ନକଲି ଔଷଧରେ କଳାହାଣ୍ଡି ଲିଙ୍କ୍‌: ଗାଁ ଲୋକଙ୍କୁ ଟାର୍ଗେଟ୍‌ କରିଥିଲା ମେକ୍ସ ରିଲିଫ ହେଲଥ୍‌ କେୟାର କମ୍ପାନି

ନିଷିଦ୍ଧ ସତ୍ତ୍ୱେ ଡାକ୍ତର ଲେଖୁଥିଲେ ଔଷଧ; ଡ୍ରଗ୍ସ ବିଭାଗର ଜାଣତରେ ଚାଲିଥିଲା କାରବାର

କେସିଙ୍ଗା : ରାଜ୍ୟରେ ନକଲି ଔଷଧ କାରବାରରେ ଧରାପଡ଼ିଥିବା ମେକ୍ସ ରିଲିଫ ହେଲଥ୍‌ କେୟାର କମ୍ପାନିର କଳାହାଣ୍ଡି ଲିଙ୍କ୍‌ ଘଟଣା ସାମ୍‌ନାକୁ ଆସିଥିଲେ ମଧ୍ୟ ଏବେବି ସବୁ ରହସ୍ୟର ଗୁମର ଫିଟିନାହିଁ। ସେହିଭଳି ଏହି କମ୍ପାନି ହୋଲସେଲର, ଔଷଧ ବିକ୍ରେତା ଓ ଡାକ୍ତରଙ୍କୁ ମନଲୋଭା ଉପହାର ଦେଇ ଗ୍ରାମାଞ୍ଚଳ ଲୋକଙ୍କୁ ଟାର୍ଗେଟ୍‌ କରିଥିବା ପ୍ରାଥମିକ ତଦନ୍ତ ବେଳେ ଜଣାପଡ଼ିଛି। ଏହି କମ୍ପାନିର ମୁଖ୍ୟଙ୍କ କଳାହାଣ୍ଡିରେ ଲିଙ୍କ୍‌ ରହିଥିବା କଥା ପଦାକୁ ଆସିଛି। ତାଙ୍କୁ କିଛି ଡାକ୍ତର, ଔଷଧ ବିକ୍ରେତା, ହୋଲସେଲର ଏବଂ ଡ୍ରଗ୍ସ ବିଭାଗର କର୍ମଚାରୀ ସହଯୋଗ କରୁଥିବା ନେଇ ଅଭିଯୋଗ ଉଠିଛି। ଏମିତିକି ସେହି କମ୍ପାନି ବ୍ୟବସାୟରେ କିଛି ଔଷଧ ବ୍ୟବସାୟୀ ଟଙ୍କା ଲଗାଇଥିବା ନେଇ ଚର୍ଚ୍ଚା ବି ହେଉଛି।

ନିଷିଦ୍ଧ ସତ୍ତ୍ୱେ କେସିଙ୍ଗାରେ ମିଲୋନେକ୍‌ ପ୍ରାଜ୍‌ ମିଳିଲା ପରେ ଏନେଇ ସନ୍ଦେହ ବଢ଼ିଛି। ଡାକ୍ତର କେମିତି ଏହି ଔଷଧ ଲେଖୁଥିଲେ ବୋଲି ପ୍ରଶ୍ନ ଉଠିଛି। ଅନ୍ୟପଟେ ଡ୍ରଗ୍ସ ନିରୀକ୍ଷକ ନିଜେ ସବୁବେଳେ ତଦାରଖ କରୁଥିଲେ ମଧ୍ୟ ଏହି ନିଷିଦ୍ଧ ଔଷଧକୁ ନଧରିବା; ଜିଲ୍ଲାରେ ଚାଲୁଥିବା ଅସାଧୁମେଣ୍ଟକୁ ପ୍ରମାଣିତ କରିଛି। ଏହି ଔଷଧକୁ ବିପୁଳ ପରିମାଣରେ ଡାକ୍ତର ଲେଖୁଥିବାରୁ ଏହାର ଚାହିଦା ବହୁତ ଥିଲା। ଏବେ ଗୋଟିଏ ସ୍ଥାନରୁ ଏହି ଔଷଧ ଜବତ ହେଇଥିଲେ ମଧ୍ୟ ଜିଲ୍ଲାବ୍ୟାପୀ ଏହା ଚାଲୁଥିବା ଚର୍ଚ୍ଚା ହେଉଛି। ଯେଉଁ ଡାକ୍ତର ଏହି ଔଷଧ ଲେଖୁଥିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇନାହିଁ। ଏହି କମ୍ପାନିର ଔଷଧରେ ଫ୍ରି ସ୍କିମ୍‌ ଓ ମନଲୋଭା ଉପହାର ପାଇଁ ଗ୍ରାମାଞ୍ଚଳରେ କ୍ୱାକ୍‌ ଓ ନକଲି ଡାକ୍ତର ଏହି ଔଷଧ ଚଳେଇ ମାଲେମାଲ ହେଉଥିଲେ।

