ଦୁଇ ମହିଳା ହକି ଖେଳାଳିଙ୍କ ମୃତ୍ୟୁ ରହସ୍ୟ ଖୋଲିବ! ରାଉରକେଲାରେ ଝାଡ଼ଖଣ୍ଡ ପୁଲିସର ଚଢ଼ଉ

ହମିରପୁର ସଂସ୍ଥାର ମହିଳା ମୁଖ୍ୟଙ୍କୁ ଜେରା

ରାଉରକେଲା/ବୀରମିତ୍ରପୁର: ଝାଡ଼ଖଣ୍ଡ ରାଜ୍ୟ ବୀରୁ ଆରାନୀ ଜଙ୍ଗଲରେ ଦୁଇ ମହିଳା ହକି ଖେଳାଳି ଶ୍ରଦ୍ଧା ସାଲୋନୀ ସୋରେଙ୍ଗ ଓ ସୁନନ୍ଦିତା ବାଗେଙ୍କ ମୃତ୍ୟୁ ଆତ୍ମହତ୍ୟାଜନିତ ନୁହେଁ, ‌େସମାନଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ସିମ୍‌ଡେଗା ପୁଲିସ ଆତ୍ମହତ୍ୟା ମାମଲାକୁ ହତ୍ୟା ମାମଲାରେ ପରିବର୍ତ୍ତନ କରି ତଦନ୍ତ କରୁଛି। ଆଜି ରାଉରକେଲା ହମିରପୁର ସ୍ଥିତ ଏକ ଆସୋସିଏସନ କାର୍ଯ୍ୟାଳୟ ଉପରେ ଚଢଉ କରି ଏହାର ମହିଳା ମୁଖ୍ୟଙ୍କୁ ଧରି ସିମ୍‌ଡେଗା ନେଇଛି। ଏହି ମହିଳାଙ୍କ ଦ୍ବାରା ପରିଚାଳିତ ବେସରକାରୀ ହଷ୍ଟେଲ୍‌ରେ ସୁନନ୍ଦିତା ରହୁଥିଲେ। ସିମ୍‌ଡେଗା ପୁଲିସ ଅଟକ ରଖିଥିବା ଏହି ମହିଳା ଦୁଇ ହକି ଖେଳାଳିଙ୍କ ମୃତ୍ୟୁରେ ସିଧାସଳଖ ସାମିଲ ଅଛନ୍ତି କି ନାହିଁ ପୁଲିସ ସ୍ପଷ୍ଟ କରି ନ ଥିଲେ ମଧ୍ୟ ତାଙ୍କ ଠାରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିବା ଝାଡ଼ଖଣ୍ଡର ଜଣେ ପୁଲିସ ଅଧିକାରୀ କହିଛନ୍ତି।

ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ସେଣ୍ଟମେରୀ କନ୍‌ଭେଣ୍ଟ ସ୍କୁଲ୍‌ର ନବମ ଶ୍ରେଣୀ ଛାତ୍ରୀ ଶ୍ରଦ୍ଧା ସାଲୋନୀ ସୋରେଙ୍ଗ (୧୪) ଏବଂ ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ଲଛଡା ଜିପିଟୋଲିର ସୁନନ୍ଦିନୀ ବାଗେ (୧୬) ଙ୍କ ମୃତ ଶରୀର ସିମଡେଗା ଥାନା ଅଞ୍ଚଳର ବୀରୁ ଆରାନୀସ୍ଥିତ ଏକ କାଜୁ ଗଛରେ ଝୁଲୁଥିଲା। ରବିବାର ସକାଳେ ସିମ୍‌ଡେଗା ପୁଲିସ ଉଭୟଙ୍କ ଶବକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଥି‌ଲା। ପ୍ରଥମେ ପୁଲିସ ଏହାକୁ ଆତ୍ମହତ୍ୟା ଘଟଣା କହି ଅପମୃତ୍ୟୁ ମାମଲା ରୁଜୁ କରିଥିଲା। କିନ୍ତୁ ଶ୍ରଦ୍ଧାଙ୍କ ପରିବାର ଲୋକେ ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି କହି ଆସୁଥିଲେ। ସୂଚନା ଅନୁସାରେ ଶ୍ରଦ୍ଧା ଓ ସୁନନ୍ଦିତା ଭଲ ହକି ଖେଳୁଥିଲେ। ତେଣୁ ବିଭିନ୍ନ ସ୍ଥାନରେ ହେଉଥିବା ହକି ପ୍ରତିଯୋଗିତା ପାଇଁ କ୍ଲବ୍‌ ତଥା ହକି ଦଳ ସେମାନଙ୍କୁ ଭଡ଼ାରେ ହକି ଖେଳିବା ପାଇଁ ନେଉଥିଲେ। ରାଉରକେଲା ହମିରପୁରରେ ଏକ ସଂସ୍ଥାର ମହିଳା ମୁଖ୍ୟ ଏଥିରେ ମୂଲଚାଲ କରୁଥିଲେ। ଏପରିକି ସେ ମହିଳା ହକି ଖେଳାଳିଙ୍କୁ ନିଜ ହଷ୍ଟେଲ୍‌ରେ ରଖି ସୁବିଧା ସୁଯୋଗ ଦେଉଥିଲେ। ସୁନନ୍ଦିତା ସେଠାରେ ରହି ଖେଳୁଥିଲେ। ଶ୍ରଦ୍ଧାର ମୋବାଇଲ୍‌ ଫୋନ ନାହିଁ। ପୁଲିସ ସୁନନ୍ଦିତା ମୋବାଇଲ୍‌ ଫୋନ୍‌ କଲ୍‌ ରେକର୍ଡ ସଂଗ୍ରହ କରି ଯାଞ୍ଚ ଆରମ୍ଭ କରିଛି। ମୃତ୍ୟୁପୂର୍ବରୁ ସୁନନ୍ଦିତା କାହା ସହିତ କଥା ହୋଇଥିଲା ଏବଂ ସେଦିନ ତାଙ୍କ ମୋବାଇଲ୍‌ ଫୋନ୍ କେଉଁ ଅଞ୍ଚଳରେ ସକ୍ରିୟ ଥିଲା ତାର ତଦନ୍ତ ଚାଲିଛି। ଏହି ଆଧାରରେ ଆଜି ସିମ୍‌ଡେଗା ଥାନା ଅଧିକାରୀ ରାଜେନ୍ଦ୍ର ସିଂହଙ୍କ ନେତୃତ୍ବରେ ଏକ ପୁଲିସ ଦଳ ରାଉରକେଲା ହମିରପୁରସ୍ଥିତ ଏହି ସଂସ୍ଥା ଉପରେ ଚଢଉ କରି ଏହାର ମହିଳା ମୁଖ୍ୟଙ୍କୁ ଧରି ସିମଡେଗା ନେଇ ଯାଇଛନ୍ତି। ହକି ଖେଳିବା ବାହାନାରେ ଉଭୟଙ୍କୁ ଡାକି ନେଇ ହତ୍ୟା କରାଯାଇଥିବା ଆଲୋଚନା ହେଉଛି। ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ଉଭୟଙ୍କ ମୃତ୍ୟୁ କିଭଳି ହୋଇଛି ସ୍ପଷ୍ଟ ହେବ। ତେବେ ହମିରପୁରରୁ ଉଭୟଙ୍କ ମୃତ୍ୟୁ ରହସ୍ୟ ସ୍ପଷ୍ଟ ହେବ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର