ପଦ୍ମପୁର ଉପନିର୍ବାଚନ ମଇଦାନରେ ୧୦ ପ୍ରାର୍ଥୀ; ୭୪ଟି ବୁଥ୍‌ ଉତ୍ତେଜନାପ୍ରବଣ, ୭୮ଟି ସମ୍ବେଦନଶୀଳ

ଭୁବନେଶ୍ବର : ପଦ୍ମପୁର ଉପନିର୍ବାଚନରେ ମୋଟ୍‌ ୧୦ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିବେ। ସୋମବାର ଦିନ ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ହେବା ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଏହି ସୂଚନା ଦେଇଛନ୍ତି।

ପଦ୍ମପୁର ଉପନିର୍ବାଚନ ପାଇଁ ମୋଟ୍ ୧୩ଜଣ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ଦୁଇ ଜଣଙ୍କର ପ୍ରାର୍ଥିପତ୍ର ନାକଚ ହୋଇଯାଇଥିଲା। ଶେଷ ଦିନରେ ଜଣେ ପ୍ରାର୍ଥୀ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ପରେ ଏବେ ନିର୍ବାଚନ ମଇଦାନରେ ୧୦ଜଣ ପ୍ରାର୍ଥୀ ଅଛନ୍ତି।

ସୋମବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଲୋହାନୀ କହିଛନ୍ତି ଯେ, ଏଥର ପଦ୍ମପୁର ଉପନିର୍ବାଚନରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହେବ। ପୂର୍ବ ନିର୍ବାଚନଗୁଡ଼ିକ ଭଳି ଏଥର ମଧ୍ୟ ଦୃଷ୍ଟିବାଧିତ ଭୋଟରମାନଙ୍କ ପାଇଁ ବ୍ରେଲି ବାଲାଟ୍ ପେପରର ସୁବିଧା କରାଯାଇଛି। ୮୦ବର୍ଷରୁ ଉର୍ଦ୍ଧ୍ବ ଭୋଟର ଏବଂ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ପୋଷ୍ଟାଲ ବାଲାଟ୍ ପେପର ମାଧ୍ୟମରେ ଭୋଟ୍‌ ଦେବାର ସୁବିଧା କରାଯାଇଛି। ୨୫୭୪୭୪ଜଣ ଭୋଟର ୩୧୯ଟି ବୁଥ୍‌ରେ ମତଦାନ କରିବେ। ଏଥିରୁ ୭୪ଟି ବୁଥ୍‌କୁ ଉତ୍ତେଜନାପ୍ରବଣ ଏବଂ ୭୮ଟି ବୁଥ୍‌କୁ ସମ୍ବେଦନଶୀଳ ବୁଥ୍‌ ଭାବେ ଚିହ୍ନଟ କରାଯାଇଥିବାବେଳେ ୯ କମ୍ପାନି (ସିପିଏଫ୍) ସେଣ୍ଟ୍ରାଲ ପାରାମିଲିଟାରି ଫୋର୍ସ ମୁତୟନ ହେବା ସହ ୪୧ପ୍ଲାଟୁନ୍ ରାଜ୍ୟ ପୁଲିସ ବଳକୁ ମୁତୟନ କରାଯିବ। ୧୬୦ଟି ବୁଥ୍‌ରେ ୱେବ୍‌ କାଷ୍ଟିଂ କରାଯିବା ସହ ଉତ୍ତେଜନାପ୍ରବଣ ବୁଥ୍‌ରେ ୯୮ଜଣ ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ଭାରତ ନିର୍ବାଚନ ଆୟୋଗଙ୍କ ତରଫରୁ ସାଧାରଣ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ଆଇଏଏସ୍‌ ମାନବେନ୍ଦ୍ର ପ୍ରତାପ ସିଂହଙ୍କୁ (୯୦୪୦୨୮୩୯୪୯) ବ୍ୟୟ ପର୍ଯ୍ୟବେକ୍ଷକ ଭାବେ, ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ ଡି.ଏମ୍ ରାମପ୍ରସାଦ ଗୁପ୍ତା (୬୩୭୨୪୪୧୨୧୦) ଏବଂ ପୁଲିସ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ଆଇପିଏସ୍‌ ହେମନ୍ତ ଚୌହାନ (୯୦୪୦୨୮୩୯୩୬)ଙ୍କୁ ନିଯୁକ୍ତ କରାଯାଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଓ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର