ଡେଇଁ ଚାଲିଛି ଡେଙ୍ଗୁ: ଗଞ୍ଜାମରେ ଦିନକରେ ତିନି, ସଂଖ୍ୟା ୫୬ ହେଲା

ସୁନ୍ଦରଗଡ଼ ଜିଲ୍ଲାରେ ୧୧୪, ରାଉରକେଲାରେ ୯୯, ମୟୂରଭଞ୍ଜରେ ୩୨ ଚିହ୍ନଟ, ଚିକିତ୍ସା ବ୍ୟବସ୍ଥା ନାହିଁ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଡେଙ୍ଗୁ ଡେଇଁ ଚାଲିଛି। ଜିଲ୍ଲାର ବିଭିନ୍ନ ବ୍ଲକ୍‌କୁ ଡେଙ୍ଗୁ ମାଡ଼ି ସାରିଲାଣି। ଆଜି ଗୋଟିଏ ଦିନରେ ୩ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଛତ୍ରପୁର, ବ୍ରହ୍ମପୁର ଓ ଦିଗପହଣ୍ଡିରୁ ୩ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ଡେଙ୍ଗୁ ପଜିଟିଭ୍‌ ସଂଖ୍ୟା ୫୬ରେ ପହଞ୍ଚିଛି।

ହସ୍ତଗତ ସୂଚନା ଅନୁସାରେ, ଛତ୍ରପୁରରୁ ପଜିଟିଭ୍‌ ଚିହ୍ନଟ ହୋଇଥିବା ଯୁବକ ଜଣକ ଭୁବନେଶ୍ବରରୁ ଆସିଛନ୍ତି। ସେଠାରେ ତାଙ୍କୁ ଜ୍ବର ହେବାରୁ ସେ ଘରକୁ ଚାଲି ଆସିଥିଲେ। ଜ୍ବର ନଛାଡ଼ିବାରୁ ତାଙ୍କର ଡେଙ୍ଗୁ ପରୀକ୍ଷା କରାଯାଇଥିଲା। ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଥିଲା। ସେହିପରି କମାପଲ୍ଲୀର ଜଣେ ୨୧ ବର୍ଷୀୟ ମହିଳା ଓ ଦିଗପହଣ୍ଡିର ଜଣେ ଯୁବକ ମଧ୍ୟ ଡେଙ୍ଗୁ ପଜିଟିଭ୍‌ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ୨୦୨୧ରେ ଗଞ୍ଜାମ ଜିଲ୍ଲାରେ ମୋଟ ୩୩୩ ଜଣ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହାପୂର୍ବରୁ ୨୦୨୦ରେ ମାତ୍ର ୯ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେହିପରି ୨୦୧୯ରେ ୩୦୭ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୨୦୧୮ରେ ୧୫୫ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଚଳିତ ବର୍ଷ ୫୬ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇ ସାରିଲେଣି।

ସୁନ୍ଦରଗଡ଼: ଜିଲ୍ଲାରେ ୧୧୪, ରାଉରକେଲାରେ ୯୯

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାରେ ଡେଙ୍ଗୁ ସ୍ଥିତି ଚିନ୍ତା ବଢ଼ାଇଛି। ଏଯାବତ୍‌ ଜିଲ୍ଲାରେ ମୋଟ ୧୧୪ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସ୍ମାର୍ଟସିଟି ରାଉରକେଲାର ସର୍ବାଧିକ ୯୯ ରୋଗୀ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ​ଡେଙ୍ଗୁ ରୋଗୀଙ୍କ ମଧ୍ୟରେ ଇସ୍ପାତ ସହରାଞ୍ଚଳ (ଆର୍‌ଏସ୍‌ପି)ର ୬୪ ଓ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଅଞ୍ଚଳର ୩୩ ଜଣ ରୋଗୀ ଅଛନ୍ତି। ବାକି ୩ ହେଉଛନ୍ତି କେନ୍ଦୁଝର ଓ ଝାଡ଼ଖଣ୍ଡର।

ରାଉରକଲା ସହରରେ ଚିହ୍ନଟ ୯୯ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ୩୭ ରୋଗୀ ରାଜ୍ୟ ରାଜଧାନୀ ଭୁବନେଶ୍ବର ଏବଂ ଅନ୍ୟ ଡେଙ୍ଗୁ ପ୍ରଭାବିତ ଜିଲ୍ଲାରୁ ଆକ୍ରାନ୍ତ ହୋଇ ଆସିଥିବା ଅନୁମାନ କରାଯାଉଛି। ଲାଠିକଟା ବ୍ଲକ ଅନ୍ତର୍ଗତ ବି​ରକେରାରେ ୪, ବିଶ୍ରା ବ୍ଲକରେ ଜଣେ, ମଝାପଡ଼ା , ଗୁରୁଣ୍ଡିଆ ବ୍ଲକରେ ଜଣେ ଲେଖାଏଁ ଡେଙ୍ଗୁ ରୋଗୀ ଚିହ୍ନଟ ​ହୋଇଥିବା ବେଳେ ସୁନ୍ଦରଗଡ଼ ସହରାଞ୍ଚଳରେ ୨ ଜଣ ଚିହ୍ନଟ​ ହୋଇଛନ୍ତି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜକାନ୍ତି ମିଶ୍ର ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଥିଲା ୧୭୪୨।

ମୟୂରଭଞ୍ଜ :୩୨ ଚିହ୍ନଟ, ଚିକିତ୍ସା ବ୍ୟବସ୍ଥା ନାହିଁ

ବାରିପଦା : ମୟୂରଭଞ୍ଜରେ ଗତମାସ ୧୫ ତାରିଖରୁ ଚଳିତ ମାସ ୧୫ ତାରିଖ ସୁଦ୍ଧା ଜିଲ୍ଲାରୁ ୩୨ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୨ ଜଣ ଜିଲ୍ଲାରେ ଓ ୨୦ ଜଣ କଟକରେ ଚିହ୍ନଟ ହୋଇଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡେଙ୍ଗୁ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ଚିକିତ୍ସା ବ୍ୟବସ୍ଥା ନଥିବାରୁ ଅଧିକାଂଶ ରୋଗୀଙ୍କୁ କଟକ ପଠାଇ ଦିଆଯାଉଛି। ଜିଲ୍ଲାରେ ଡେଙ୍ଗୁ ରୋଗୀ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଏହାର ମୁକାବିଲା ନିମନ୍ତେ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସେମିତି କୌଣସି ତତ୍ପରତା ପ୍ରକାଶ ପାଉନି। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ଅନ୍ୟପକ୍ଷରେ, ରାସ୍ତା ଓ ଡ୍ରେନ୍‌ରୁ ନିୟିମତ ଉଠୁନି ଅଳିଆ ଆବର୍ଜନା। ବର୍ଷା ପାଣି ନିଷ୍କାସନ ହୋଇ ନପାରି ଦିନଦିନ ଧରି ଜମିରହୁଛି। ଗ୍ୟାରେଜ ଓ ଦୋକାନଗୁଡିକରେ ପୁରୁଣା ଟାୟାର ବର୍ଷବର୍ଷ ଧରି ପଡ଼ି ରହୁଥିଲେ ବି ତାକୁ ହଟାଯାଉନି। ଏଥିଯୋଗୁ ମୟୂରଭଞ୍ଜ ଜିଲ୍ଲାର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏଡିସ୍ ମଶା ବଂଶ ବୃଦ୍ଧି ଡେଙ୍ଗୁ ଆତଙ୍କ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର