ଦାଦନ ରୋକିବାକୁ ତନାଘନା, ବଲାଙ୍ଗୀର, ନୂଆପଡ଼ାରେ ଗ୍ରାମାଞ୍ଚଳ ଶ୍ରମ ନିରୀକ୍ଷକ ନିଯୁକ୍ତ

୩ ବରିଷ୍ଠ ଅଧିକାରୀଙ୍କୁ ତଦାରଖ ଦାୟିତ୍ବ

ଭୁବନେଶ୍ବର: ଆର୍ଥିକ ମାନ୍ଦାବସ୍ଥା ଓ ନିଯୁକ୍ତି ଅଭାବ ଓଡ଼ିଶା ସମେତ ସାରା ଦେଶରେ ଚିନ୍ତାର କାରଣ ହୋଇପଡ଼ିଛି। ଫଳରେ ବିଗତ ବର୍ଷରେ ଓଡ଼ିଶାରୁ ବାହାରକୁ ଯାଉଥିବା ଦାଦନ ଶ୍ରମିକ ଏ ବର୍ଷ ଆହୁରି ବଢ଼ିବାର ଆଶଙ୍କା ଦେଖାଦେଇଛି। ଭିଟ୍ଟାମାଟି ଛାଡ଼ି ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ କାମ କରୁଥିବା ଏହି ଶ୍ରମିକମାନଙ୍କୁ କିପରି ସରକାରୀ ସହଯୋଗ ମିଳିବ, ସେ ନେଇ ତନାଘନା ଆରମ୍ଭ ହୋଇଛି। ଗତ ୧୪ ତାରିଖରେ ଉନ୍ନୟନ କମିସନର୍‌ ୮ଟି ବିଭାଗର ଅଧିକାରୀଙ୍କୁ ବସାଇ ସମୀକ୍ଷା କରିଥିଲେ। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ନିୟମିତ ବ୍ୟବଧାନରେ ବୈଠକ ଡକାଯାଇ କାର୍ଯ୍ୟକ୍ରମର ତଦାରଖ କରିବାକୁ ଶ୍ରମ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ଶ୍ରମ ବିଭାଗର ପ୍ରମୁଖ ସଚିବ ଏକ ବୈଠକ କରି ବିଭାଗ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିର ସମୀକ୍ଷା କରିଥିଲେ।

ଦାଦନ ଶ୍ରମିକଙ୍କୁ ବିଭିନ୍ନ ପ୍ରକାର ସହଯୋଗ ଯୋଗାଇ ଦେବାକୁ ଶ୍ରମ ବିଭାଗ ବାଦ୍ ଆଉ ୮ଟି ବିଭାଗ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। ସେଗୁଡ଼ିକ ହେଲା
କୃଷି, ପଞ୍ଚାୟତିରାଜ, ଗଣଶିକ୍ଷା, ଗୃହ, ଖାଦ୍ୟ ଯୋଗାଣ, ମତ୍ସ୍ୟ ଓ ପଶୁସମ୍ପଦ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଏବଂ ଜଳସମ୍ପଦ ବିଭାଗ। ଆଜିର ସମୀକ୍ଷା ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ବ୍ଲକ୍ ସ୍ତରରେ ସମନ୍ବୟକୁ ତ୍ବରାନ୍ବିତ କରିବା ପାଇଁ ଶ୍ରମ ବିଭାଗ ପକ୍ଷରୁ ୩ ଜଣ ଗ୍ରାମାଞ୍ଚଳ ଶ୍ରମ ନୀରିକ୍ଷକଙ୍କୁ ନିଯୁକ୍ତି କରାଯାଇଛି। ବଲାଙ୍ଗୀର ଜିଲ୍ଲାର ବେଲପଡ଼ା ଓ ଖପ୍ରାଖୋଲ ଏବଂ ନୂଆପଡ଼ା ଜିଲ୍ଲାର ନୂଆପଡ଼ା ବ୍ଲକ୍‌ରେ ସେମାନେ ନିୟୋଜିତ ହୋଇଛନ୍ତି। ଏହା ସହ ଶ୍ରମ ନି‌େର୍ଦ୍ଦଶାଳୟର ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ବଲାଙ୍ଗୀର ଓ ନୂଆପଡ଼ାରେ ରହି ଇଣ୍ଟର୍ ଷ୍ଟେଟ୍‌ ମାଇଗ୍ରାଣ୍ଟ୍‌ ୱାର୍କମେନ୍‌(ଆର୍‌ଇ ଆଣ୍ଡ୍‌ ସିଏସ୍‌) ଆକ୍ଟ, ୧୯୭୯ ଠିକ୍ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ, ତାହାକୁ ତଦାରଖ କରିବେ। ଦାଦନ ଶ୍ରମିକଙ୍କ ପିଲାଙ୍କ ପାଇଁ ଥିବା ସାମୟିକ ହଷ୍ଟେଲ୍‌ରେ ମୌଳିକ ଭିତ୍ତିଭୂମି ଯୋଗାଇ ଦେବା ନିମନ୍ତେ ଗଣଶିକ୍ଷା ବିଭାଗକୁ ଅର୍ଥ ଦିଆଯାଇଛି। ବଲାଙ୍ଗୀର, ବରଗଡ଼, ନୂଆପଡ଼ା ଓ କଳାହାଣ୍ଡିରେ ଥିବା ଏହି ହଷ୍ଟେଲ୍‌ଗୁଡ଼ିକର ଗଣଶିକ୍ଷା ବିଭାଗ ଭିତ୍ତିଭୂମି ଯୋଗାଇ ଦେବ।

