ଡାକ୍ତରଖାନା କୋଠାରୁ ଡେଇଁଲେ ପ୍ରସୂତି, ମା’ ଛେଉଣ୍ଡ ହୋଇଗଲା ୫ଦିନର ଶିଶୁ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା ଘଟିଛି। ଏମସିଏଚ୍ କୋଠାରୁ ଡେଇଁ ଜଣେ ପ୍ରସୂତି ଆହ୍ମହତ୍ୟା କରିଛନ୍ତି। କେଉଁ କାରଣରୁ ପ୍ରସୂତି ଜଣକ ଏଭଳି ଚରମ ପଦକ୍ଷେପ ନେଲେ ସ୍ପଷ୍ଟ ହୋଇପାରି ନାହିଁ। ଅନ୍ୟପଟେ ୫ଦିନର ଶିଶୁପୁତ୍ର ମା’ କ’ଣ ଜାଣିବା ପୂର୍ବରୁ ହୋଇଯାଇଛି ମା’ ଛେଉଣ୍ଡ। ଏହି ଘଟଣା ପରିବାର ଲୋକଙ୍କୁ ସ୍ତବ୍ଧ କରି ଦେଇଥିବା ବେଳେ ସୃଷ୍ଟି କରିଛି ଦୁଃଖଦ ପରିବେଶ।

ସୂଚନା ଅନୁଯାୟୀ, ଡାବୁଗାଁ ବ୍ଲକ୍‌ ଅନ୍ତର୍ଗତ ଡଙ୍ଗରା ଗାଁର ଧରମ ଭତରାଙ୍କ ପତ୍ନୀ ‌ଜେମା ଭତରା (୩୨)ଙ୍କୁ ପ୍ରସବ ପାଇଁ ଗତ ୩୧ତାରିଖ ଦିନ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଅସ୍ତ୍ରୋପଚାର ପରେ ଏକ ଶିଶୁପୁତ୍ର ଜନ୍ମ ନେବାପରେ ଅନ୍ତଃବିଭାଗର ୧୬ ନମ୍ବର ଶଯ୍ୟାକୁ ଯାଇଥିଲେ ପ୍ରସୂତି। ରକ୍ତହୀନିତାର ଶିକାର ହୋଇଥିବାରୁ ଗତକାଲି ତାଙ୍କୁ ଗୋଟିଏ ୟୁନିଟ୍ ରକ୍ତ ଦିଆଯାଇଥିଲା। ଆଜି ଅପରାହ୍ନରେ ହଠାତ୍ ଜେମା ନବଜାତ ଶିଶୁକୁ ଧରି ଶଯ୍ୟାରୁ ଉଠିଥିଲେ। ଆଉ ପାଖରେ ଥିବା ସଂପର୍କୀୟ ଶାଶୂ ଦୂତି ଭତରା ପଚାରିବାରୁ ପରିଶ୍ରା ପାଇଁ ଯାଉଥିବା କହିଥିଲେ। ତେଣୁ ଦୂତି ଶିଶୁକୁ ଧରିଥିଲେ ଏବଂ ବୋହୂ ପଛେ ପଛେ ୱାର୍ଡ ବାହାରକୁ ଆସିଥିଲେ। ଏହାପରେ ଜେମା ହଠାତ୍ ଶାଶୂଙ୍କୁ ଧକ୍କା ଦେଇ ଗୋଟିଏ କାନ୍ଥ ଉପରେ ଚଢ଼ିଯାଇ ୩ମହଲା କୋଠା ଉପରୁ ତଳକୁ ଡେଇଁ ପଡ଼ିଥିଲେ। ଏହା ଦେଖି ମହିଳା ସ୍ବାସ୍ଥ୍ୟ କର୍ମୀ ତୁରନ୍ତ ତଳକୁ ଦୌଡ଼ି ଯାଇଥିଲେ ହେଁ ତାଙ୍କୁ ମୃତ ଅବସ୍ଥାରେ ପାଇଥିଲେ। ଖବର ପାଇ ସିଡିଏମଓ ଡା.ସନ୍ତୋଷ କୁମାର ସ୍ବାଇଁ, ଥାନା ଅଧିକାରୀ ତାରିକ ଅହମ୍ମଦ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଗୋଟିଏ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଜେମା ଭତରାଙ୍କ ଏହା ତୃତୀୟ ସନ୍ତାନ ଥିଲା। ପୂର୍ବରୁ ତାଙ୍କର ଗୋଟିଏ ପୁଅ ଏବଂ ଝିଅ ରହିଛନ୍ତି। କେଉଁ କାରଣରୁ ସେ ଏଭଳି ପଦକ୍ଷେପ ନେଲେ ପରିବାର ଲୋକ ଠିକ୍ ରୂପେ କହିପାରୁ ନାହାନ୍ତି। ନବଜାତ ଶିଶୁର ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି। ତେବେ ମା’ ଛେଉଣ୍ଡ ଶିଶୁର ଯତ୍ନ କେମିତି ନିଆଯିବ ସେହି ଚିନ୍ତାରେ ପରିବାର ସଦସ୍ୟ ରହିଛନ୍ତି।

ସମ୍ବନ୍ଧିତ ଖବର