ନୀଳଗିରି ବିଧାୟକଙ୍କୁ କରୋନା

ରାଜ୍ୟରେ ପ୍ରଥମ ବିଧାୟକ ଭାବେ ପଜିଟିଭ୍‌ ଚିହ୍ନଟ

ସଂସ୍ପର୍ଶରେ ଆସିଛନ୍ତି ଶତାଧିକ ଲୋକ, ନେତା ଓ କର୍ମୀ
ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକରେ ଯୋଗ ଦେଇଥିଲେ
ଦିବଂଗତ ବିଧାୟକଙ୍କ ଶେଷକୃତ୍ୟରେ ବି ସାମିଲ ଥିଲେ
ପଞ୍ଚଲିଙ୍ଗେଶ୍ବର ପାନ୍ଥନିବାସ ୩ ଦିନ ପାଇଁ ସିଲ୍‌

ବାଲେଶ୍ୱର/ନୀଳଗିରି : ପ୍ରଥମଥର ପାଇଁ ରାଜ୍ୟର ଜଣେ ବିଧାୟକ ମହାମାରୀ କୋଭିଡ୍‌ ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି। ସେ ହେଉଛନ୍ତି ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ। ଆକ୍ରାନ୍ତ ବିଧାୟକଙ୍କଠାରେ ଜ୍ବର, ସର୍ଦ୍ଦି, କାଶଛିଙ୍କ ଆଦିର କିଛି ଲକ୍ଷଣ ନଥିବାବେଳେ କେବଳ ତାଙ୍କ ନାକ ପୋଡିବା ସହ ଗଳା ବସି ଯାଇଥିଲା। ସବୁପ୍ରକାର ସତର୍କତା ଅବଲମ୍ବନ ସତ୍ତ୍ବେ ମହାମାରୀ ଭୂତାଣୁରେ ସେ କେମିତି ସଂକ୍ରମିତ ହେଲେ ନିଜେ ବିଧାୟକ ମଧ୍ୟ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି। ଅନ୍ୟପକ୍ଷରେ ସ୍ବାବ୍‌ ଟେଷ୍ଟ ପଜିଟିଭ୍‌ ଆସିବା ପରେ ବିଧାୟକଙ୍କ ସଂସ୍ପର୍ଶରେ ଆସିଥିବା‌ ବ୍ୟକ୍ତି ବିଶେଷଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି। ତେବେ ବିଧାୟକ କେବେ ଓ କାହାଠୁ ସଂକ୍ରମିତ ହେଲେ ତାହା ଜଣାପଡ଼ିନଥିଲେ ମଧ୍ୟ ଏହି ସମୟ ମଧ୍ୟରେ ସେ ଶହଶହ ଲୋକ, ଏମିତିକି ଅନେକ ବିଧାୟକଙ୍କ ସଂସ୍ପର୍ଶରେ ଆସିଛନ୍ତି। ଯାହା ବର୍ତ୍ତମାନ ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର ବିଷୟ ହୋଇଛି।

ବିଧାୟକ ଶ୍ରୀ ନାୟକ ନିକଟରେ ବାଲେଶ୍ୱର ସଦର ବିଧାୟକ ସ୍ବର୍ଗତ ମଦନମୋହନ ଦତ୍ତଙ୍କ ଶେଷକୃତ୍ୟଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ହୋଇଥିବା ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇଥିଲେ। ଗତ ୩ ତାରିଖରେ ବାଲେଶ୍ବର ଗୋପାଳଗାଁସ୍ଥିତ ଏକ କଲ୍ୟାଣମଣ୍ଡପରେ ସ୍ବର୍ଗୀୟ ବିଧାୟକଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିରୋଧୀ ଦଳର ନେତା ପ୍ରଦୀପ ନାଏକ, ଉପନେତା ବିଷ୍ଣୁ ସେଠୀ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବାଲେଶ୍ବରର ପୂର୍ବତନ ସାଂସଦ ତଥା ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା, ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶ, ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ସହିତ ରାଜ୍ୟ ଓ ଜିଲ୍ଲାରୁ ବିଭିନ୍ନ ଦଳର ବହୁ ନେତା, କର୍ମୀ ସାମିଲ ହୋଇଥିଲେ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଜୁଲାଇ ୨ ତାରିଖ ବିଧାନସଭାର ଷ୍ଟାଣ୍ଡିଂ କମିଟି-୯ (ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ)ର ବୈଠକରେ ମଧ୍ୟ ସମ୍ପୃକ୍ତ ବିଧାୟକ ଯୋଗ ଦେଇଥିଲେ। ସେହି ବୈଠକରେ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ଦେବୀ ମିଶ୍ର, ବିଧାୟକ ପ୍ରୀତିରଂଜନ ଘଡ଼େଇ, ବିଧାୟକ ପ୍ରଶାନ୍ତ ବେହେରାଙ୍କ ସମେତ ପ୍ରାୟ ୮ ଜଣ ସଦସ୍ୟ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ବୋଲି ବିଧାୟକ ନିଜେ ପ୍ରକାଶ କରିଛନ୍ତି। ଏହାବାଦ୍‌ ଆକ୍ରାନ୍ତ ବିଧାୟକ ନିଜ ନିର୍ବାଚନ ମଣ୍ଡଳୀରେ କରୋନା ମୁକାବିଲା ସହ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଜଣାଯାଇଛି। ସେହିଭଳି, ନୀଳଗିରିସ୍ଥିତି ପଞ୍ଚଲିଙ୍ଗେଶ୍ବର ପାନ୍ଥନିବାସରେ କିଛିଦିନ ତଳେ ଚାହା ପିଇଥିବା ବିଧାୟକ ପ୍ରକାଶ କରିଛନ୍ତି। ଫଳରେ, ପାନ୍ଥନିବାସକୁ ୩ ଦିନ ପାଇଁ ସିଲ୍‌ କରାଯାଇଥିବା ଜଣାପଡ଼ିଛି।

ବିଧାୟକଙ୍କ କହିବା ମୁତାବକ, ଦୁଇଦିନ ତଳେ ସେ ସାମାନ୍ୟ ଥଣ୍ଡା ଅନୁଭବ କରିବାରୁ ସ୍ବାବ୍‌ ନମୁନା ପରୀକ୍ଷା ପାଇଁ ଦେଇଥିଲେ। ଏହା ପୂର୍ବରୁ ମଧ୍ୟ ତାଙ୍କର ଥରେ ସ୍ବାବ୍‌ ପରୀକ୍ଷା ହୋଇଥିଲା। ସେତେବେଳେ ରିପୋର୍ଟ ନେଗେଟିଭ ଆସିଥିବାବେଳେ ବର୍ତ୍ତମାନ ପଜିଟିଭ ଆସିଥିବା ସେ ସୂଚନା ଦେଇଛନ୍ତି। ଆକ୍ରାନ୍ତ ବିଧାୟକଙ୍କୁ ଚିକିତ୍ସା ନିମନ୍ତେ ବାଲେଶ୍ବର ଜ୍ୟୋତି କୋଭିଡ୍‌ ହସପିଟାଲରେ ଭର୍ତ୍ତି କରାଯାଇଛି। ବିଧାୟକଙ୍କ ସହ ମିଳାମିଶା କରିଥିବା ଦଳୀୟ କର୍ମୀ ଓ ଲୋକଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଥିବା ଜିଲ୍ଲା କୋଭିଡ୍‌ କେୟାର ଅଧିକାରୀ ଡାକ୍ତର ଅନ୍ତର୍ଯ୍ୟାମୀ ମିଶ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର