ପଞ୍ଚମ ପର୍ଯ୍ୟାୟ ସତ୍ୟପାଠ ଯାଞ୍ଚ ଆରମ୍ଭ: ଚିଟ୍‌ଫଣ୍ଡ୍‌ କମିସନ

କଟକ: ରାଜ୍ୟରେ ଚିଟ୍‌ଫଣ୍ଡ ଠକେଇ ଘଟଣାର ତଦନ୍ତ ପାଇଁ ଗଠିତ ଜଷ୍ଟିସ ମଦନ ମୋହନ ଦାସ କମିସନଙ୍କ କାର୍ଯ୍ୟାଳୟରେ ପଞ୍ଚମ ପର୍ଯ୍ୟାୟ ସତ୍ୟପାଠ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୨ ଲକ୍ଷ ୫୨ ହଜାର ସତ୍ୟପାଠ ଯାଞ୍ଚ କରାଯିବ। ବର୍ତ୍ତମାନ ଯାଞ୍ଚ ପ୍ରକ୍ରିୟାରେ କ୍ଷୁଦ୍ର ଜମାକାରୀ (୧୦ ହଜାର ଟଙ୍କା ବା ତା’ଠାରୁ କମ୍‌ ନିବେଶ କରିଥିବା ବ୍ୟକ୍ତି)ଙ୍କ ସଂପର୍କରେ ତଥ୍ୟ ଏକାଠି କରାଯାଉଛି। ପଞ୍ଚମ ପର୍ଯ୍ୟାୟରେ ୩ଶହରୁ ଅଧିକ ଚିଟ୍‌ଫଣ୍ଡ୍‌ ସଂସ୍ଥାକୁ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ନୋଟିସ୍‌ ଜାରି କରାଯିବ ବୋଲି ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ ରାଜ୍ୟ ବାହାରର ଅନେକ ସଂସ୍ଥା ରହିଛନ୍ତି। ଅନ୍ୟପକ୍ଷରେ ଚତୁର୍ଥ ପର୍ଯ୍ୟାୟ ସତ୍ୟପାଠ ଯାଞ୍ଚ ପରେ କ୍ଷୁଦ୍ର ଜମାକାରୀଙ୍କ ଚିହ୍ନଟ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଖୁବ୍‌ ଶୀଘ୍ର ସରକାରଙ୍କୁ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ କମିସନ୍‌ ପରବର୍ତ୍ତୀ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିବେ ବୋଲି ଜଣା ପଡିଛି। କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ଏହା ହେବ କମିସନଙ୍କ ଚତୁର୍ଥ ରିପୋର୍ଟ। ଚତୁର୍ଥ ପର୍ଯ୍ୟାୟରେ ୩ଶହରୁ ଅଧିକ ଚିଟଫଣ୍ଡ୍‌ ସଂସ୍ଥାକୁ ନୋଟିସ୍‌ ଜାରି କରାଯାଇଥିଲା। କିନ୍ତୁ ବାରମ୍ବାର ନୋଟିସ୍‌ ସତ୍ୱେ ଏହି ସଂସ୍ଥାର ପଦାଧିକାରୀ କମିସନଙ୍କ ନିକଟରେ ହାଜର ହେଉ ନାହାନ୍ତି। ଏପରି ପରିସ୍ଥିତିରେ କମିସନ୍‌ଙ୍କ ନିକଟରେ ପୂର୍ବରୁ ଦାଖଲ ହୋଇଥିବା ସତ୍ୟପାଠ ଆଧାରରେ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯାଉଛି।

ସୂଚନାଯୋଗ୍ୟ ଯେ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ କମିସନ ୨୦୧୬, ମେ ୨୫ ତାରିଖରେ ସରକାରଙ୍କୁ ପ୍ରଥମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ୨୦୧୭, ଫେବ୍ରୁଆରି ୩ରେ ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ। ଏହାପରେ ୨୦୧୭, ଜୁଲାଇ ୨୫ରେ କମିସନ ତୃତୀୟ ରିପୋର୍ଟ ପ୍ରଦାନ କରିଥିଲେ। ଏହା ପରେ ଚତୁର୍ଥ ପର୍ଯ୍ୟାୟରେ ୨୦୧୩, ସେପ୍ଟେମ୍ବର ୧୩ରୁ ୨୦୧୩, ସେପ୍ଟେମ୍ବର ୧୭ ମଧ୍ୟରେ ଦାଖଲ ୧ ଲକ୍ଷ ୩୮ ହଜାର ୩୮୭ଟି ସତ୍ୟପାଠ ଯାଞ୍ଚ କରାଯାଇ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ନୋଟିସ୍‌ ଜାରି କରାଯାଇଥିଲା।

ସମ୍ବନ୍ଧିତ ଖବର