ଦାମଙ୍କ ମନ୍ତବ୍ୟ ପ୍ରତିବାଦରେ ବ୍ରାହ୍ମଣ ସମାଜର ବିକ୍ଷୋଭ

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ ବ୍ରାହ୍ମଣମାନେ ଭିକ ମାଗନ୍ତି ବୋଲି ଦେଇଥିବା ମନ୍ତବ୍ୟ ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ସହିତ ଉପସଭାପତି ପଦରୁ ଅବ୍ୟାହତି ଦେବା ପରେ ମଧ୍ୟ ବ୍ରାହ୍ମଣ ସମାଜର ରୋଷରୁ ବର୍ତି ପାରିନାହାନ୍ତି। ଦାମୋଦର ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ମୁକ୍ତି ମଣ୍ଡପକୁ ଯାଇ ସମଗ୍ର ବ୍ରାହ୍ମଣ ସମାଜକୁ କ୍ଷମା ମାଗନ୍ତୁ ବୋଲି ଦାବି କରି ଆଜି ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।
ବ୍ରାହ୍ମଣ ସମାଜ ପକ୍ଷରୁ ସୀତାରାମ ଶତପଥୀଙ୍କ ନେତୃତ୍ୱରେ ୨୫ରୁ ଅଧିକ ବ୍ରାହ୍ମଣ ଆଜି ଦିନ ପ୍ରାୟ ୧୨ଟାବେଳେ ରାଜମହଲ ଛକରୁ ଦାମୋଦର ରାଉତଙ୍କ ଫରେଷ୍ଟ ପାର୍କଠାରେ ଥିବା ବାସଭବନକୁ ଘେରାଉ କରିବାକୁ ବାହାରିଥିଲେ। ସେମାନେ ଦାମଙ୍କ ବିରୋଧରେ ସ୍ମୋଗାନ ଦେବା ସହିତ ଆଗାମୀ ଦିନରେ ବ୍ରାହ୍ମଣଙ୍କ ବିରୋଧରେ ଏଭଳି ମନ୍ତବ୍ୟ ତାଙ୍କ ପ୍ରତି ମହଙ୍ଗା ହେବ ବୋଲି ସଂଗଠନ ପକ୍ଷରୁ କୁହାଯାଇଥିଲା। ତେବେ ପୁଲିସ ପକ୍ଷରୁ ସେମାନଙ୍କ ଶିଶୁ ଭବନ ଛକରେ ଅଟକ ରଖାଯାଇଥିଲା। ପରେ ବ୍ରାହ୍ମଣ ସମାଜ ପକ୍ଷରୁ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ଅନ୍ୟପକ୍ଷରେ ଆଜି ଶ୍ରୀ ରାଉତଙ୍କୁ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ତାଙ୍କ ସରକାରୀ ବାସଭବନରେ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରିବା ସହିତ ଦଳୀୟ ପଦ ପଦବିରୁ ଅବ୍ୟାହତି ଦେବାର ଗୋଟିଏ ଦିନ ପରେ ମନ୍ତ୍ରୀ ଶ୍ରୀ ସାମଲ ତାଙ୍କୁ ଭେଟିବାର କାରଣ ଜଣା ପଡ଼ି ନ ଥିଲେ ମଧ୍ୟ ଏହାକୁ ଗୁରୁତ୍ୱପୂର୍ଣ ମନେ କରାଯାଉଛି।

ସମ୍ବନ୍ଧିତ ଖବର