ସବୁଠୁ ଆଶ୍ଚର୍ଯ୍ୟ କଥା ୧୦ଟି ଷ୍ଟ୍ରିପ୍‌ରେ ଆହୁରି ମାଗଣରେ ୧୦ ଷ୍ଟ୍ରିପ୍‌ ସ୍କିମ୍‌ ଚଲୁଥିଲେ ମଧ୍ୟ କାହାର ନଜରକୁ ଆସିନଥିଲା। ଏହି ମାଗଣା ଷ୍ଟ୍ରିପ୍‌ ସ୍କିମ ହୋଲସେଲର ପଏଣ୍ଟରୁ ରିଟେଲର ଓ କ୍ୱାକ୍‌ ପର୍ଯ୍ୟନ୍ତ ଥିଲା। ଏମାନେ ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରି ଲୋକଙ୍କ ଜୀବନ ସହ ଖେଳୁଥିଲେ। ହିମାଚଳପ୍ରଦେଶର ଡ୍ରଗ୍ସ ବିଭାଗ ଗତ ୧୪ ତାରିଖରେ ଏହି କମ୍ପାନି ଫେକ୍‌ ବୋଲି କହିବା ସହ ୧୦ ଗୋଟି ମେଡିସିନ୍‌ ଫେକ୍‌ ବୋଲି ଚିଠି ଦେବାପରେ ସରକାର ଚେଇଁଥିଲେ। ତଦନ୍ତ ଭାର କ୍ରାଇମବ୍ରାଞ୍ଚ ଦେଇଥିଲେ। ବର୍ତମାନ ବି ଏହି କମ୍ପାନିର ମେଡିଥାରଲ ଓ ଅନ୍ୟାନ୍ୟ ମେଡିସିନ୍‌ ଏବେ ବି ଜିଲ୍ଲାରେ ଚାଲୁଛି। ଯାହାର ତଦନ୍ତ କରିବା ଆବଶ୍ୟକ ହେଉଛି। ଔଷଧ କମ୍ପାନି ଜିଲ୍ଲାରେ ତାର ବ୍ୟବସାୟ ଆରମ୍ଭ କଲାବେଳେ ଔଷଧ ବିକ୍ରେତା ସଂଘକୁ କିଛି କାଗଜପତ୍ର ଦେଇ ବ୍ୟବସାୟ ଆରମ୍ଭ କରେ। କିନ୍ତୁ ପରବର୍ତ୍ତୀ ସମୟରେ ସେ ପ୍ରଥମେ ଦେଇଥିବା ତାଲିକାରୁ ବଢ଼େଇ ଚାଲେ। କିନ୍ତୁ ସେ ସମ୍ପର୍କିତ କାଗଜ ଦାଖଲ କରି ନଥାଏ। ଯାହାଦ୍ୱାରା ଏଭଳି ନକଲି କାରବାର ବୃଦ୍ଧିପାଉଛି ବୋଲି ଏକ ସଂଘର କର୍ମକର୍ତ୍ତା ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ସେହିଭଳି  ଜିଲ୍ଲାରେ କେଉଁମାନେ ଡ୍ରଗ୍ସ ହୋଲସେଲିଂ ଲାଇସେନ୍ସ ପାଇଛନ୍ତି, ସେମାନେ ବ୍ୟବସାୟ କରୁଛନ୍ତି ନା ତାହା ସେମିତି ପଡ଼ିରହିଛି ତାହାର ତଥ୍ୟ ବି କିଛି ନାହିଁ।

ପ୍ରକାଶଯୋଗ୍ୟ ଯେ, କେସିଙ୍ଗାର ବିଜୟ ଫାର୍ମାସ୍ୟୁଟିକାଲସ ସ୍ନିଜ, ଟିବିଆର, ମିଲୋନେକ ପ୍ରାଜ ଓ ଧର୍ମଗଡ଼ର ଜୟ ହିନ୍ଦ ହିନ୍ଦ ଏଜେନ୍ସିରୁ ସ୍ନିଜ ମେଡିସିନ୍‌ ଜବତ ହୋଇଛି। କେସିଙ୍ଗାରେ ୩ଟି ମାମଲା ରୁଜୁ ହୋଇଥିବାବେଳେ ଅନ୍ୟ ତଦନ୍ତ ନେଇ ବିଭାଗ ଚୁପ ରହିଛି। କମ୍ପାନିର ଜିଲ୍ଲା ମଧ୍ୟରେ ଥିବା ଲିଙ୍କର୍‌ କେବେ ତଦନ୍ତ କରାଯିବ ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ସେପଟେ ଧରପଗଡ଼ ପରେ ହୋଲସେଲର ଏହି କମ୍ପାନିର ଔଷଧକୁ ଲୁଚାଇବାରେ ବ୍ୟସ୍ତ। ଏ ସମ୍ପର୍କରେ ବ୍ରହ୍ମପୁରରୁ ଆସିଥିବା ତଦନ୍ତକାରୀ ଅଧିକାରୀ ଦେବାଶିଷ କାଲୋଙ୍କୁ ପଚାରିବାରୁ ମିଲୋନେକ ପ୍ରାଜ୍‌ ଉତ୍ପାଦନ କମ୍ପାନି ନକଲି ହୋଇଥିବାରୁ ଔଷଧ ମଧ୍ୟ ନକଲି। ଓଡ଼ିଶାରେ ଔଷଧ ନିର୍ମାଣ ହେଉନଥିବାରୁ ଜାଣିବା କଷ୍ଟ। କେସିଙ୍ଗା ଭଳି ଧର୍ମଗଡ଼ରେ ବି ହୋଲସେଲରଙ୍କ ନାଁରେ ମାମଲା ରୁଜୁ ହୋଇଛି। ଯେଉଁମାନେ ଏହି ଔଷଧ ବିକ୍ରି କରିଛନ୍ତି, ବିଲ୍‌ ଅନୁଯାୟୀ ସେହି ଔଷଧ ଦୋକାନୀଙ୍କ ନାଁରେ ମାମଲା ରୁଜୁ କରାଯିବ ବୋଲି କହିଛନ୍ତି। ଡାକ୍ତର କେମିତି ଔଷଧ ଲେଖୁଥିଲେ ପଚାରିବାରୁ ତାହା ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ ବୋଲି କହିଥିଲେ।

ସମ୍ବନ୍ଧିତ ଖବର