ବଲାଙ୍ଗୀର ଓ ନୂଆପଡ଼ାରେ ଓଡ଼ିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ ଦାଦନ ନିର୍ମାଣ ଶ୍ରମିକମାନଙ୍କୁ ପଞ୍ଜୀକରଣ କରିବା ପାଇଁ ସ୍ବତନ୍ତ୍ର ଶିବିର କାର୍ଯ୍ୟକ୍ଷମ ହୋଇଛି। ଫଳରେ ପଞ୍ଜୀକୃତ ଦାଦନ ଶ୍ରମିକମାନେ ଆବଶ୍ୟକ ସୁବିଧା ସୁଯୋଗ ପାଇପାରିବେ। ସେହିପରି ଓଡ଼ିଶା ଜୀବିକା ମିସନ୍ ପକ୍ଷରୁ ନୂଆପଡ଼ା ଓ ବଲାଙ୍ଗୀରର ୩୦ଟି ଗ୍ରାମପଞ୍ଚାୟତକୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ୧୧ଟି ଦାଦନ ପ୍ରବଣ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଶ୍ରମିକ ସହାୟତା ହେଲ୍‌ପ୍ ଲାଇନ୍ ଓ ଦାଦନ ହେଲ୍‌ପ୍‌ ଡେସ୍କ ସମ୍ପର୍କରେ ଆବଶ୍ୟକ ପ୍ରଚାର ପ୍ରସାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥି ପାଇଁ ଜିଲ୍ଲାପାଳମାନଙ୍କୁ ଆର୍ଥିତ ସହାୟତା ବି ପ୍ରଦାନ କରାଯାଇଛି। ଦାଦନ ଶ୍ରମିକଙ୍କ ପାଖରେ ସରକାରୀ ସୁବିଧା ଓ ସହଯୋଗ ପହଞ୍ଚୁଛି କି ନାହିଁ, ତାହାର ତଦାରଖ କରିବାକୁ ତିନି ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ସେମାନେ ହେଲେ ପଞ୍ଚାୟତିରାଜ ବିଭାଗର ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ, ଓଏଲ୍‌ଏମ୍‌ ନିର୍ଦ୍ଦେଶକ ଓ ଶ୍ରମ ଆୟୁକ୍ତ। ଏହି ତିନି ଅଧିକାରୀ ବଲାଙ୍ଗୀର ଓ ନୂଆପଡ଼ା ସମେତ ଅନ୍ୟ ଜିଲ୍ଲାର ପ୍ରମୁଖ ଦାଦନ ପ୍ରବଣ ଅଞ୍ଚଳ ଗସ୍ତ କରି ସମସ୍ତ କାର୍ଯ୍ୟକ୍ରମର ତଦାରଖ କରିବେ।

ସମ୍ବନ୍ଧିତ ଖବର