ଦୁର୍ଘଟଣାରେ ବାପା, ମା’-ଝିଅ ମୃତ

୨ ଝିଅ ଏବଂ ଭ୍ୟାନ୍‌ ଡ୍ରାଇଭର ଆହତ, ପୁଲିସ ସୁରକ୍ଷାରେ ଗୁରୁତର ଡ୍ରାଇଭର

କେନ୍ଦୁଝର : ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଚେମଣା ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ବାଇକ୍‌ ଆରୋହୀ ବାପା, ମା’ ଓ ଝିଅଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଝିଅ ଅବସ୍ଥା ଗୁରୁତର ରହିଛି। ସାନଝିଅ ସାମାନ୍ୟ ଆହତ ହୋଇଛି। ଏହାକୁ କେନ୍ଦ୍ରକରି ଘଟଣାସ୍ଥ‌ଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ଚିଲଦା ନିକଟରେ ଟାୟାର ଜାଳି ୪୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ମୃତକମାନେ ହେଲେ ସେକ୍‌ ସେହେଜାଦ୍‌ (୪୦), ତାଙ୍କ ପତ୍ନୀ ତମନ୍ନା ବିବି (୩୦) ଓ ବଡ଼ଝିଅ ଅଫିମା ତହସିନ (୬)। ମଝିଆ ଝିଅ ତେହେସିନ୍‌ ପରବିନ୍‌ ଓ ବର୍ଷକର ସାନଝିଅଙ୍କ ଅବସ୍ଥା ଗୁରୁତର ରହିଛି। ଏମାନଙ୍କ ଘର କେନ୍ଦୁଝର ଜିଲ୍ଲା ସୀମାରେ ଥିବା ଚଢ଼େଇଭୋଳ ଗ୍ରାମରେ। ଏମାନେ ସମସ୍ତେ ଆଜି ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ବାଇକ୍‌ରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ଅପରାହ୍‌ଣ ପ୍ରାୟ ୪ଟାରେ ବାଇକରେ ଫେରୁଥିଲେ। ବିପରୀତ ଦିଗରୁ ଆସୁଥିବା ଏକ ପିକ୍‌ଅପ୍‌ ଭ୍ୟାନ ଏମାନଙ୍କ ବାଇକ୍‌କୁ ସମ୍ମୁଖରୁ ଧକ୍କା ଦେଇଥିଲା। ଫଳରେ ବାଇକ ସହ ୫ ଜଣଯାକ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ସେକ୍‌ ସେହେଜାଦ୍‌ ଓ ତାଙ୍କ ପତ୍ନୀ ତମନ୍ନା ପରବିନ୍‌ଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର