ନାଚୁଣୀ : ଲକ୍‌ଡାଉନ୍‌ ଯୋଗୁ ଗୋଖାଦ୍ୟ ଅଭାବ, ଚିନ୍ତାରେ ଗୋପାଳକ

ନାଚୁଣୀ : ମହାମାରୀ କରୋନା ସବୁରିଙ୍କ ଉପରେ ଅଜଣା ଛାଟ ମାରିଛି। କରୋନା ସଂକ୍ରମଣ ଏଡ଼ାଇବାକୁ ସାମାଜିକ ଦୂରତା ରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ନିଆଯାଇଛି। କେତେକ ନିତ୍ୟବ୍ୟବହାର୍ଯ୍ୟ ଜିନିଷକୁ ଛାଡିଦେଲେ ଲକ୍‌ଡାଉନ୍‌ ଯୋଗୁ ବଜାରରେ ଅନ୍ୟ ଜିନିଷ ମିଳୁନାହିଁ। ଏପରି ସ୍ଥିତିରେ ବଜାରରେ ଗୋଖାଦ୍ୟ ମଧ୍ୟ ମିଳୁନାହିଁ। ଏହାରି ଉପରେ ସଂପୂର୍ଣ୍ଣ ନିର୍ଭର କରି ଚଳୁଥିବା ଅଞ୍ଚଳର ଦୁଗ୍ଧ ଚାଷୀମାନେ ଏବେ ହରଡ଼ଘଣାରେ ପଡି ଲୁହ ଗଡାଉଛନ୍ତି। ଲକ୍‌ଡାଉନ୍‌ ଯୋଗୁଁ ଗୋଖାଦ୍ୟ ଏବେ ଦୁଷ୍ପ୍ରାପ୍ୟ ହୋଇଥିବାରୁ ଗାଈଗୋରୁ ଏବେ କିପରି ବଞ୍ଚିବେ ସେ ନେଇ ଲୋକଙ୍କ ଚିନ୍ତା ବଢ଼ିଯାଇଛି। ଆଖପାଖ ଘରୁ ପେଜ ତୋରାଣି ସଂଗ୍ରହ କରି ପାଳିତ ଗୋରୁଗାଈଙ୍କ ଜୀବନ ରକ୍ଷା ପାଇଁ ଲୋକେ ପ୍ରଚେଷ୍ଟା ଜାରି ରଖିଛନ୍ତି। ଗୋପାଳକ, ଦୁଗ୍ଧଚାଷୀ ଏପରି ସ୍ଥିତିରେ କ୍ଷୀର ନ ଦୁହିଁ ବାଛୁରୀକୁ ମୁହାଁଇ ଦେଇଛନ୍ତି। ପ୍ରକାଶ ଥାଉକି ଅତ୍ୟାବଶ୍ୟକ ଦୁଗ୍ଧ ଉତ୍ପାଦନ ନିମନ୍ତେ ଗୋଖାଦ୍ୟ ସ୍ଥାନୀୟ ବଜାରରେ ମିଳିବା ନିହାତି ଜରୁରୀ। ଏଣୁ ଦୁଗ୍ଧ ଉତ୍ପାଦନ ନିମନ୍ତେ ଗୋଖାଦ୍ୟକୁ ଅତ୍ୟାବଶ୍ୟକ ଦ୍ରବ୍ୟ ଭାବେ ବିବେଚନା କରି ସରକାର ତୁରନ୍ତ ବଜାରକୁ ଗୋଖାଦ୍ୟ ଯୋଗାଣ ନିମନ୍ତେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର