ନ୍ୟାୟ ନମିଳିଲେ ଲୋକଙ୍କ ପାଖକୁ ଯିବି: ସୁକାନ୍ତ

‘ନୀଳଗିରିର ସ୍ୱାଭିମାନ ଓ ସ୍ୱାଧୀନତା’ ଶୀର୍ଷକ ଆଲୋଚନାଚକ୍ର

ନୀଳଗିରି: ବାଲେଶ୍ବର ଜିଲ୍ଲା ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ଦ୍ବାରା ସ୍ଥାନୀୟ କେସି ହାଇସ୍କୁଲ୍‌ ପଡ଼ିଆରେ ଆଜି ‘ନୀଳଗିରିର ସ୍ୱାଭିମାନ ଓ ସ୍ୱାଧୀନତା’ ଶୀର୍ଷକ ଆଲୋଚନାଚକ୍ର ଆୟୋଜନ ହୋଇଛି। ଏହି କାର୍ଯ୍ୟକ୍ରମରେ ସେ ନିଜ ସମର୍ଥକଙ୍କୁ ଏକାଠି କରିଥିବା ଦେଖିବାକୁ ମିଳିଛି। ଏଥିରେ ଶ୍ରୀ ନାୟକ ଯେଉଁ ଢଙ୍ଗରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି, ତାହା ବିଜେଡି ପ୍ରତି ଏକ ପ୍ରକାର ଚାଲେଂଜ ବୋଲି ଆଲୋଚନା ହେଉଛି। ଶ୍ରୀ ନାୟକ ତାଙ୍କ ଭାଷଣରେ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନକୁ ପାଥେୟ କରି ସେ ୫ ବର୍ଷ ବିଭିନ୍ନ କାମ କରି ଆଦିବାସୀ ବହୁଳ ନୀଳଗିରିର ବିକାଶକୁ ବହୁ ଆଗକୁ ନେଇଥିବା କହିଥିଲେ। ଏପରି ସମୟରେ ଦଳ ତାଙ୍କ ପ୍ରତି ଅନ୍ୟାୟ କଲେ ସେ ଚୁପ୍‌ ରହିବେ ନାହିଁ। ଦରକାର ପଡ଼ିଲେ ନ୍ୟାୟ ପାଇଁ ନୀଳଗିରିର ଲୋକଙ୍କ ପାଖକୁ ଯିବେ ବୋଲି ପ୍ରକାଶ କରିଛନ୍ତି। ଆଲୋଚନାଚକ୍ରରେ ବିଧାୟକଙ୍କ ସମର୍ଥକମାନେ ଶ୍ରୀ ନାୟକଙ୍କୁ ହକ୍‌ ନମିଳିଲେ ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ସେମାନେ ଆହୁରି କହିଛନ୍ତି ଯେ ୨୦୧୪ ନିର୍ବାଚନରେ ବିଜେପିରୁ ନୀଳଗିରିର ବିଧାୟିକା ଭାବେ ଲଢ଼ି ହାରିଥିବା ସୁଷମାରାଣୀ ବିଶ୍ୱାଳଙ୍କୁ ଦଳକୁ ଆଣିବା ଠିକ୍‌ ହୋଇନାହିଁ।

ଉଲ୍ଲେଖଯୋଗ୍ୟ; ଶ୍ରୀ ନାୟକଙ୍କ ଦ୍ବାରା ଆୟୋଜିତ ଆଜିର ଏହି ଅଲୋଚନାଚକ୍ରରେ ମଂଚରେ ଥିବା ‌ବ୍ୟାନରରେ କୌଣସି ‌ଦଳୀୟ ଚିହ୍ନ ଲଗାଯାଇନଥିଲା। ଯାହା ଦଳ ପ୍ରତି ଶ୍ରୀ ନାୟକ ଓ ତାଙ୍କ ସମର୍ଥକମାନଙ୍କ ଅସନ୍ତୋଷକୁ ସ୍ପଷ୍ଟ ବ୍ୟକ୍ତ କରୁଛି ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର