ଡାକ୍ତର, ନର୍ସ ଓ ପାରାମେଡିକାଲ କର୍ମଚାରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ସାନିଟାରି ଗ୍ଲୋଭ୍‌ସ, ମାସ୍କ ଓ ସାନିଟାଇଜର ପ୍ରଦାନ ପ୍ରସଂଗରେ ଜବାବ ତଲବ

କଟକ: କରୋନା ଭୂତାଣୁ ସଂକ୍ରମଣକୁ ନେଇ ଦେଖା ଦେଇଥିବା ପରିସ୍ଥିତିରେ ଆବଶ୍ୟକ ଔଷଧ ଓ ଚିକିତ୍ସା ସାମଗ୍ରୀ ଯୋଗାଣ ସୁନିଶ୍ଚିତ କରିବା ଉପରେ ହାଇକୋର୍ଟ ଗୁରୁତ୍ୱାରୋପ କରିବା ସହିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱରା ନିର୍ଧାରିତ ନିୟମ ଅନୁସାରେ ସୁରକ୍ଷା ସରଂଜାମ ପାଇଁ କଣ ଅର୍ଥ ବ୍ୟବସ୍ଥା କରାଯାଇଛି ସେ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି । କୋଭିଡ୍‌-୧୯ ସଂକ୍ରମିତ ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର, ନର୍ସଙ୍କୁ ସୁରକ୍ଷା ଦୃଷ୍ଟିରୁ ପ୍ରଦାନ କରାଯାଉଥିବା ସାନିଟାରି ଗ୍ଲୋଭସ୍‌, ସାନିଟାରି ମାସ୍କ, ସାନିଟାଇଜର ପାଇଁ କେତେ ଅର୍ଥ ବ୍ୟବସ୍ଥା କରାଯାଇଛି ସେ ନେଇ ହାଇକୋର୍ଟରେ ଜବାବ ଦାଖଲ କରାଯିବ । ସେହିଭଳି ଭାବେ ରାଜ୍ୟର ସରକାରୀ ଓ ଘରୋଇ ମେଡିକାଲରେ ଡାକ୍ତର ଓ ସ୍ୱାସ୍ଥ୍ୟସେବା ଯୋଗାଉଥିବା ଅନ୍ୟ କର୍ମଚାରୀଙ୍କୁ ସାନିଟାରି ଗ୍ଲୋଭସ୍‌, ମାସ୍କ, ସାନିଟାଇଜର ଭଳି ସୁରକ୍ଷା ସରଞ୍ଜାମ ଯୋଗାଇ ଦେବା ପାଇଁ କେତେ ଅର୍ଥ ବରାଦ କରାଯାଇଛି ସେ ନେଇ ସରକାର ଜବାବରେ ସ୍ପଷ୍ଟ କରିବେ । ଏହି କ୍ଷେତ୍ରରେ ନିୟୋଜିତ ଡାକ୍ତର, ନର୍ସ ଓ ପାରାମେଡିକାଲ କର୍ମଚାରୀଙ୍କ ସବିଶେଷ ତାଲିକା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଦାନ କରାଯାଇଥିବା ଉପରୋକ୍ତ ସାମଗ୍ରୀ ସହିତ ସୁରକ୍ଷା ସରଞ୍ଜାମର ବିସୃତ ବିବରଣୀ ଦାଖଲ ପାଇଁ ହାଇକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ହସ୍ପିଟାଲକୁ ଏପରି ସରଞ୍ଜାମ ଯୋଗାଇ ଦେବା ପାଇଁ ସରକାର ଗ୍ରହଣ କରିଥିବା ପଦକ୍ଷେପ ସଂପର୍କରେ ମଧ୍ୟ ସରକାର ଅବଗତ କରିବେ । ମାମଲାର ପରବର୍ତୀ ଶୁଣାଣି ଏପ୍ରିଲ ୯ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି । ଜଷ୍ଟିସ ସି.ଆର.ଦାଶ ଓ ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ବିଜୟ କୁମାର ରଗଡଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ।

NBC News

ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ କରୋନା ଭୂତାଣୁ ସଂକ୍ରମିତ ରୋଗୀଙ୍କୁ କ୍ୱାରେଣ୍ଟିନରେ ରଖିବା ସହିତ ଚିକିତ୍ସା ଯୋଗାଇ ଦେବା ପାଇଁ ତିନୋଟି ଘରୋଇ ସଂସ୍ଥା ସହିତ ସରକାର ବୁଝାମଣା ସ୍ୱାକ୍ଷର କରିଛନ୍ତି । ଏହି ପ୍ରସଂଗରେ ଘରୋଇ ହସ୍ପିଟାଲ ଗୁଡିକ କ’ଣ ପଦକ୍ଷେପ ଗ୍ରହଣ କରିଛନ୍ତି ସେ ନେଇ ସ୍ପଷ୍ଟ କରିବା ପାଇଁ ସରକାରଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ମେଡିକାଲ ସରଞ୍ଜାମ ଓ ଔଷଧ ଉତ୍ପାଦନ ଉପରେ ଖଣ୍ଡପୀଠ ଗୁରୁତ୍ୱାରୋପ କରିଛନ୍ତି । ମେଡିକାଲ ସରଞ୍ଜାମ ଓ ଔଷଧ ଉତ୍ପାଦନ କରୁଥିବା କାରଖାନା ଓ ଶିଳ୍ପସଂସ୍ଥା ଚାଲିବା ପାଇଁ ଶ୍ରମିକ ଓ କର୍ମଚାରୀଙ୍କ ପ୍ରବେଶ ଅନୁମତି ପ୍ରସଂଗରେ ଚିନ୍ତା କରି କେନ୍ଦ୍ର ସରକାର ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରିବା ନେଇ ଖଣ୍ଡପୀଠ ଆଦେଶ ଦେଇଛନ୍ତି । ମେଡିକାଲ ସରଞ୍ଜାମ ଓ ଔଷଧ ଉତ୍ପାଦନ ବୃ୍‌ଦ୍ଧି ଉପରେ ଗୁରୁତ୍ୱ ଦିଆଯିବ । ସମସ୍ତ ସ୍ଥାନରେ ଏହି ସବୁ ଉତ୍ପାଦ ପହଂଚାଇବା ପାଇଁ ଫାଷ୍ଟଟ୍ରାକ ପରିବହନ ବ୍ୟବସ୍ଥା କରାଯିବା ଉଚିତ ବୋଲି ଖଣ୍ଡପୀଠ କହିଛନ୍ତି । ଔଷଧ ଦୋକାନ ଗୁଡିକୁ ସ୍ୱାଭାବିକ ଔଷଧ ଯୋଗାଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ବଜାରରେ ଔଷଧ ଅଭାବ ପରିସ୍ଥିତିର ମୁକାବିଲା ପାଇଁ ସରକାର ତୁରନ୍ତ ଡ୍ରଗ ଇନ୍ସପେକ୍ଟରଙ୍କୁ ନିୟୋଜିତ କରି ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବାକୁ ପଦକ୍ଷେପ ଗ୍ରହଣ କରିବେ । ସରକାର ଏଥି ପାଇଁ ଏକ ସ୍ୱତନ୍ତ୍ର ଆପ୍ କାର୍ଯ୍ୟକାରୀ କରିବେ । ଏହା ଦ୍ୱାରା ହସ୍ପିଟାଲ ଗୁଡିକ ପକ୍ଷରୁ ଔଷଧ ଓ ମେଡିକାଲ ସରଞ୍ଜାମ ଅଭାବ ସଂପର୍କିତ ଅଭିଯୋଗ ରୁଜୁ କରାଯାଇ ପାରିବ ଓ ଯଥା ଶୀଘ୍ର ଯୋଗାଣ କରାଯାଇ ପାରିବ । ନାଗରିକଙ୍କୁ ସୁରକ୍ଷିତ ରଖିବା ଲାଗି ପ୍ରଥମେ ଆମକୁ ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ୍‌ଙ୍କୁ ଓ ସେମାନଙ୍କ ଜୀବନକୁ ସୁରକ୍ଷା ଦେବକୁ ହେବ ବୋଲି ଖଣ୍ଡପୀଠ କହିଛନ୍ତି ।

ସମ୍ବନ୍ଧିତ ଖବର