବଜନୀନ ଜଳଯୋଗାଣ ପରିସରଭୁକ୍ତୀକରଣ ପାଇଁ ୩୧୦ କୋଟିର ପ୍ରକଳ୍ପ ସମୂହକୁ ସରକାର ଅନ୍ତର୍ଭୁକ୍ତ କରିଛନ୍ତି। ବେଲପାହାଡ, ବ୍ରଜରାଜନଗର, ସୁନ୍ଦରଗଡ, ରାଜଗାଙ୍ଗପୁର ଓ ବୀରମିତ୍ରପୁର ସହରର ଯୋଗାଣ ନିମନ୍ତେ ୨୬୬ କୋଟି ୧୦ଲକ୍ଷ ଟଙ୍କା ଜିଲ୍ଲା ଖଣିଜ ପାଣ୍ଠିରୁ ଖର୍ଚ୍ଚ ହେବ। ଜଳ ପରିମାପକ ଯନ୍ତ୍ରୀକରଣ ବା ମିଟରିଂ ପାଇଁ ୩୪୫ କୋଟି ଟଙ୍କା ବିନିଯୋଗ ହେବ।

ଗ୍ରାମାଞ୍ଚଳରେ ନୂତନ ଜଳଉତ୍ସ ଖନନ, ନୂତନ ପାଇପ ଯୋଗେ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ, ନିର୍ମାଣ କରାଯାଇଥିବା ପାଇପ ଜଳଯୋଗାଣ ପ୍ରକଳ୍ପର ଉନ୍ନତି ପାଇଁ ଆବଶ୍ୟକସ୍ଥଳେ ନୂତନ ଉଚ୍ଚ ପାଣି ଟାଙ୍କି ସ୍ଥାପନ ଲାଗି ସରକାର ପଦକ୍ଷେପ ନେବେ। ଗ୍ରାମାଞ୍ଚଳରେ ଦୈନିକ ମୁଣ୍ଡପିଛା ୭୦ଲିଟର ହିସାବରେ କିମ୍ବା ପରିବାରର ପରିସୀମାର ୫୦ ମିଟର ଦୂରତା ମଧ୍ୟରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ କରାଯିବ। ୨୦୧୭-୧୮ ବର୍ଷରେ ଏଥିପାଇଁ ୬୦୦ କୋଟି ଟଙ୍କା ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଥିଲା। ୨୦୧୮-୧୯ ବର୍ଷ ରେ ଏ ବାବଦରେ ୧୦୦୦ କୋଟି ଟଙ୍କା ବିନିଯୋଗ କରାଯିବ।

ରାଜ୍ୟ ସରକାର ଗତ ଅକ୍ଟୋବର ୧୨ ତାରିଖରେ ଓଡ଼ିଶା ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଘୋଷଣା କରିଥିଲେ। ୨୦୧୮-୧୯ରୁ ୨୦୨୨-୨୩ ଏହି ୫ ବର୍ଷ ପାଇଁ ଯୋଜନା କାର୍ଯ୍ୟକାରୀ ହେବ। ୫୭ଟି ସ୍ଥାନରେ ୨୦ ଶଯ୍ୟା ବିଶିଷ୍ଟ ଓ୍ଵାର୍ଡ ସହ ଚକ୍ଷୁ ଓଟି ବା ଅସ୍ତ୍ରୋପଚାର ଗୃହ ସ୍ଥାପନ ହେବ। ପ୍ରତ୍ୟେକ ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରସ୍ତରରେ ଉତ୍କଷ୍ଟ କର୍ମଚାରୀ ଓ ଯନ୍ତ୍ରପାତି ବିଶିଷ୍ଟ ୩୭୭ଟି ଚକ୍ଷୁ କେନ୍ଦ୍ର ସ୍ଥାପନ ହେବ। ୩୦ଟି ଜିଲ୍ଲା ପାଇଁ ଭ୍ରାମ୍ୟମାଣ ଚକ୍ଷୁ ସେବା ଭ୍ୟାନ୍‌, ୭ଟି ମେଡିକାଲ କଲେଜର ଚକ୍ଷୁ ସେବା ବ୍ୟବସ୍ଥାର ଉନ୍ନତୀକରଣ, ୧୦ଲକ୍ଷ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର, ୫ଲକ୍ଷ ଚଷମା ଶିକ୍ଷାର୍ଥୀଙ୍କୁ ବଣ୍ଟନ, ୨.୫ଲକ୍ଷ ପ୍ରେସ୍‌ ବାୟୋପିକ୍‌ ଚଷମା ବଣ୍ଟନ କରାଯିବ। ୩୦୦ ଜଣ ଆପଥାଲମିକ୍‌ ଆସିଷ୍ଟାଣ୍ଟଙ୍କୁ ପ୍ରଶିକ୍ଷଣ ଓ ନିୟୁକ୍ତି ଦିଆଯିବ। ୬୦ଜଣ ଚକ୍ଷୁ ଡାକ୍ତରଙ୍କୁ ନିୟୁକ୍ତି, ସମସ୍ତ ମଧୁମେହ ରୋଗୀଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରସ୍ତରରେ ଡାଇବେଟିସ୍‌ ରେଟିନୋପାଥି ପାଇଁ ନିରୀକ୍ଷଣ ଏବଂ ମେଡିକାଲ କଲେଜ ଓ ଜିଲ୍ଲାସ୍ତରୀୟ ହସ୍ପିଟାଲରେ ମାଗଣା ଚିକିତ୍ସା ବ୍ୟବସ୍ଥା ହେବ। ସମସ୍ତ ଗ୍ଲୁକୋମା ରୋଗୀଙ୍କୁ ମାଗଣା ଚିକିତ୍ସା, ୨୫୦ଟି ଜନ୍ମଜାତ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଏମ୍‌ସିଏଚ୍‌ ଗୁଡିକରେ କରାଇବା ଲାଗି ବ୍ୟବସ୍ଥା ହେବ। ୭ଟି ସରକାରୀ ମେଡିକାଲ କଲେଜ ଓ କ୍ୟାପିଟାଲ ହସ୍ପିଟାଲରେ ଅପ୍ଟୋମେଟ୍ରି ଡିପ୍ଲୋମା କୋର୍ସ ଓ ଅପଥାଲମିକ୍‌ ନର୍ସିଙ୍ଗ କୋର୍ସ ଆରମ୍ଭ କରାଯିବ। ଏଥିପାଇଁ ୬୮୨ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି।

ବିନା ଦେୟରେ ରୋଗ ନିରୂପଣ ସେବା ନିଦାନ ଓ ଡାଇଲେସିସ୍‌ ସେବା ସହାୟ ଯୋଜନା ପାଇଁ ୫୯୬ କୋଟି ୨୮ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ରୋଗ ନିରୂପଣ ପାଇଁ ୫୫୨ କୋଟି ୩୫ଲକ୍ଷ ଓ ଡାଇଲେସିସ୍‌ ପାଇଁ ୪୩ କୋଟି ୯୩ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି।

ରାଜ୍ୟ ସରକାର ୫୫୦ କୋଟି ୨୪ଲକ୍ଷ ଟଙ୍କା ବ୍ୟୟରେ ଜନସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆନୁଷଙ୍ଗିକ ସେବାର ସୁଦୃଢୀକରଣ ପାଇଁ ଏକ ନୂଆ ଯୋଜନା ହାତକୁ ନେଇଛନ୍ତି। ୫୫୦ କୋଟି ୨୪ ଲକ୍ଷ ଟଙ୍କା ଏ ବାବଦରେ ଖର୍ଚ୍ଚ ହେବ। ଏ ମଧ୍ୟରୁ ୧୨୩ କୋଟି ୮୮ଲକ୍ଷ ଟଙ୍କା ଜାତୀୟ ସ୍ୱାସ୍ଥ୍ୟ ମିସନରୁ ଓ ଅବଶିଷ୍ଟ ୪୨୬ କୋଟି ୩୬ଲକ୍ଷ ରାଜ୍ୟ ବଜେଟ୍‌ରୁ ଦିଆଯିବ। ଏହି ଯୋଜନା ମାଧ୍ୟମରେ ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ରୋଗୀ ଓ ସେମାନଙ୍କ ସହାୟକଙ୍କୁ ଉତ୍ତମ ପରିବେଶରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା, ସ୍ୱାସ୍ଥ୍ୟ ଅନୁଷ୍ଠାନରେ ସଂକ୍ରମଣ ହ୍ରାସ କରିବା, ରୋଗୀର ବିଶ୍ୱାସଭାଜନ ହେବା, କାୟାକଳ୍ପର ସୂଚକାଙ୍କରେ ମାନବୃଦ୍ଧି ପାଇଁ ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦିଆଯିବ। ଏହା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରସ୍ତରରୁ ଆରମ୍ଭ ହେବ। ଆଉଟସୋର୍ସିଂ ମାଧ୍ୟମରେ ବିଭିନ୍ନ ସେବା ୫ବର୍ଷ ପ୍ରଦାନ କରାଯିବ। ସନ୍ତୋଷଜନକ ହେଲେ ନବୀକରଣ ହେବ। ୩୧୪ ବ୍ଲକରେ ଏହି ଯୋଜନାକୁ ନିରୀକ୍ଷଣ ପାଇଁ ଏକ ରାଜ୍ୟସ୍ତରୀୟ ପୋଗ୍ରାମ୍‌ ମ୍ୟାନେଜମେଣ୍ଟ ୟୁନିଟ୍‌ ଗଠନ କରାଯିବ। ବ୍ଲକ ମେଡିକାଲ ଅଫିସରଙ୍କୁ ସହାୟତା ପାଇଁ ହସ୍ପିଟାଲ ମ୍ୟାନେଜର ନିଯୁକ୍ତି ପାଇବେ। ବର୍ତମାନ ଥିବା ହସ୍ପିଟାଲ ମ୍ୟାନେଜର ବା ଜୁନିଅର ହସ୍ପିଟାଲ ମ୍ୟାନେଜର ମାନେ ନିଜ ଜିଲ୍ଲା ଓ ସବ୍‌ଡିଭିଜନ୍‌ ମେଡିକାଲ ପାଇଁ ଦାୟୀ ରହିବେ।

ରାଜ୍ୟ କ୍ୟାବିନେଟ୍‌ ବେସମାରିକ ପ୍ରତିରକ୍ଷା (ନିଯୁକ୍ତି ପ୍ରଣାଳୀ ଓ ସେବା ସର୍ତ୍ତାବଳୀ) ନିୟମ, ୨୦୧୮କୁ ମଧ୍ୟ ଅନୁମୋଦନ ଦେଇଛନ୍ତି।

ସମ୍ବନ୍ଧିତ ଖବର