ନାବାଳିକା ଅପହରଣ, ଅଭିଯୁକ୍ତ ପରିବାରକୁ ବାସନ୍ଦ

ମହାକାଳପଡ଼ା : ଜଣେ ନାବାଳିକା ଅପହରଣ ଘଟଣାକୁ କେନ୍ଦ୍ରକରି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ୍‌ ଅନ୍ତର୍ଗତ ବାଲିସାହି ଗ୍ରାମର ଗୋଟିଏ ପରିବାରକୁ ବାସନ୍ଦ କରାଯାଇଛି। ନିଆଁପାଣି ଅଟକ ସହିତ ଦୋକାନ ବଜାର ବନ୍ଦ କରାଯାଇଛି। ଆତଙ୍କିତ ଅବସ୍ଥାରେ ରହିଥିବା ଏହି ପରିବାର ଆଜି ଥାନାର ଆଶ୍ରୟ ନେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଗତ ୧୩ ଦିନ ବଳିପାଳ ପଂଚାୟତ ବାଲିସାହି ଗ୍ରାମର ସୁଦର୍ଶନ ନାୟକଙ୍କ ପୁଅ ପ୍ରବୀଣ ସେହି ଗ୍ରାମର ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିଥିବା ନେଇ ଅଭିଯୋଗ ହୋଇଛି। ସମ୍ପୃକ୍ତ ନାବାଳିକାଙ୍କ ବାପା ଏ ସମ୍ପର୍କରେ ସ୍ଥାନୀୟ ଥାନାରେ ଏତଲା ଦାଏର୍‌ କରିଛନ୍ତି। ପୁଲିସ୍‌ ନଂ ୧୫୮/୨୦୧୭ରେ ମାମଲା ରୁଜୁ କରି ତଦନ୍ତ ଜାରିରଖିଛି। ଏହି ଘଟଣାରେ ପ୍ରବୀଣଙ୍କ ବ୍ୟତୀତ ପରିବାରର ୫ ଜଣ ସଦସ୍ୟଙ୍କ ନାଁ ଥିବାରୁ ସମସ୍ତେ ଫେରାର୍‌ ହୋଇଯାଇଛନ୍ତି। ସୁଦର୍ଶନଙ୍କ ପରିବାରରେ ମହିଳାଙ୍କ ସହିତ ଆଉ କେତେଜଣ ସଦସ୍ୟ ରହିଛନ୍ତି। ତେବେ, ଏହି ପରିବାରକୁ ଗାଁର କିଛି ଲୋକ ବାସନ୍ଦ କରିଛନ୍ତି। ତାଙ୍କୁ ନିଆଁପାଣି ବନ୍ଦ କରିବା ସହିତ ଦୋକାନବଜାର, ମନ୍ଦିର ଯିବା ଉପରେ କଟକଣା ଜାରି କରିଛନ୍ତି। ଏପରିକି, ଛୋଟଛୋଟ ପିଲାମାନଙ୍କୁ ଟ୍ୟୁସନ୍‌କୁ ଛାଡ଼ୁନାହାନ୍ତି।

ଆଜି ସେମାନଙ୍କ ଘର ଉପରେ ଆକ୍ରମଣ କରିଥିବା ସୁଦର୍ଶନଙ୍କ ବୋହୂ ଆରତି ନାୟକ ଥାନାରେ ଅଭିଯୋଗ କରିଛନ୍ତି। ଆରତିଙ୍କ ଅଭିଯୋଗ ଅନୁସାରେ, ଆଜି ଅପରାହ୍ନ ପ୍ରାୟ ୧ଟା ସମୟରେ ଗ୍ରାମର ସମୀର ଜେନା, ବିଦ୍ୟାଧର ନାୟକ, ସଂଜୟ ରାଉତ, ଭରତ ରାଉତ, ରାମଚନ୍ଦ୍ର ନାୟକ, ନିରାକାର ସାହୁଙ୍କ ସମେତ ଅନ୍ୟ କେତେକ ବ୍ୟକ୍ତି ଘରେ ଥିବା ମହିଳା ସଦସ୍ୟ ମାନଙ୍କୁ ଗାଳିଗୁଲଜ କରିବା ସହିତ ତାଙ୍କ ବାଡିରେ ଥିବା ଘଷି ଗଦା, ନଡା ଗଦା, ତାଙ୍କର ଏକ ଅଟୋ ରିକ୍ସାକୁ ବାଡେଇ ଭାଙ୍ଗି ଦେଇଛନ୍ତି। ଦୁଇଦିନ ମଧ୍ୟରେ ନାବାଳିକା ନ ଫେରିଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦେଇଛନ୍ତି ବୋଲି ଶ୍ରୀମତୀ ନାୟକ ଅଭିଯୋଗରେ ଦର୍ଶାଇଛନ୍ତି।

ଅଭିଯୋଗ ପରେ ପୁଲିସ୍‌ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଅନୁସନ୍ଧାନ କରିଛନ୍ତି। ତେବେ, ଏହି ଘଟଣା ପରେ ସୁଦର୍ଶନଙ୍କ ପରିବାର ଲୋକ ଆତଙ୍କିତ ହୋଇପଡ଼ିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର